ଟିଟିଏଫ୍ଆଇ ସହ ଓଡ଼ିଶା ସରକାରଙ୍କ ଏମ୍ଓୟୁ:‘ଟେବୁଲ୍ ଟେନିସ୍କୁ ପ୍ରୋତ୍ସାହିତ କରିବ’

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): କଟକର ଜବହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆସନ୍ତା ୧୭ ତାରିଖରୁ ଆୟୋଜିତ ହେବାକୁ ଯାଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) ଚାମ୍ପିଅନସିପ୍ । ଏହି ପ୍ରତିଯୋଗିତା ପୂର୍ବରୁ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟିଟିଏଫ୍ଆଇ (ଭାରତୀୟ ଟିଟି ସଂଘ) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିଅନସିପ୍ ଆୟୋଜନ ନେଇ ଯେଉଁ ଏଓୟୁ ଆଜି ସ୍ୱାକ୍ଷରିତ ହେଲା, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଚୁକ୍ତି ଆମକୁ ରାଜ୍ୟରେ ଟେବୁଲ ଟେନିସର ପ୍ରଚାର ପ୍ରସାର ଦିଗରେ ପ୍ରୋତ୍ସାହିତ କରିବ । ଆମ ସରକାରଙ୍କ ସହ ଭାଗିଦାରୀ ହୋଇ ଏଭଳି ସମ୍ମାନଜନ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଭାରତୀୟ ଟିଟି ସଂଘ ଓ ରାଜ୍ୟ ଟିଟି ସଂଘଙ୍କୁ ଅଭିନନ୍ଦନ ଜଣାଉଛି । ଟିଟିରେ ଭାରତ ବେଶ ଭଲ ପ୍ରଦର୍ଶନ କରୁଛି । ପ୍ରତିଯୋଗିତା ଆୟୋଜନ ସଫଳ ହେଉ ଏବଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଦଳ ଗୁଡ଼ିକୁ ମୋର ଶୁଭେଚ୍ଛା ଜଣାଉଛି ।’
କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଏହି ଚାମ୍ପିଅନସିପ୍ରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେଉଛନ୍ତି । ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ଆମ ଦେଶର ଖେଳାଳିମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । କଟକରେ ମଧ୍ୟ ସେମାନେ ଉନ୍ନତ ପ୍ରଦର୍ଶନ କରିବେ । ଓଡ଼ିଶା ବିଭିନ୍ନ ଦଳ ଓ ଅଫିସିଆଲଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି ।’
ରାଜ୍ୟଗୋଷ୍ଠୀ ଟିଟି ୧୭ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗିତରେ ମୋଟ୍ ୧୪ଟି ରାଷ୍ଟ୍ରର ଖେଳାଳି ଯୋଗଦେବେ । ଏହି ଦଳ ମଧ୍ୟରେ ପାକିସ୍ତାନ ସାମିଲ ରହିଛି । ଦଳ ଗୁଡ଼ିକ ହେଉଛନ୍ତି ଆୟୋଜକ ଭାରତ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଓ ପାକିସ୍ତାନ ।
ପ୍ରତିଯୋଗିତାରେ ବିଭିନ୍ନ ଇଭେଣ୍ଟ ମଧ୍ୟରେ ଦଳଗତ ପୁରୁଷ, ଦଳଗତ ମହିଳା, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମିକ୍ସଡ ଡବଲ୍ସ ରହିଛି । ଏହି ସବୁ ଇଭେଣ୍ଟରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ପାକିସ୍ତାନ ଦଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର କୌଣସି ଅସୁବିଧା ନାହିଁ । କାରଣ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ଓ ହକି ବିଶ୍ୱକପ୍ରେ ପାକିସ୍ତାନ ଅଂଶ ଗ୍ରହଣ କରିଛି । ଏମିତିବି ଭାରତ ସରକାର ପାକ୍ ଖେଳାଳିଙ୍କୁ ଭାରତରେ ଆୟୋଜିତ ହେଉଥିବା ବିଭିନ୍ନ ଇଭେଣ୍ଟରେ ଭାଗ ନେବାକୁ ଭିସା ଅନୁମତି ଦେବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ମହାସଂଘକୁ ଲିଖିତ ଭାବେ ଜଣାଇଛନ୍ତି ।
ଆଜି ଏମଓୟୁ ସ୍ୱାକ୍ଷର ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ବିଶାଳ ଦେବ, ଟିଟିଏଫ୍ଆଇ ଉପସଭାପତି ଏସ୍ଏନ୍ ସୁଲତାନ, ଓଡ଼ିଶା ସଂଘର ସଭାପତି ଏଲ.ଏନ୍ ଗୁପ୍ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଓଡ଼ିଶାକୁ ପ୍ରଶଂସା
ଟିଟିଏଫ୍ଆଇର ପରାମର୍ଶଦାତା ଧନରାଜ ଚୌଧୁରୀ କହିଛନ୍ତି, ଓଡ଼ିଶା ଏବେ ବିଶ୍ୱ କ୍ରୀଡ଼ାମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉନ୍ନତ ଭିତ୍ତିଭୂମି ମଧ୍ୟ ଏଠାରେ ରହିଛି । ୬ ଦିନ ଧରି ରାଜ୍ୟଗୋଷ୍ଠୀ ଟିଟି ଆୟୋଜନ କରୁଥିବାରୁ ଓଡ଼ିଶା ସରକାରଙ୍କୁ ମୋର ଧନ୍ୟବାଦ । ମୋର ଆଶା ଅଂଶ ଗ୍ରହଣ କରୁଥିବା ବିଭିନ୍ନ ଦଳ ଓ ଦର୍ଶକ ଏଠାରୁ ଏକ ନୂଆ ଅନୁଭୂତି ନେଇ ଯିବ ।’
ପୂର୍ବରୁ କଟକରେ ଜାତୀୟ ଟିଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଫଳ ଆୟୋଜନ ପରେ ଟିଟିଏଫ୍ଆଇ ପୁଣି ଏଠାରେ ରାଜ୍ୟଗୋଷ୍ଠୀ ଟିଟି ଆୟୋଜନ କରିବା ନେଇ ମନ ବଳାଇଥିଲା । ରାଜ୍ୟ ସରକାରଙ୍କୁ ଏ ବିଷୟରେ ପ୍ରସ୍ତାବ ଦିଆଯାଇଥିଲା । ସରକାର ପ୍ରତିଯୋଗିତା ଆୟୋଜନ ସଂପର୍କରେ ସମ୍ମତି ପ୍ରଦାନ ପରେ କଟକ ଭେନ୍ୟୁ ଭାବେ ଘୋଷିତ ହୋଇଥିଲା ।
ଜ୍ଞ ଆମ ପିଲାଙ୍କୁ ଶିଖିବାକୁ ମିଳିବ
ଓଡ଼ିଶା ସଂଘର ସଭାପତି ଏଲ୍.ଏନ୍ ଗୁପ୍ତା କହିଛନ୍ତି, ଟିଟିରେ ଆମ ରାଜ୍ୟର ଜାତୀୟ ମାନ୍ୟତା ୧୦ । ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆମ ଘରୋଇ ଖେଳାଳିଙ୍କୁ ଉତ୍ସାହିତ କରିବ । ମ୍ୟାଚ୍ ଅତି ପାଖରୁ ଦେଖି ଆମ ପିଲା ବହୁତ କିଛି ଶିଖିବାକୁ ପାଇବେ । କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଯେଉଁଭଳି ଭୂମିକା ନେଉଛନ୍ତି ସେଥିପାଇଁ ଆମେ କୃତଜ୍ଞ ।’
ଜ୍ଞ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପ୍ରତିଯୋଗିତା ପାଇଁ କଟକ ଇନଡୋର ଷ୍ଟାଡିୟମର ନବକଳେବର ହୋଇଛି । ଏଥିସହିତ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ଥିବା ସଚିନ ତେନ୍ଦୁଲକର ଇନଡୋର ହଲ୍ର ପୁନଃରୁଦ୍ଧାର କରାଯାଇଛି । ଗତ ବାତ୍ୟାରେ ହଲର ବହୁ କ୍ଷୟକ୍ଷତି ହୋଇଥିଲା । ମଝିରେ ପ୍ରତିଯୋଗିତାକୁ ଆଉ ୨ ସପ୍ତାହରୁ କମ୍ ସମୟ ରହିଲା । ତେଣୁ ପ୍ରସ୍ତୁତି କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons