ଟିପ୍ପର ଧକ୍କାରେ ୨ ଯୁବକ ମୃତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା, ସହର ଅଶାନ୍ତ । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟିପ୍ପର୍କୁ ଜାଳି ଦେଇଛନ୍ତି । ଟିପ୍ପର୍ର ହେଲ୍ପରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ପରେ ଶହ ଶହ ଉତ୍ତ୍ୟକ୍ତ ଲୋକ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ପୁଲିସ୍ କିମ୍ବା ଦମକଳ ବାହିନୀକୁ ଦୀର୍ଘ ଦେଢ ଘଣ୍ଟା ଧରି ଘଟଣାସ୍ଥଳକୁ ଛାଡି ନାହାନ୍ତି । ଢେଲା ପଥର ମାଡ଼ କରିଛନ୍ତି । ଉତ୍ତେଜନା ଆଗରେ ହାର୍ ମାନିଛି ପୁଲିସ୍ ବଳ । ପ୍ରାଣ ହରାଇଥିବା ୨ ଯୁବକ ହେଲେ ସ୍ଥାନୀୟ କୁନ୍ଦାରୀଗୁଡାର ଏଣ୍ଡୁରୁ ଖରା ଓରଫ୍ ମିଟୁ(୨୨) ଏବଂ ପାରାବେଡା ଖାଲସାହିର ରାହୁଲ ନାୟକ(୨୨) । ଖବର ଲେଖାହେବା ଅର୍ଥାତ୍ ରାତି ୯ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି । ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ତହସିଲଦାର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ଅଶ୍ୱିନୀ ମହାପାତ୍ର, ସଦର ଏବଂ ଟାଉନ୍ ଥାନା ଆଇଆଇସି ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଦୁର୍ଘଟଣା । କୋରାପୁଟ ପଟରୁ ୨୬ ନମ୍ବର ଜାତୀୟ ରାଜପଥରେ ବସ୍ଷ୍ଟାଣ୍ଡ ଅଭିମୁଖେ ଆସୁଥିଲା ଟିପ୍ପର(ଓଡି-୧୮ସି-୮୩୩୩) । ଏହି ସମୟରେ ବସ୍ଷ୍ଟାଣ୍ଡ ପଟରୁ ଦୁଇଟି ବାଇକ୍ରେ ଗାନ୍ଧିଛକ ଆଡକୁ ଯାଉଥିଲେ ରାହୁଲ ଏବଂ ମିଟୁ । ସେମାନଙ୍କୁ ଧକ୍କା ଦେଇଥିଲା ଟିପ୍ପର୍ । ଉଭୟଙ୍କ ବାଇକ୍ ଟିପ୍ପର ଭିତରକୁ ପଶିଯାଇଥିଲା । ଘଟଣାସ୍ଥଳରେ ମିଟୁଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ ଟାଉନ୍ ଥାନା ଆଇଆଇସି ଓ ଅନ୍ୟ କର୍ମଚାରୀ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ରାହୁଲଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ଖବରପାଇ ଆଖପାଖ ୩ଟି ସାହିର ଶହ ଶହ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ମିଟୁଙ୍କ ଶବକୁ ରାସ୍ତା ଉପରେ ରଖି କାହାରିକୁ ପାଖକୁ ଛାଡି ନଥିଲେ । ବନ୍ଦ ହୋଇଯାଇଥିଲା ଗାଡ଼ି ଚଳାଚଳ । ପୁଲିସ୍ ପହଞ୍ଚିଥିଲେ ମଧ୍ୟ ଏତେ ସଂଖ୍ୟକ ଲୋକ ଆଗରେ ନିରବ ରହିବାକୁ ପଡ଼ିଥିଲା । କାହାରି କଥା ଶୁଣିନଥିଲେ ଉତ୍ତ୍ୟକ୍ତ ଲୋକେ । ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ହେଲ୍ପର ଗଣେଶ କାଡାଙ୍କୁ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ । ଏଥିସହ ଦୁର୍ଘଟଣା ଘଟାଇଥିବା ଟିପ୍ପର୍ରେ ନିଆଁ ଲଗାଇ ଦେଇଥିଲେ ।
ଖବର ପାଇ ପହଞ୍ଚିଥିଲେ ଦମକଳ କର୍ମଚାରୀ । ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । କର୍ମଚାରୀମାନଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ । ଏମିତିକି ଯେଉଁମାନେ ଘଟଣାସ୍ଥଳର ଫଟୋ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ, ସେମାନଙ୍କ ମୋବାଇଲ୍ ଛଡାଇ ନେଇ ଜାଳି ଦେଇଥିଲେ । କିଂ କର୍ତ୍ତବ୍ୟ ବିମୁଢ ହୋଇଥିଲା ପୁଲିସ୍ । ନିୟନ୍ତ୍ରଣ କରିବାକୁ ସାହସ ଜୁଟାଇ ପାରିନଥିଲା । ଅଧିକ ଫୋର୍ସ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ପୁଲିସ୍ । ଯମୁନାଗୁଡାର ଆହତ ହେଲପର ଗଣେଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ପ୍ରାଥମିକ ଚିକିତ୍ସା ପରେ ବି ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ପରେ ପରେ ପରିସ୍ଥିତି ଟିକିଏ ଶାନ୍ତ ହେବାପରେ ଦମକଳ ସହାୟତାରେ ଜଳୁଥିବା ଟିପ୍ପରର ନିଆଁକୁ ଆୟତ୍ତ କରାଯାଇଥିଲା ।
ଦୁର୍ଘଟଣାସ୍ଥଳରେ ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ତହସିଲଦାର ପ୍ରଧାନ ଟୁଲିଆମ୍ମା ରହିଥିବା ବେଳେ ଏସ୍ଡିପିଓ ଶ୍ରୀ ବେହେରା, ଅତିରିକ୍ତ ତହସିଲଦାର ଶ୍ରୀ ମହାପାତ୍ର, ସଦର ଓଆଇସି ଆଦିତ୍ୟ ମହାକୁଡ, ଟାଉନ୍ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି, ଉଭୟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଖବର ଲେଖାହେବା ଅର୍ଥାତ୍ ରାତି ୯ଟା ପର୍ଯ୍ୟନ୍ତ ଲାଗି ରହିଥିଲା ଉତ୍ତେଜନା । ରାଜପଥର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡି ଅଟକି ରହିଥିଲା । ଟିପ୍ପର ତଳେ ପଡିଥିବା ମିଟୁଙ୍କ ଶବ କିମ୍ବା ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ଜବତ କରିପାରି ନଥିଲା ପୁଲିସ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons