ଝିଙ୍କ ମାରିବା କାଳ ହେଲା: ଗୁମ୍ଫାରେ ଶ୍ୱାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ଝିଙ୍କ ଶିକାର କାଳ ହେଲା । ଗୁମ୍ଫାରେ ଝିଙ୍କ ଧରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମାଲକାନଗିରି ଥାନା ସେରପାଲି ଗାଁର ରାମଚନ୍ଦ୍ର ମାଢି (୨୮) ଓ ଗୁରୁତର ହେଲେ ସେହି ଗାଁର ସିଙ୍ଗା ମାଢି(୩୦) । ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ସୂଚନା ଦେଇଛନ୍ତି ।
ମାଲକାନଗିରି ଥାନା ଝରାପାଲି ଗାଁର ୫ଜଣ ଯୁବକ ଶନିବାର ସନ୍ଧ୍ୟାରେ ତେଲିମେଟା ଜଙ୍ଗଲକୁ ଝିଙ୍କ ଶିକାର କରିବାକୁ ଯାଇଥିଲେ । ଏକ ପାହଡ଼ର ଗୁମ୍ଫା ଭିତରେ ଝିଙ୍କ ଥିବା ଜାଣି ସେମାନେ ଗୁମ୍ଫା ଭିତରକୁ ଧୁଆଁ ଛାଡି ବାହାରେ ଜଗି ରହିଥିଲେ । ରାତି ହେବା ପରେ ମଧ୍ୟ ଗୁମ୍ଫାରୁ ଝିଙ୍କ ପଦାକୁ ଆସି ନଥଲା । ତେଣୁ ଗୁମ୍ଫା ଭିତରକୁ ରାମଚନ୍ଦ୍ର ଓ ସିଙ୍ଗା ପଶି ଝିଙ୍କ ଖୋଜିଥିଲେ । ରାତି ୧୧ଟା ପରେ ମଧ୍ୟ ଦୁଇଜଣ ଗୁମ୍ଫା ଭିତରୁ ନବାହାରିବାରୁ ସାଥିରେ ଥିବା ଅନ୍ୟମାନେ ଗୁମ୍ଫା ଭିତରକୁ ଯାଇ ଖୋଜିଥିଲେ । ସେଠାରେ ଶ୍ୱାସରୁଦ୍ଧ ହୋଇ ରାମଚନ୍ଦ୍ର ମରି ପଡ଼ିିଥିବା ବେଳେ ସିଙ୍ଗା ଅଚେତ ହୋଇ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଗାଁର ଅନ୍ୟମାନଙ୍କୁ ଡାକି ଦୁଇଜଣଙ୍କୁ ଗୁମ୍ଫାମଧ୍ୟରୁ ଉଦ୍ଧାର କରି ବାହରକୁ ଆଣିଥିଲେ । ରାମଚନ୍ଦ୍ରଙ୍କ ମୃତ ଶରୀରକୁ ଘରକୁ ନେଇ ଯାଇଥିଲେ । ଶ୍ୱାସରୁଦ୍ଧ ହୋଇ ଗୁରୁତର ଥିବା ସିଙ୍ଗାଙ୍କୁ ମାଲକାନଗିରି ସଦର ମେଡିକାଲରେ ଭର୍ତ୍ତି କରିଥିଲେ । ଆଜି ସକାଳେ ଘଟଣା ଜଣାପଡିବା ପରେ ସେରପାଲି ଗାଁରେ ଶୋକର ଛାୟା ଖେଳିଯାଇଛି । ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର ହୋଇଗଲା ବୋଲି ଚର୍ଚ୍ଚା ହେଉଛି । ଏସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଜାଣିବା ପରେ ଘଟଣାସ୍ଥଳକୁ ରେଞ୍ଜ ଅଫିସର ବାସୁଦେବ ନାୟକ ଓ କେତେକ କର୍ମଚାରୀଙ୍କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଜଙ୍ଗଲକୁ ଯାଇଥିବା ଯୁବକ କୌଣସି ବନ୍ୟପ୍ରାଣୀ ଦ୍ୱାରା ମୃତାହତ ହୋଇଥିଲେ ବନବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଡିଏଫ୍ଓ ଶ୍ରୀ ମିରସେ କହିଛନ୍ତି । ଅପରପକ୍ଷେ ତଦନ୍ତରେ ଯାଇଥିବା ରେଞ୍ଜର ଶ୍ରୀ ନାୟକଙ୍କୁ ମୃତକଙ୍କ ପରିବାର ଓ ଗ୍ରାମବାସୀ କହିଛନ୍ତି ଗାଁର କେହି ଶିକାର କରିବାକୁ ଯାଇ ନଥିଲେ । ରାମଚନ୍ଦ୍ରଙ୍କ ଗାଈ ଦୁଇଦିନ ହେଲା ହଜି ଯାଇଥିଲା । ଗାଈକୁ ଖୋଜିବାକୁ ରାମ ଓ ଅନ୍ୟମାନେ ପାହଡ଼କୁ ଯାଇଥିବାବେଳେ ପଥରରେ ଗୋଡ ଖସି ତଳେ ପଡ଼ିି ତାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ଗ୍ରାମବାସୀଙ୍କ ବୟାନର ସତ୍ୟାସତ୍ୟର ଅନୁସନ୍ଧାନ ଚାଲିଛି ବୋଲି ବନବିଭାଗ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons