
କୁନ୍ଦୁରା,(ବି.ବି.ନୁ୍ୟଜ): କରୋନା ଟିକା ଗ୍ରହଣ ପାଇଁ ବୟସ୍କ ବ୍ୟକ୍ତିମାନେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଟିକା ଗ୍ରହଣ କରିବା ବୟସ୍କ ଲୋକଙ୍କ ପାଇଁ ସମସ୍ୟା ହେଉଛି । ଏଭଳି ଅଭିଯୋଗ କରିଛନ୍ତି କୁନ୍ଦୁରା ବ୍ଲକବାସୀ । ୧୬ଟି ପଞ୍ଚାୟତ ପାଇଁ ଏଠାରେ ମାତ୍ର ୫ଟି କେନ୍ଦ୍ର ରହିଛି । ଗୋଟିଏ କେନ୍ଦ୍ରରେ ୩ଟି ଗାଁର ଲୋକମାନେ ଟିକା ନେବାକୁ ଆସୁଛନ୍ତି । କେହି ୫କିମି ଦୂରରୁ ତ ଆଉ କିଏ ୮କିମି ଦୂରରୁ ବହୁ କଷ୍ଟରେ ଅଟୋରେ ଆସୁଛନ୍ତି । ଟାଣ ଖରା ସାଙ୍ଗକୁ ଟିକା ନେବା ପରେ ମୁଣ୍ଡବୁଲା, ଦୁର୍ବଳ ଲାଗିବା, ଜ୍ୱର ହେବା ଯୋଗୁ ବୃଦ୍ଧବୃଦ୍ଧାମାନେ ବହୁତ ସମସ୍ୟା ଭୋଗୁଛନ୍ତି । ଅନ୍ୟପକ୍ଷେ ଟିକାକରଣ କେନ୍ଦ୍ରରେ ବୟସ୍କଙ୍କ ପାଇଁ ବିଶ୍ରମଗୃହ ବ୍ୟବସ୍ଥା କରାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ବିପିଏମ୍ ଅମ୍ବୁଜିନୀ ବାରିକଙ୍କୁ ପଚାରିବାରେ ସରକାରଙ୍କ ତରଫରୁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଆରମ୍ଭରୁ ୩ରୁ ୪ଟି କାର୍ଯ୍ୟକ୍ରମରେ ଟେଣ୍ଟ ଲଗାଯାଇଥିଲା । କିନ୍ତୁ ଫଣ୍ଡ ଅସୁବିଧା ଥିବାରୁ ଆଉ ଟେଣ୍ଟ ଅଣାଯାଇ ନଥିବା ସେ କହିଛନ୍ତି । ଏସମ୍ପର୍କରେ ସିଡିଏମଓଙ୍କୁ ପଚାରିବାରେ ଏଏନଏମ ଓ ଷ୍ଟାଫ୍ କମ ସଂଖ୍ୟକ ଥିବାରୁ ଜିଲ୍ଲାରେ ୫୬ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ନିୟମ ଅନୁସାରେ ଡାକ୍ତରଖାନା ଷ୍ଟାଫ୍ ଟିକା ଦେବେ ନାହିଁ । ବେସରକାରୀ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ଅଧିକ ସ୍ଥାନରେ ଟିକାକରଣ ପାଇଁ ସମ୍ଭବ ହୋଇପାରୁନି । ଜିଲ୍ଲାପାଳ ଯଦି କିଛି ଫଣ୍ଡ ବ୍ୟବସ୍ଥା କରିବେ ତେବେ ଭଲ ହେବ ବୋଲି ସିଡିଏମଓ କହିଛନ୍ତି ।


Comments are closed, but trackbacks and pingbacks are open.