ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ବ୍ୟବସ୍ଥା । ରାଜ୍ୟବାସୀଙ୍କ ପରିବେଶ ଉପଯୋଗୀ ପିଏନ୍ଜି ଏବଂ ସିଏନ୍ଜି ଗ୍ୟାସ୍ ପାଇବାର ସ୍ୱପ୍ନ ପୂରଣ ହୋଇଛି ବୋଲି ଏହାର ଶୁଭାରମ୍ଭ କରି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାଡ଼ଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଏହାର ଶୁଭାରମ୍ଭ ହୋଇଛି ।\nଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ସ୍ୱଚ୍ଛ ଇନ୍ଧନ ଯୋଗାଇବାରେ ଏହି ପାଇପଲାଇନ୍ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ପୂର୍ବ ଭାରତର ବିକାଶ ଦିଗରେ ସହାୟକ ହେବ । ସେ କହିଛନ୍ତି, ରାଞ୍ଚିରେ ୩ ହଜାର ଘରକୁ ପାଇପ ଜରିଆରେ ଗ୍ୟାସ୍ ପହଞ୍ଚୁଛି ଏବଂ ଖୁବ ଶୀଘ୍ର ଅଧିକରୁ ଅଧିକ ଘରକୁ ପାଇପଲାଇନ ଜରିଆରେ ଗ୍ୟାସ୍ ପହଞ୍ଚାଯିବ । ଆଗାମୀ ଦିନରେ ୪୫୦୦ କୋଟି ଟଙ୍କା ବ୍ୟୟରେ ଝାଡ଼ଖଣ୍ଡର ୧୩ଟି ଜିଲ୍ଲା ଯଥା ବୋକାରୋ, ହଜାରିବାଗ, ରାମଗଡ଼, ପଶ୍ଚିମ ସିଂହଭୂମି, ପାଲାମୁ, ସଢ଼େଇକଳା, ରାଞ୍ଚି, କୋଡରମା ଏବଂ ଦେଓଘର ଅଞ୍ଚଳରେ ପାଇପ୍ଲାଇନ ଜରିଆରେ ଗ୍ୟାସ ପହଞ୍ଚିବ । ସେହିଭଳି ଝାଡ଼ଖଣ୍ଡରେ ୨୫୦ ସିଏନ୍ଜି ଷ୍ଟେସନ୍ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।\nସେ କହିଛନ୍ତି, ଆଜି ଦେଶରେ ୧୬ ହଜାର ୫୦୦ କିମିରୁ ଅଧିକ ଗ୍ୟାସ୍ ପାଇପ୍ଲାଇନ ନେଟୱର୍କ ରହିଛି । ଉର୍ଜା ଗଙ୍ଗାର ବିସ୍ତାର ପୂର୍ବ ଭାରତର ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯାଏଁ ହେବ । ୧୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱର୍କ ପ୍ରସ୍ତୁତ କରାଯିବ । ତନ୍ମଧ୍ୟରୁ ୫୭୦ କିମିର ନେଟୱର୍କ ଝାଡ଼ଖଣ୍ଡର ଭିନ୍ନ ଭିନ୍ନ ଜିଲ୍ଲାରୁ ଗତି କରିବ । ପ୍ରାକୃତିକ ପାଇପ୍ ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଣ ଫଳରେ ଝାଡ଼ଖଣ୍ଡବାସୀ ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.