କାମାକ୍ଷାନଗର: ଟିକା ନେଇ ଅଢେ଼ଇ ମାସର ଏକ ଶିଶୁକନ୍ୟାର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଖଜୁରିଆ ଗ୍ରାମରେ ଘଟିଥିବା ଏହି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଚିନ୍ତା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଥାନା ବିରାଶାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଖଜୁରିଆ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରଠାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟାରେ ଶିଶୁମାନଙ୍କ ଟିକାକରଣ କରାଯାଇଥିଲା । ସେଠାରେ ଗ୍ରାମର ମହେଶ୍ୱର ଦାସଙ୍କ ଅଢେ଼ଇ ମାସର ଶିଶୁକନ୍ୟାକୁ ପୋଲିଓ ସହ ରୋଟାଭାଇରସ୍, ପେଣ୍ଟାଭାଲେଣ୍ଟ୍ ଓ ନୂତନ ଭାବେ ଆସିଥିବା ପିସିଭିର ପ୍ରଥମ ଡୋଜ୍ ଟିକା ଦିଆଯାଇଥିଲା । ଏଏନ୍ଏମ୍ ପ୍ରବାସିନୀ ଦେଇ ଟିକାକରଣ କରିଥିଲେ । ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡ଼ିଥିଲା । ସନ୍ଧ୍ୟାରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏ ସମ୍ପର୍କରେ ପରିବାର ଲୋକେ ଆଶାକର୍ମୀଙ୍କୁ ଜଣାଇବା ପରେ ଗୁରୁତର ଶିଶୁକନ୍ୟାକୁ ରାତିରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଟିକା ନେବା ପରେ ଶିଶୁକନ୍ୟାର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା.ରତ୍ନାକର ସାମଲଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଟିକା ନେଇ ଶିଶୁର ମୃତୁ୍ୟ ହେବା ଅଭିଯୋଗ ଆସିଛି । କିନ୍ତୁ ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଡା.ସାମଲ କହିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.