‘ଟୋକିଓ ଟିକେଟ୍’ ସଫଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସବୁ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ଭାରତୀୟ ମହିଳା ଓ ପୁରୁଷ ଦଳ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ରେ ୨ ଦଳର କଡ଼ା ସଂଘର୍ଷ ପରେ ଉଭୟ ଭାରତୀୟ ଦଳର ଅଲିମ୍ପିକ୍ସ ସ୍ୱପ୍ନ ପୂରଣ ହୋଇଥିଲା ।
ମହିଳା ପ୍ରଥମ ଲେଗ୍ରେ ୫-୧ ଗୋଲ୍ରେ ଆମେରିକାକୁ ହରାଇଥିଲା । ଦ୍ୱିତୀୟ ଲେଗ୍ରେ ୧-୪ ଗୋଲ୍ରେ ପରାଜିତ ହୋଇଥିଲେ ହେଁ ଗୋଲ୍ ବ୍ୟବଧାନରେ ଆଗୁଆ ରହି ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା । ପୁରୁଷ ଦଳ ପାଇଁ ଅଲିମ୍ପିକ୍ସ ଟିକେଟ୍ ହାସଲ କରିବା କଷ୍ଟକର ସାବ୍ୟସ୍ତ ହୋଇ ନଥିଲା । ପ୍ରଥମ ଲେଗ୍ରେ ଭାରତ ୪-୨ ଗୋଲ୍ରେ ରୁଷିଆକୁ ହରାଇଥିଲା । ଦ୍ୱିତୀୟ ଲେଗ୍ରେ ପୂର୍ଣ୍ଣ ଆଧିପତ୍ୟ ଜାହିର କରି ଗୋଲ୍ ବର୍ଷା କରିଥିଲା । ଏହି ମ୍ୟାଚ୍ରେ ଭାରତ ୭-୧ ଗୋଲ୍ରେ ବିଜୟୀ ହୋଇଥିଲା । ଉଭୟ ମ୍ୟାଚ୍ର ଭାରତ ମୋଟ୍ ୧୧ଟି ଗୋଲ୍ ସ୍କୋର କରିଥିଲା । ଜବାବରେ ରୁଷିଆ ୩ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା ।
ମହିଳା ବର୍ଗ ଦ୍ୱିତୀୟ ଲେଗ୍ ମ୍ୟାଚ୍ ଆରମ୍ଭରୁ ଆମେରିକା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟ ପଥ ପରିସ୍କାର କରିଦେଇଥିଲା । ପ୍ରଥମ ୨ଟି କ୍ୱାର୍ଟର ସୁଦ୍ଧା ୪-୦ ଗୋଲ୍ରେ ଅଗ୍ରଣୀ ହାସଲ କରିଥିଲା ଆମେରିକା । ୨ମ୍ୟାଚକୁ ମିଶାଇ ମୋଟ୍ ଗୋଲ୍ ୫-୫ରେ ବରାବର ହୋଇ ସାରିଥିଲା । ଭାରତୀୟ ଶିବିରରେ ନିରାଶା ଖେଳି ଯାଇଥିଲା । ତୃତୀୟ କ୍ୱାର୍ଟରରେ ଗୋଲ ହୋଇ ନଥିଲା । ଚତୁର୍ଥ କ୍ୱାର୍ଟର(୪୯ତମ ମିନିଟ୍)ରେ ରାଣୀ ରାମପଲ ଦର୍ଶନୀୟ ଗୋଲ୍ କରିଥିଲେ । ଏହି ଗୋଲ ଭାରତକୁ ଜିତାଇ ପାରି ନଥିଲେ ହେଁ ଅଲିମ୍ପିକ୍ସ ଟିକେଟ୍ ପାଇଁ ଯଥେଷ୍ଟ ରହିଥିଲା । ମୋଟ୍ ଗୋଲ୍ରେ ଭାରତ ୬-୫(୨ଟି ଯାକ ମ୍ୟାଚ୍କୁ ମିଶାଇ)ରେ ଅଗ୍ରଣୀ ହାସଲ କରିଥିଲା । ସ୍ଥିତି ୫-୫ରେ ବରାବର ରହିଥିଲେ ପେନାଲ୍ଟି ସୁଟ୍ ଆଉଟ୍ର ସହାୟତା ନିଆଯାଇଥାନ୍ତା । ହେଲେ ରାଣୀଙ୍କ ଗୋଲ୍ କଠିନ ପରିସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲା ।
ପୁରୁଷ ବର୍ଗରେ ରୁଷିଆ ପ୍ରଥମ ୨୦ ସେକେଣ୍ଡ ମଧ୍ୟରେ ଏକ ଗୋଲ୍ କରିଥିଲା । ହେଲେ ଭାରତୀୟ ଦଳ ସଙ୍ଗେ ସଙ୍ଗେ ତ୍ରୁଟି ସୁଧାରି ନେଇଥିଲା । ଭାରତର ସଂଘବଦ୍ଧ ଆକ୍ରମଣରେ ରୁଷିଆ ଲୟ ହରାଇ ବସିଥିଲା । ବାକି ସମୟ ମଧ୍ୟରେ ଭାରତ ୭ଟି ଗୋଲ୍ ସ୍କୋର କରିଥିଲା । ଦଳ ପକ୍ଷରୁ ଲଳିତ ଉପାଧ୍ୟାୟ ୧୭ ଓ ୨୩ତମ ମିନିଟ୍ରେ ୨ଟି, ରୁପିନ୍ଦରପାଲ୍ ସିଂହ ୪୮ଓ ୫୯ତମ ମିନିଟ୍ରେ ୨ଟି, ୨୯ତମ ମିନିଟ୍ରେ ଆକାଶଦୀପ ସିଂହ, ୪୭ତମ ମିନିଟ୍ରେ ନିଳକାନ୍ତ ଶର୍ମା ଓ ୬୦ତମ ମିନିଟ୍ରେ ଅମିତ ରୋହିଦାସ ଗୋଲ୍ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons