ଟାଭେରାକୁ ପିଟିଲା ହାଇୱା: ୩ ମୃତ

Get real time updates directly on you device, subscribe now.

ବାଲିଅନ୍ତା,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ମାଟିଆପଡ଼ା ଅଞ୍ଚଳର ଦୁଇଟି ପରିବାରର ମୋଟ୍ ୧୨ ଜଣ ସଦସ୍ୟ କେଉଁଝର ଘଟଗାଁ ମା’ ତାରିଣୀ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ମା’ଙ୍କ ଦର୍ଶନ ସାରି ସନ୍ଧ୍ୟାରେ ପୁରୀ ଅଭିମୁଖେ ଫେରୁଥିଲେ । ଆଉ ମାତ୍ର ୧ଘଣ୍ଟା ପରେ ସେମାନେ ଘରେ ପହଞ୍ଚି ଥାନ୍ତେ । ମାତ୍ର ରାତି ୨ଟା ୩୦ରେ ଘଟିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଜଣେ ଶିଶୁ ସମେତ ୩ ଜଣଙ୍କ ଜୀବନ ଦୀପ ଲିଭିଗଲା । ମୃତକମାନେ ହେଲେ ଅବିନାଶ ପ୍ରଧାନ(୩୮) ବଳରାମ ସାହୁ(୩୨) ଓ ଅଂଶୁମାନ୍ ପ୍ରଧାନ(୪) । ବଳରାମ ଓ ଅବିନାଶ ସମ୍ପର୍କରେ ଦୁଇ ସଡ଼ୁ ବୋଲି ଜଣାପଡିଛି । ଏହି ଘଟଣାରେ ଆଉ ୯ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁସାରେ ଉକ୍ତ ଦୁଇ ପରିବାର ଏକ ଟାଭେରା( ଓଡି ୧୩ ସି-୯୨୭୫) ରେ ଘଟଗାଁରୁ ଫେରୁଥିଲେ । ରାତି ୨ଟା ୩୦ ମିନିଟ୍ରେ ବାଲିଅନ୍ତା ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାହାଳ ଫାଣ୍ଡି ଅନ୍ତର୍ଗତ ରୁଦ୍ରପୁର ନିକଟରେ ଏକ ହାଇୱା ଦ୍ରୁତ ଗତିରେ ଆସି ଟାଭେରାର ବାମ ପଟେ ଧକ୍କା ଦେଇଥିଲା । ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିର ହୁଡ୍ ସମେତ ଗ୍ଲାସ୍ ଓ ବଡି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିଲା । ଘଟଣାସ୍ଥଳରେ ଅବିନାଶ ଓ ବଳରାମଙ୍କର ମୃତୁ୍ୟ ଘଟିଥିଲା । ମୃତ ଅବିନାଶଙ୍କ ପୁଅ ଅଂଶୁମାନଙ୍କର ଆଜି ସକାଳେ ମୃତୁ୍ୟ ଘଟିଛି । ଦୁର୍ଘଟଣା ଖବର ଜଣାପଡିବା ପରେ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହୋଇଥିଲେ । ପୁରୀରେ ଭୋରୁ ଭୋରୁ ଖବର ପହଞ୍ଚିବା ପରେ ପରିବାରରେ ଶୋକର ଛାୟ ଖେଳି ଯାଇଥିଲା । ମାଟିଆପଡ଼ାରୁ ମୃତକଙ୍କ ଆତ୍ମୀୟମାନେ ଭୁବନେଶ୍ୱରରେ ପହଞ୍ଚିଥିଲେ । କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଥିବା ଆହତଙ୍କ ପାଖରେ ପ୍ରବଳ ଭିଡ଼ ଲାଗିରହିଥିଲା । ମୃତକ ଅବିନାଶ ପ୍ରଧାନ ବାଳକାଟିରେ ଥିବା ବିଦୁ୍ୟତ କାର୍ଯ୍ୟାଳୟର ଜଣେ ନିୟମିତ କର୍ମଚାରୀ ବୋଲି ସୂଚନା ମିଳିଛି । ପୁଲିସ ଉପସ୍ଥିତିରେ ସୋମବାର ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟାଭେରାକୁ ଥାନାକୁ ଆଣିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons