ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଂକଟ ସମୟରେ ମଧ୍ୟ ଭାରତ ତା’ର ମୂଳନୀତିରୁ ବିଚୁ୍ୟତ ହୋଇନାହିଁ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୫୦ରୁ ଅଧିକ ରାଷ୍ଟ୍ରକୁ ଔଷଧ ଓ ଚିକିତ୍ସା ସହାୟତା ଯୋଗାଇ ଦେଇଛି । ମାନବତାକୁ ସର୍ବାଧିକ ଗୁରୁତ୍ୱ ଦେଇଛି । ଦେଶ ଆଜି ସ୍ୱଦେଶୀ କରୋନା ଟିକା ତିଆରି କରିବା ଭାରତର ଟିକା ପ୍ରତି ବିଶ୍ୱର ଆସ୍ଥା ବଢ଼ିଛି । ମାନବ ସ୍ୱାର୍ଥ ପାଇଁ ଭାରତର ଏହି ଟିକା ଓ ଉପôାଦନ ସାମର୍ଥ୍ୟ ଯଥେଷ୍ଟ କାମରେ ଆସିବ । ଶନିବାର ଦେଶବ୍ୟାପୀ ମେଗା କରୋନା ଟିକାକରଣ ଅଭିଯାନ ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି ।
ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ମାସ ଧରି ଲୋକଙ୍କ ମନରେ ଗୋଟିଏ ଚିନ୍ତା ଘାରୁଥିଲା, ଟିକା କେବେ ଆସିବ ଓ କରୋନା କେବେ ଯିବ । ଏବେ ସେ ସମୟ ଆସିଯାଇଛି । କରୋନାକୁ ହରାଇବା ଏବଂ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଗବେଷକମାନେ ଧନ୍ୟବାଦର ହକ୍ଦାର । ସେମାନେ କୌଣସି ପର୍ବ ପାଳନ କରିନାହାନ୍ତି, ଦିନ କି ରାତି ଦେଖିନାହାନ୍ତି । ଏତେ କମ୍ ସମୟ ମଧ୍ୟରେ ସେମାନେ ଦୁଇଟି ଟିକା ପ୍ରସ୍ତୁତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି ‘ମାନବ୍ ଜବ୍ ଜୋର୍ ଲଗାତା ହୈ, ପଥର ପାନି ବନ୍ ଜାତା ହୈ’ (କବି ରାମଧାରୀ ସିଂହ ଦିନକରଙ୍କ ଉକ୍ତି) ବୋଲି କହିଥିଲେ ।
ଟିକାକରଣ ଅଭିଯାନର ପ୍ରଥମ ଦିନରେ ୧,୯୧,୧୮୧ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ମିଳିଛି ସଞ୍ଜୀବନୀ ଡୋଜ୍ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩,୩୫୧ଟି କେନ୍ଦ୍ରରେ ଏକସମୟରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ୮୪ଧ ଟିକାକରଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ କରୋନା ଟିକାର ଡୋଜ୍ ଦିଆଯାଇଛି । ଜଣେ ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ ହୋଇଛି ଅଭିଯାନ ।
ପ୍ରଥମ ଦିନରେ ଡୋଜ୍ ନେଇଥିବା ହିତାଧିକାରୀଙ୍କଠାରେ କୌଣସି ପାଶ୍ୱର୍ପ୍ରତିକି୍ରୟା ଦେଖିବାକୁ ମିଳିନାହିଁ । ତେଣୁ ଟିକାଦ୍ୱୟ ସୁରକ୍ଷିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି । ମୋଟ ୧୬,୭୫୫ କର୍ମଚାରୀ ସାମିଲ ହୋଇ ଅଭିଯାନର ଆୟୋଜନ କରିଛନ୍ତି । ଦେଶବ୍ୟାପୀ ଅଭିଯାନର ତଦାରଖ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ।
ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯାହା ପ୍ରତି କରୋନା ଭୂତାଣୁ ସଂକ୍ରମଣ ବିପଦ ଅଧିକ ରହିଛି ସେମାନଙ୍କୁ ଟିକା ପ୍ରଥମେ ଲଗାଯିବ । ଏହାପରେ ଯେଉଁମାନଙ୍କ ଉପରେ ଦେଶର ସୁରକ୍ଷା ବା ଆଇନ ବ୍ୟବସ୍ଥା ଦାୟିତ୍ୱ ରହିଛି, ସେମାନଙ୍କୁ ଡୋଜ୍ ମିଳିବ । ଏମାନଙ୍କର ମୋଟ ସଂଖ୍ୟା ପାଖାପାଖି ୩ କୋଟି ହେବ । ଏମାନଙ୍କର ଟିକାକରଣ ଖର୍ଚ୍ଚ ଭାରତ ସରକାର ବହନ କରିବେ ।
ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ କେବେ ଦିଆଯିବ, ସେ ନେଇ ହିତାଧିକାରୀଙ୍କୁ ଫୋନ୍ରେ ଜଣାଇ ଦିଆଯିବ । ଟିକାର ଦୁଇଟିଯାକ ଡୋଜ୍ ନେବା ଅତ୍ୟନ୍ତ ଜରୁରି । ଦ୍ୱିତୀୟ ଡୋଜ୍ ନେବାକୁ ଭୁଲିଯିବା ଉଚିତ ନୁହେଁ । ତା’ଛଡ଼ା ଟିକା ନେବା ପରେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ହେବ । ଟିକା ଲଗାଇବା ଅର୍ଥ ନୁହେଁ ଯେ ଆପଣମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଉପାୟଗୁଡ଼ିକୁ ଅଣଦେଖା କରିବେ । ଆମକୁ ଏବେ ନୂଆ ଶପଥ ନେବାକୁ ହେବ । ତାହା ହେଉଛି ‘ଦୱାଇ ଭି, କଡ଼ାଇ ଭି (ଔଷଧ ସହିତ କଟକଣା ବି)’ ।
ଭାରତର କରୋନା ଲଢେ଼ଇ ବାବଦରେ ସୂଚନା ଦେଇ ମୋଦି କହିଛନ୍ତି, ଅନେକ କ୍ଷେତ୍ରରେ ଆମେ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛୁ । କରୋନା ସଂକଟରେ ଅନେକ ରାଷ୍ଟ୍ର (ବିଶେଷକରି ପାକିସ୍ତାନ) ସେମାନଙ୍କ ନାଗରିକଙ୍କୁ ବିପଦ ମଧ୍ୟରେ ଛାଡ଼ିଦେଇଥିଲେ । ବିଶେଷକରି ଚୀନ୍ରେ ଫସିଥିବା ନାଗରିକଙ୍କୁ ସେମାନେ ଫେରାଇନେବାକୁ କୁଣ୍ଠାବୋଧ କରିଥିଲେ । କିନ୍ତୁ ଭାରତ ସେଭଳି କରି ନ ଥିଲା । ‘ବନେ୍ଦ ଭାରତ ମିଶନ’ରେ କେବଳ ଭାରତୀୟଙ୍କୁ ନୁହେଁ, ଅନ୍ୟ ବିଦେଶୀ ନାଗରିକଙ୍କୁ ବି ଉଦ୍ଧାର କରିଥିଲା ଭାରତ ।
ଦେଶବାସୀଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି କରୋନା କାଳରେ ଦେଶବାସୀ ସହିଥିବା କଷ୍ଟକୁ ମନେପକାଇ ଭାବପ୍ରବଣ ହୋଇପଡ଼ିଥିଲେ । ସେ କହିଥିଲେ, କରୋନା ସଂକଟରେ ଆମକୁ ଅନେକ ଲୋକ ଛାଡ଼ି ଚାଲିଗଲେ । କିନ୍ତୁ ସେମାନଙ୍କୁ ସେଭଳି ଅନ୍ତିମ ବିଦାୟ ମିଳି ପାରିଲା ନାହିଁ, ଯାହା ପାଇଁ ସେମାନେ ହକ୍ଦାର ଥିଲେ । ସଂକଟର ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କ ପାଇଁ କିଛି ଲୋକ ଆଶାର କିରଣ ସୃଷ୍ଟି କରିଥିଲେ । ଆମ୍ଭମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ସଂକଟ ମଧ୍ୟକୁ ଠେଲିଦେଇଥିଲେ । ଏମାନଙ୍କ ମଧ୍ୟରେ ଏମିତି ହଜାର ହଜାର ସାଥୀ ଥିଲେ, ଯେଉଁମାନେ ହସ୍ପିଟାଲରୁ ଆଉ ଘରକୁ ଫେରିପାରିଲେ ନାହିଁ । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପୁଲିସ, ଆଶାକର୍ମୀ, ସଫେଇ କର୍ମଚାରୀ ସଂକଟ ବାତାବରଣରେ ନିଜ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଛନ୍ତି । ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ’ ଶ୍ଳୋକରୁ ପ୍ରଧାନମନ୍ତ୍ରୀ ନିଜ ଉଦ୍ବୋଧନ ଆରମ୍ଭ କରିଥିଲେ ।
ମୋଦି କହିଛନ୍ତି, ସ୍ୱାସ୍ଥ୍ୟ କର୍ମୀମାନେ ଗୋଟିଏ ଗୋଟିଏ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ । ତେଣୁ କରୋନାର ପ୍ରଥମ ଟିକା ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲୋକଙ୍କ ନାମରେ ଲେଖି ସମାଜ ନିଜ ଋଣ ପରିଶୋଧ କରୁଛି । କୃତଜ୍ଞ ରାଷ୍ଟ୍ର ପକ୍ଷରୁ ସେମାନଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି ।
ମାନବ ଇତିହାସରେ ଅନେକ ବିପତ୍ତି ଆସିଛି, ଯୁଦ୍ଧ ହୋଇଛି । କିନ୍ତୁ କରୋନା ଏଭଳି ଏକ ମହାମାରୀ ଥିଲା, ଯାହାର ଅନୁଭୂତି ନା ବିଜ୍ଞାନକୁ ଥିଲା ନା ମଣିଷ ସମାଜକୁ । କରୋନାକୁ ଯେଉଁ ଖବରମାନ ଆସୁଥିଲା, ତାହା ପୂରା ବିଶ୍ୱ ସହିତ ପ୍ରତ୍ୟେକ ଭାରତୀୟକୁ ବିଚଳିତ କରିପକାଉଥିଲା । ଏଭଳି ପରିସ୍ଥିତିରେ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞ ଭାରତକୁ ନେଇ ସାଂଘାତିକ ଆଶଙ୍କା ପ୍ରକାଶ କରୁଥିଲେ । ଭାରତର ବିଶାଳ ଜନସଂଖ୍ୟାକୁ ଦୁର୍ବଳ ବୋଲି ବିବେଚନା କରିଥିଲେ । କିନ୍ତୁ ଆମେ ତାହାକୁ ନିଜ ଶକ୍ତିରେ ପରିଣତ କଲୁ ।
ଜାନୁଆରୀ ୩୦ରେ ଭାରତରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଏହାର ଦୁଇ ସପ୍ତାହ ପୂର୍ବରୁ ଭାରତ ଉଚ୍ଚସ୍ତରୀୟ କମିଟି ଗଠନ କରିସାରିଥିଲା । ୨୦୨୦ ଜାନୁଆରୀ ୧୭ରେ ଆମେ ପ୍ରଥମ ଆଡଭାଇଜରି ଜାରି କଲୁ । ଭାରତ କିଛି ପ୍ରଥମ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇଥିଲା, ଯେଉଁମାନେ ବିମାନବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଙ୍ଗ ଆରମ୍ଭ କରିଥିଲେ । କରୋନା ବିରୋଧୀ ଯୁଦ୍ଧରେ ଭାରତ ଯେଉଁପ୍ରକାର ସାମୂହିକ ଶକ୍ତିର ପ୍ରଦର୍ଶନ କଲା, ତାହାକୁ ଆଗାମୀ ପିଢ଼ି ମନେ ରଖିବେ ।
କରୋନା ସଂକଟ ମଧ୍ୟରେ ଆମେ ତାଳି-ଥାଳି ବା ଘଣ୍ଟ ବଜାଇ ଏବଂ ଦୀପ ପ୍ରଜ୍ୱଳନ କରି ଦେଶର ଆତ୍ମବିଶ୍ୱାସକୁ ଉଜ୍ଜୀବିତ କରିଥିଲୁ । ଜନତା କର୍ଫୁ୍ୟ ମନୋବଳ ବଢ଼ାଇବାରେ ସହାୟକ ହୋଇଥିଲା । କରୋନାକୁ ରୋକିବା ପାଇଁ ଆଉ ଏକ ସବୁଠୁ ପ୍ରଭାବୀ ଉପାୟ ଥିଲା । ତାହା ହେଉଛି ଯିଏ ଯେଉଁଠି ଥିଲା, ସେଇଠାରେ ରହିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏତେସଂଖ୍ୟକ ଲୋକଙ୍କୁ ଘରେ ବନ୍ଦ କରି ରଖିବା ସହଜ ନ ଥିଲା । ଦେଶର ବିଶାଳ ଅର୍ଥ ବ୍ୟବସ୍ଥା ଉପରେ କି ପ୍ରଭାବ ପଡ଼ିବ, ସେ ଚିନ୍ତା ବି ଘାରିଥିଲା । କିନ୍ତୁ ଏହାଠାରୁ ଆମେ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ପ୍ରଦାନ କରିଥିଲୁ ।
କରୋନା ସଂକ୍ରମଣ ଲୋକଙ୍କୁ ନିଜ ଘରଠାରୁ ଦୂରରେ ରଖିଲା । ମାଆମାନେ ସେମାନଙ୍କ ସନ୍ତାନଙ୍କ ପାଇଁ କାନ୍ଦୁଥିଲେ । କିନ୍ତୁ ସେମାନେ ପିଲାମାନଙ୍କ ପାଖକୁ ଯାଇପାରି ନ ଥିଲେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଜ ପରିବାରର ବରିÂ ସଦସ୍ୟଙ୍କୁ ଦେଖିବା ପାଇଁ ଲୋକେ ଯାଇପାରିଲେ ନାହିଁ । ଆମର ଅନେକ ସାଥୀ ଏହି ବ୍ୟାଧି କବଳରେ ପଡ଼ି ଆମଠାରୁ ବହୁ ଦୂରକୁ ଚାଲିଗଲେ । ଏହି ଲୋକମାନଙ୍କର ଅନ୍ତିମ ସଂସ୍କାର ବି କରାଯାଇ ପାରିଲା ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଟିକା, ଏହାର ଉତ୍ପାଦନ କ୍ଷମତା ସମଗ୍ର ମାନବଜାତିର ହିତ ପାଇଁ କାମରେ ଆସିଛି । ଏହା ହେଉଛି ଆମର ପ୍ରତିବଦ୍ଧତା । ଆଜି ଆରମ୍ଭ ହୋଇଥିବା ଏହି କୋଭିଡ ଟିକାକରଣ ଅଭିଯାନ ବେଶ୍ ଲମ୍ୱା ଅବଧି ଧରି ଚାଲିବ । ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ବଞ୍ଚାଇବାରେ ଯୋଗଦାନ ଦେବାକୁ ଆମକୁ ସୁଯୋଗ ମିଳିଛି । ତଥାପି ଟିକାକରଣ ବେଳେ ଏବଂ ପରେ ମଧ୍ୟ ମାସ୍କ, ଶାରୀରିକ ଦୂରତା ଏବଂ ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଜରୁରି ।
ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ଆଜି ମୁଁ ଅତ୍ୟନ୍ତ ଖୁସି ଓ ସନ୍ତୋଷ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ କୋଭିଡ୍-୧୯ ବିରୋଧରେ ଲଢେ଼ଇ ଜାରି ରଖିଛୁ । ଏହି ଟିକା କୋଭିଡ୍ ସଂକ୍ରମଣ ବିରୋଧରେ ସଞ୍ଜୀବନୀ ଭଳି କାମ ଦେବ । କୋଭିଡ୍ ବିରୋଧରେ ଏହା ବିଶ୍ୱରେ ସମ୍ଭବତଃ ସବୁଠୁ ବଡ଼ ଟିକାକରଣ ଅଭିଯାନ । ଏଭଳି ଘଟଣାରେ ଯଥୋଚିତ ପଦକ୍ଷେପ ନେବାରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି । ଆମେ ପୋଲିଓ ଓ ବସନ୍ତ ଭଳି ବ୍ୟାଧିକୁ ମୂଳୋପôାଟନ କରିପାରିଛୁ ।
Comments are closed, but trackbacks and pingbacks are open.