ଟଙ୍କା ପାଇଁ ଅପହରଣ ନାଟକ ରଚିଲା ପୁଅ : ବାପାଙ୍କୁ ମାଡ଼ମାରି ଟଙ୍କା ଲୁଟିଲା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ବାପାଙ୍କ ଠାରୁ ଟଙ୍କା ଲୁଟିବାକୁ ପୁଅ ରଚିଲା ଅପହରଣ ଷଡ଼ଯନ୍ତ୍ର । ପୁରା ଫିଲ୍ମ ଷ୍ଟାଇଲ୍ରେ ନିଜେ ନିଜକୁ ଅପହରଣ କଲା । ତାହା ପୁଣି ୩ ସହଯୋଗୀଙ୍କ ସହାୟତାରେ । ଖାଲି ମିଛରେ ଅପହରଣ ହେଲାନି, ସହଯୋଗୀଙ୍କ ଦ୍ୱାରା ବାପାଙ୍କୁ ମାଡ଼ ବି ଖୁଆଇଲା । ନିସ୍ତୁକ ମାଡ଼ ମାରି ୨୫ ହଜାର ଟଙ୍କା ଧରି ଛୁ’ ମାରିଥିଲା । ହେଲେ ଚଞ୍ଚକତା କରି ବାପାଙ୍କୁ ଲୁଟିବାରେ ପୁଅ ସଫଳ ହେଲାନି । ପୁଅର ସବୁ ନାଟକବାଜୀ ବାପାଙ୍କ ପାଖରେ ଧରା ପଡ଼ିଗଲା । ସୋମବାର ଅନୁଗୁଳ ସହରରେ ଘଟିଥିବା ଏଭଳି ଏକ ଫିଲ୍ମ ଷ୍ଟାଇଲ୍ ଲୁଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ବାପାଙ୍କ ଅଭିଯୋଗ ପରେ ପୁଅ ଓ ତାର ୩ ସହଯୋଗୀଙ୍କୁ ପୁଲିସ୍ ବାନ୍ଧିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ସୋମବାର ଦିନ ଶିମିଳିପଡ଼ାର ରହୁଥିବା ପଞ୍ଚାନନ ଘୋଷ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଗୌରବ ଘୋଷ(୨୦)ନାମରେ ଏହି ଅଭିଯୋଗ ଆଣିଥିଲେ । ଗୌରବଙ୍କ ପାଖକୁ ରବିବାର ଦିନବେଳା ତାଳଚେରର ପପୁ ନାମକ ଜଣେ ଯୁବକଙ୍କ ଠାରୁ ଫୋନ୍ ଆସିଥିଲା । ବକେୟା ୪୦ ହଜାର ଟଙ୍କା ସୁଝିବାକୁ ପପୁ ଫୋନ୍ରେ ଗୌରବଙ୍କୁ କହିଥିଲେ । ଫୋନ୍ ପାଇବା ପରେ ଗୌରବ ୪୦ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରି ନଥିଲେ । ଗୌରବ ନଫେରିବାକୁ ନେଇ ଘରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ । ସନ୍ଧ୍ୟାରେ ପଞ୍ଚାନନ ଏକ ଫୋନ୍ କଲ ପାଇଥିଲେ । ଶକ୍ତି ନାମକ ଜଣେ ଯୁବକ ତାଙ୍କୁ ଫୋନ୍ରେ ଧମକ ଦେବା ସହିତ ୨୫ ହଜାର ଟଙ୍କା ନଦେଲେ ପୁଅ ଆଉ ଫେରିବନି ବୋଲି ଚେତାବନୀ ଦେଇଥିଲେ । ନିଜ ପୁଅ ଜୀବନ ପ୍ରତି ବିପଦ ଅଛି ଭାବି ପଞ୍ଚାନନ ଫୋନ୍ କଲ୍ ମୁତାବକ ରାତି ୮ଟାରେ ଟଙ୍କା ଧରି ପିଟିସି ହାଇସ୍କୁଲ ଛକରେ ପହଞ୍ଚିଥିଲେ । ପଞ୍ଚାନନ ଛକରେ ପହଞ୍ଚିବା କ୍ଷଣି ପୂର୍ବରୁ ଚାହିଁ ବସିଥିବା ୪ ଯୁବକ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲେ । ତାଙ୍କୁ ମାଡ ମାରି ୨୫ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ । ତେବେ ଅପହରଣ ଠାରୁ ଆରମ୍ଭ କରି ଦୁର୍ବୃତ୍ତଙ୍କ ଆକ୍ରମଣ ପର୍ଯ୍ୟନ୍ତ ଏସବୁ ଗୌରବର ଚାଲ୍ ବୋଲି ପଞ୍ଚାନନ ସନେ୍ଦହ କରିଥିଲେ । ପୁଅର ଏସବୁ କାରସାଦି ବୋଲି ନିଶ୍ଚିତ ହେବା ପରେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି ଛାନଭିନ୍ ଆରମ୍ଭ କରି ଗୌରବ ସହ ତା’ର ୩ ସହଯୋଗୀଙ୍କୁ ଗିରଫ କରିଥିଲା । ଅନ୍ୟ ୩ ଗିରଫ ଅଭିଯୁକ୍ତ ହେଲେ ଅମଲାପଡ଼ାର ବିନୋଦ ବେହେରା(୨୬), ଲିଙ୍ଗରାଯୋଡିର ଶକ୍ତି ପ୍ରସାଦ ମହାନ୍ତି(୨୩) ଓ କୋଲିୟରୀ ଥାନା ଅନ୍ତର୍ଗତ ଡେରାର ପପୁନ କୁମାର ସାହୁ(୨୦) । ଅପହରଣ ନାଟକର ମାଷ୍ଟରମାଇଣ୍ଡ ଗୌରବ ସହ ଏହି ୩ ସହଯୋଗୀଙ୍କୁ ପୁଲିସ୍ ସୋମବାର ରାତିରେ କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons