ନୂଆଦିଲ୍ଲୀ: ଅତିରିକ୍ତ ସ୍ପେକ୍ଟ୍ରମ୍ ଦେୟ ଭାବେ ଟେଲିକମ୍ କମ୍ପାନିଗୁଡ଼ିକୁ ୪୧,୦୦୦ କୋଟି ଟଙ୍କାର ଝଟ୍କା ଲାଗିପାରେ । ସୁପ୍ରିମ୍କୋର୍ଟରେ ଚାଲିଥିବା ଏଜିଆର୍ (ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନୁ୍ୟ) ସଂକ୍ରାନ୍ତରେ ମାମଲାରେ ଯଦି ସରକାରଙ୍କ ପକ୍ଷରେ ରାୟ ଯାଏ ତେବେ କମ୍ପାନିଗୁଡ଼ିକ ଏହି ପରିମାଣର ଟଙ୍କା ଗଣିବାକୁ ବାଧ୍ୟ ହେବେ ।
ଉଲ୍ଲେଖଯୋଗ୍ୟ, ସ୍ପେକ୍ଟ୍ରମ୍ ଦେୟ ବାବଦରେ କମ୍ପାନିଗୁଡ଼ିକ ଉପରେ କେନ୍ଦ୍ରର ୯୨,୦୦୦ କୋଟି ଟଙ୍କା ବକେୟା ରହିଛି । ସୁପ୍ରିମ୍କୋର୍ଟ ମାମଲା ରାୟ ଆସିବା ପରେ ଏହି ଦେୟ ପରିମାଣ ୧.୩୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ କମ୍ପାନିଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଏତେ ଟଙ୍କା କିଭଳି ପରିଶୋଧ କରିବେ, ତାହାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି ।
ସରକାରଙ୍କ କହିବାନୁଯାୟୀ ଏଜିଆର୍ରେ ଟେଲିକମ୍ କମ୍ପାନିଗୁଡ଼ିକର ସମସ୍ତ ରାଜସ୍ୱ ଆସୁଛି । କିନ୍ତୁ କେବଳ ପ୍ରମୁଖ ସେବା ଏଥିରେ ରହିବ ବୋଲି କମ୍ପାନିଗୁଡ଼ିକ ଦାବି କରୁଛନ୍ତି । ଉଭୟ ପକ୍ଷ ତରଫରୁ ଏ ନେଇ ସୁପ୍ରିମ୍କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଯଦି ସରକାରଙ୍କ ପକ୍ଷରେ ମାମଲା ଯାଏ, ତେବେ କମ୍ପାନିଗୁଡ଼ିକ ୪୧,୦୦୦ କୋଟି ଟଙ୍କା ଗଣିବେ । ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡି ଏହି ଅତିରିକ୍ତ ଦେୟର ପ୍ରାୟ ୮୫% ଗଣିପାରନ୍ତି ।
ଟେଲିକମ୍ ବିଭାଗ (ଡଟ୍) ଏଜିଆର୍ ବାବଦରେ ଆକଳନ କରି କହିଛି ଯେ ସୁନୀଲ ମିତ୍ତଲଙ୍କ ଅଧିକୃତ ଏୟାରଟେଲ୍ ସରକାରଙ୍କୁ ଅତିରିକ୍ତ ଦେୟ ଭାବେ ସର୍ବାଧିକ ୨୨,୯୪୦ କୋଟି ଟଙ୍କା ପ୍ରଦାନ କରିବ । ଏଥିରେ ସୁଧ ଓ ଜରିମାନା ସାମିଲ ରହିଛି । ସେହିଭଳି ଭୋଡାଫୋନ୍ ଆଇଡିଆକୁ ୧୧,୦୦୦ କୋଟି ଟଙ୍କା ଗଣିବାକୁ ପଡ଼ିପାରେ ।
ଏ ନେଇ ଡଟ୍ର ଜଣେ ଅଧିକାରୀ କହିଛନ୍ତି, ଏଜିଆର ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ରାୟ ଆସିବା ପରେ ଆମେ ଅତିରିକ୍ତ ସ୍ପେକ୍ଟ୍ରମ୍ ଫି’ ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେବୁ । ପ୍ରତ୍ୟେକ କମ୍ପାନିକୁ ନୋଟିସ୍ ପଠାଯାଇ ଏହି ଅର୍ଥ ଦାବି କରାଯିବ । ଉଲ୍ଲେଖଯୋଗ୍ୟ, ଏଜିଆର୍ର ସଂଜ୍ଞାକୁ ନେଇ ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଥିବା ବେଳେ ଗତ ମାସରେ ଏହାର ରାୟ ସଂରକ୍ଷିତ ରହିଥିଲା ।
ଡଟ୍ ଯୁକ୍ତି ମୁତାବକ ଏଜିଆର୍ (ସମାୟୋଜିତ ମୋଟ ରାଜସ୍ୱ)ରେ ରାଜସ୍ୱ ବ୍ୟତୀତ ଲାଭାଂଶ, ହ୍ୟାଣ୍ଡସେଟ ବିକି୍ର, ଭଡ଼ା ଏବଂ ସ୍କ୍ରାପ୍ ବିକି୍ରରୁ ହେଉଥିବା ଲାଭ ମଧ୍ୟ ସାମିଲ ରହିଛି । ସେହି ଦୃଷ୍ଟିରୁ ଟେଲିକମ୍ କମ୍ପାନିଗୁଡ଼ିକ ଠାରୁ ସରକାର ଅଧିକ ସ୍ପେକ୍ଟ୍ରମ୍ ଦେୟ ପାଇବା କଥା । କିନ୍ତୁ କମ୍ପାନିଗୁଡ଼ିକ ଏଜିଆର୍ରେ କେବଳ ପ୍ରମୁଖ ଟେଲିକମ୍ ସେବା ସାମିଲ ହେବା ଆବଶ୍ୟକ ବୋଲି କହୁଛନ୍ତି । ତେବେ ଏ ନେଇ ୨୦୧୫ରେ ଏକ ଟେଲିକମ୍ ଟ୍ରିବୁ୍ୟନାଲ୍ ରାୟ ଅନୁସାରେ ଟେଲିକମ୍ କମ୍ପାନିଗୁଡ଼ିକ ଏଜିଆର୍ ହିସାବ କରୁଛନ୍ତି । ସେଥିପାଇଁ ସେମାନେ କେବଳ ଲାଇସେନ୍ସ ଫି ଓ ସ୍ପେକ୍ଟ୍ରମ୍ ଦେୟ ବାବଦ ଟଙ୍କା ପୈଠ କରୁଛନ୍ତି । ଡଟ୍ ଅବଶିଷ୍ଟ କ୍ଷେତ୍ରରୁ ବାରମ୍ବାର ଅର୍ଥ ଦାବି କରୁଛି ।
Comments are closed, but trackbacks and pingbacks are open.