ଝିଅ ସହ ପାକିସ୍ତାନ ଛାଡ଼ିବେ ନୱାଜ ସରିଫ

Get real time updates directly on you device, subscribe now.

ଇସ୍ଲାମାବାଦ: ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଡିଆଲା ଜେଲ୍ରେ ବର୍ତ୍ତମାନ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମ ସରିଫ ଖୁବଶୀଘ୍ର ଜେଲ୍ରୁ ମୁକ୍ତ ହେବେ । କିନ୍ତୁ ଜେଲରୁ ମୁକୁଳିବା ପରେ ସେମାନେ ଦେଶଛାଡି ପଳାଇବେ । ପାକିସ୍ତାନ ସରକାରଙ୍କ ସହ ଏଭଳି ଡିଲ୍ ହୋଇଥିବା ପାକିସ୍ତାନର ଶାସକ ପିଟିଆଇ (ପାକିସ୍ତାନ ତେହରିକ-ଇ-ଇନସାଫ) ପାର୍ଟିର ବରିÂ ନେତା ହୁମାୟୁନ ଅଖତାର ଦାବି କରିଛନ୍ତି ।
ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେଇ ହୁମାୟୁନ କହିଛନ୍ତି ଯେ ସରକାରଙ୍କ ସହ ହୋଇଥିବା ଡିଲ୍ ସମ୍ପର୍କରେ ଦେଶବାସୀ ଜାଣନ୍ତୁ ବୋଲି ସରିଫଙ୍କ ପରିବାର ଚାହାନ୍ତି ନାହିଁ । ସେଥିପାଇଁ ଡିଲ୍କୁ ଗୋପନ ରଖାଯାଇଛି । ଡିଲ୍ ପାଇଁ ସରିଫ ଓ ମରିୟମ ରାଜି ହୋଇଛନ୍ତି । ଖୁବଶୀଘ୍ର ଡିଲ୍ ଦସ୍ତାବିଜରେ ସେମାନେ ସ୍ୱାକ୍ଷର କରିବେ । ଡିଲ୍ ଅନୁସାରେ ସରିଫ ଜେଲ୍ରୁ ମୁକ୍ତ ହେବା ପରେ ସରକାରଙ୍କୁ କିଛି ଅର୍ଥ ପ୍ରଦାନ କରିବେ । ତା ପରେ ପାକିସ୍ତାନ ଛାଡି ସବୁଦିନ ପାଇଁ ବିଦେଶ ପଳାଇବେ । ବିଦେଶ ଯିବା ଲାଗି ସେମାନଙ୍କ ପାଇଁ ବିମାନବନ୍ଦରରେ ବିମାନ ପ୍ରସ୍ତୁତ କରି ରଖାଯିବ । ପାକିସ୍ତାନରେ ପ୍ରଚଳିତ ‘ବ୍ଲଡ ମନି’ ଆଇନ ଅନୁସାରେ ଏଭଳି ଡିଲ୍ କରାଯାଇଛି ବୋଲି ହୁମାୟୁନ ଦାବି କରିଛନ୍ତି । ଏହି ଆଇନ ଅନୁସାରେ ଦୋଷୀ ଓ ପୀଡିତ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥାଏ । ବୁଝାମଣା ଅନୁଯାୟୀ ଦୋଷୀ ପକ୍ଷ ପୀଡିତ ପକ୍ଷଙ୍କୁ କିଛି କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପରେ ଦଣ୍ଡରୁ ମୁକ୍ତି ପାଇଥାନ୍ତି ।
ଅନ୍ୟପକ୍ଷରେ ଉକ୍ତ ଟିଭି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍ଏଲ୍-ଏନ)ର ପ୍ରବକ୍ତା ଏଭଳି ଡିଲ୍ ହୋଇଥିବା ବିଷୟରେ ଜାଣି ନଥିବା ପ୍ରକାଶ କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଜନତା ଇମ୍ରାନ ଖାନ୍ଙ୍କ ସରକାରଙ୍କ ଉପରେ କ୍ଷୁବ୍ଧ ଥିବାରୁ ସେଥିରୁ ଧ୍ୟାନ ହଟାଇବା ଲାଗି ଏଭଳି ପ୍ରସଙ୍ଗ ଉଠାଯାଇଛି । ସୂଚନାଯୋଗ୍ୟ ଯେ ଆଭେନଫିଲ୍ଡ ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ଏକ ଆକାଉଣ୍ଟବିଲିଟି କୋର୍ଟ ୨୦୧୮ ଜୁଲାଇ ୬ରେ ସରିଫଙ୍କୁ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ କୋର୍ଟ ସରିଫଙ୍କ ଉପରେ ୭୩ କୋଟି ଓ ମରିୟମଙ୍କୁ ୧୮ କୋଟି ଟଙ୍କାର ଜରିମାନା କରିଥିଲେ । ଏମାନଙ୍କ ବ୍ୟତୀତ ଉକ୍ତ ମାମଲାରେ ସରିଫଙ୍କ ଜ୍ୱାଇଁ ତଥା ସେବାନିବୃତ୍ତ ସେନା ଅଧିକାରୀ କ୍ୟାପଟେନ ସଫଦର ଅୱାନଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ୍ଦଣ୍ଡ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons