ଟ୍ରକ୍‌ ଧକ୍କାରେ ମାଆ-ପୁଅଙ୍କ ଚାଲିଗଲା ଜୀବନ

Get real time updates directly on you device, subscribe now.

ଅନୁଗୁଳ : ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି।
ଛେଣ୍ଡିପଦା ଥାନା ବାଲିପଟା ଗାଁର କବିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମର ଆଜି ଥିଲା ଜନ୍ମଦିନ। ସେଥିପାଇଁ ମାଆ-ପୁଅ ଜଣେ ସମ୍ପର୍କୀୟଙ୍କ ସ୍କୁଟିରେ ବୁଢୀ ଠାକୁରାଣୀଙ୍କ ପୀଠକୁ ଯାଇଥିଲେ। କବିତା ବୁଢୀ ଠାକୁରାଣୀଙ୍କୁ ପୂଜା କଲେ ଓ ପୁଅ ଶୁଭମ୍‌ର ଦୀର୍ଘାୟୂ କାମନା କଲେ। ପରେ ମାଆ-ପୁଅ ହସଖୁସିରେ ସ୍କୁଟିରେ ଘରକୁ ଫେରୁଥିଲେ।
ତେବେ ଜାତୀୟ ରାଜପଥ- ୫୫ ଦଶହରା ପଡ଼ିଆ ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମାଆ କବିତା ଓ ପୁଅ ଶୁଭମଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି ଚଳାଉଥିବା ସମ୍ପର୍କୀୟ ଜଣଙ୍କ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ପାଇଁ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଅନୁଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons