ଟୋକିଓ: ଆସନ୍ତା ବର୍ଷ ଜାପାନ୍ର ରାଜଧାନୀ ଟେକିଓ ସହରରେ ଆୟୋଜତି ହେବ ସର୍ବ ବୃହତ୍ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୨୯ତମ ସଂସ୍କରଣ । ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଠିକ୍ ବର୍ଷେ ସମୟ ରହିଥିବାବେଳେ ଏହା ପୂର୍ବରୁ ଆୟୋଜକ କମିଟି ପକ୍ଷରୁ ପଦକ ଉନ୍ମୋଚିତ ହୋଇଛି । ଟେକ୍ନୋଲେଜିରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇ ଦେଇଥିବା ଜାପାନ ଏଥର ପୁରୁଣା ଅଦରକାରୀ ମୋବାଇଲ ଓ ଘରୋଇ ଇଲେକ୍ଟ୍ରୋନିକ୍ ଉପକରଣର ଯନ୍ତ୍ରାଂଶରୁ ପଦକ ପ୍ରସ୍ତୁତ କରିଛି । ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯାଇଥିବା ମୋଟ୍ ୫,୦୦୦ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକର ଡିଜାଇନ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବେଶ୍ ପ୍ରଶଂସା କରିଛି ।
ପଦକର ଡିଜାଇନ୍ ଆଥ୍ଲେଟ୍ଙ୍କ ପରିଶ୍ରମ ଓ ସଂଘର୍ଷ ପାଇଁ ଉତ୍ସର୍ଗୀକୃତ ଥିବା ଆୟେଜକ କମିଟି ଦର୍ଶାଇଛି । ଗୋଲାକାର ପଦକଟିର ଗୋଟିଏ ପାଶ୍ୱର୍ର କେନ୍ଦ୍ରସ୍ଥଳକୁ ଅଗଣିତ ଆଲୋକମାଳାର ସମାହାର ସଦୃଶ ଆକୃତି ପ୍ରଦାନ କରାଯାଇଛି । ଆଥ୍ଲେଟ୍ଙ୍କ ଶକ୍ତି, ସଫଳତା ଓ ବନ୍ଧୁତାର ପ୍ରମାଣ ବହନ କରୁଛି । ପଦକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମୁଖ୍ୟ ଥୋମସ୍ ବାକ୍ ଯୋଗ ଦେଇଥିଲେ । କ୍ରୀଡ଼ା ପ୍ରତିଯୋଗିତା ପାଇଁ ଜାପାନର ପ୍ରସ୍ତୁତିରେ ସେ ସ୍ତବ୍ଧ ହୋଇ ଯାଇଥିବା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଅନ୍ୟ କୌଣସି ଦେଇ ଅଲିମ୍ପିକ୍ସ ଆୟୋଜନ ପାଇଁ ଏଭଳି ପ୍ରସ୍ତୁତି କରିଥିବା ମୁଁ ପୂର୍ବରୁ ଦେଖି ନଥିଲି ।
ଅଲିମ୍ପିକ୍ ପଦକର ଡିଜାଇନ୍ ପାଇଁ ଆୟୋଜନ କମିଟି ଆବେଦନ ଆହ୍ୱାନ କରିଥିଲେ । ୪୦୦ରୁ ଉଦ୍ଧ୍ୱ କମ୍ପାନୀ ଓ ଡିଜାଇନର ଛାତ୍ର ଛାତ୍ରୀ ଡିଜାଇନ ପ୍ରସ୍ତୁତ କରିଥିଲେ । ଏଥିମଧ୍ୟରୁ ଜୁନିଚି କୱାନିଶି ନାମକ ଜଣେ ପେସାଦାର ଡିଜାଇନରଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା । ପଦକର ଓଜନ ୪୫୦ରୁ ୫୬୬ରୁ ଗ୍ରାମ୍ ମଧ୍ୟରେ ରଖାଯାଇଛି ।
ସୂଚନାଯୋଗ୍ୟ, ପଦକରେ ବ୍ୟବହୃତ ବିଭିନ୍ନ ଧାତୁ ପାଇଁ ଖଣିଜ ସମ୍ପଦ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ହେଲେ ଜାପାନ ଏହାର ଗଚ୍ଛିତ ଖଣିଜ ସମ୍ପଦକୁ ପଦକ ପାଇଁ ନଷ୍ଟ ନକରିବା ସହ ପରିବେଶ ପ୍ରଦୁଷଣ ନକରିବାକୁ ଚାହୁଁଛି । ତେଣୁ ଅଦରକାରୀ ପଦାର୍ଥରୁ ଧାତୁ କାଢି ଏହାକୁ ପଦକ ପ୍ରସ୍ତୁତିରେ ଲଗାଇବାକୁ ନିଷ୍ପତ୍ତି ନେଇଛି । ମୋବାଇଲରେ ପ୍ଲାଟିନମ୍, ପାଲାଡିୟମ୍, ସୁନା, ରୁପା, ଲିଥିୟମ୍, ନିକେଲ ଭଳି ଧାତବ ପଦାର୍ଥ ସ୍ୱଳ୍ପ ମାତ୍ରରେ ରହିଥାଏ । ସେହିପରି ଘରୋଇ ଉପକରଣ ଯଥା ଫ୍ରିଜ୍ ଓ ଏୟାର କଣ୍ଡିସନର୍ରେ ଲୁହା, କପର, ଜିଙ୍କ୍ ଭଳି ଧାତୁ ରହିଛି । ଏହି ସବୁ ଧାତୁ ଅଦରକାରୀ ଉପକରଣରୁ ଯୋଗାଡ଼ କରାଯାଇପାରିବ । ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସରେ ୫୦୦୦ରୁ ଉଦ୍ଧ୍ୱର୍ ପଦକ ପ୍ରଦାନ କରାଯିବ ।
Comments are closed, but trackbacks and pingbacks are open.