ପାତ୍ରପୁର, (ବି.ବି.ନୁ୍ୟଜ୍): ବାଲି ବୋଝେଇ ଟିପ୍ପର୍ ଚକା ତଳେ ଚାପି ହୋଇ ସାଇକେଲ ଆରୋହୀ ମୃତ । ମୃତକ ହେଉଛନ୍ତି ଖାରିଆଗୁଡ଼ା ପଞ୍ଚାୟତ ତାଳପଡ଼ା ଗ୍ରାମର ଭାଗବତ ଚଣ୍ଡ (୫୪) । ଜରଡା ଥାନା ଖାରିଆଗୁଡା ଗ୍ରାମ ଠାରେ ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଟାୟାର୍ ଜାଳି ରାସ୍ତା ବନ୍ଦ କରିଦେବାରୁ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ପୂର୍ବାହ୍ଣରେ ଭାଗବତ ସାଇକେଲ ଯୋଗେ ଚୌଧୁରୀ ଟିକରପଡା ଯାଉଥିବା ବେଳେ ଖାରିଆଗୁଡ଼ା ଗ୍ରାମ ବିଜିପୁର ଛକ ନିକଟରେ ବାଲି ବୋଝେଇ ଟିପ୍ପର୍ ତାଙ୍କୁ ଧକ୍କା ଦେଇଥିଲା । ସେ ଚକା ତଳେ ପଡିଯିବାରୁ ମୁଣ୍ଡ ଉପର ଦେଇ ଗାଡି ଚାଲିଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଟିପ୍ପର୍ ଚାପାରେ ମୁଣ୍ଡ କ୍ଷତବିକ୍ଷତ ହୋଇଯାଇଥିବାରୁ ହଠାତ୍ ପରିଚୟ ଜଣାଯାଇ ନଥିଲା । ପରିଚୟ ମିଳିବା ପରେ ଲୋକ ରୁଣ୍ଡ ହେବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ । ଖାରିଆଗୁଡ଼ା ଫାଣ୍ଡି ପୁଲିସ ପହଞ୍ଚିବା ପରେ ଟ୍ରକ୍ ଚାଳକ ଫାଣ୍ଡିରେ ପହଞ୍ଚିଥିଲେ । ଜରଡା ଥାନାଧିକାରୀ ମୃତୁ୍ୟଞ୍ଜୟ ସ୍ୱାଇଁ ଲୋକଙ୍କୁ ବୁଝାସୁଝା କରିବା ସହ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ପୁଲିସ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
Comments are closed, but trackbacks and pingbacks are open.