ଟ୍ରକ୍ ଚକ ତଳେ ଗଲା ୧୫ ଜୀବନ

Get real time updates directly on you device, subscribe now.

ସୁରଟ: ଗୁଜରାଟର ସୁରଟରେ ସୋମବାର ମଧ୍ୟରାତ୍ରିରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଫୁଟ୍ପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଏକ ଡମ୍ପର ଟ୍ରକ ଚଢ଼ିଯିବାରୁ ୧୫ ଜଣଙ୍କର ମୃତୁ୍ୟ ହୋଇଛି । ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକଙ୍କ ମଧ୍ୟରେ ଜଣେ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ସମସ୍ତେ ରାଜସ୍ଥାନର ବାଂସୱାଡା ଜିଲ୍ଲାର ବାସିନ୍ଦା । ସେମାନେ ଗୁଜରାଟରେ ରହି ଦିନମଜୁରିଆ ଭାବେ କାମ କରୁଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ ଅନୁମାନ କରିଛି ।
ସୁରଟ ଠାରୁ ୬୦ କିମି ଦୂର କୋସାମ୍ବା ଗ୍ରାମ ନିକଟ କିମ-ମାଣ୍ଡଭି ରୋଡ୍ର ଫୁଟ୍ପାଥ୍ରେ ଶ୍ରମିକମାନେ ଦଳବଦ୍ଧ ହୋଇ ଶୋଇଥିବା ସମୟରେ ଟ୍ରକଟି ସେମାନଙ୍କ ଉପରେ ମାଡି ଯାଇଥିଲା । ଟ୍ରକଟି ମାଣ୍ଡଭିରୁ କିମ୍ ଯାଉଥିଲା । ତେବେ ବିପରୀତ ଦିଗରୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରାକ୍ଟର ସହ ଧକ୍କା ହେବା କାରଣରୁ ଭାରସାମ୍ୟ ହରାଇ ଟ୍ରକ୍ଟି ଫୁଟ୍ପାଥ ଆଡ଼କୁ ଚାଲି ଯାଇଥିଲା । ଟ୍ରକର ଡ୍ରାଇଭର ଓ କ୍ଲିନର ଆହତ ହୋଇଥିଲା ବେଳେ ଟ୍ରାକ୍ଟର ଡ୍ରାଇଭର ଏବଂ ସହାୟକଙ୍କୁ ଗିରଫ କରାଯାଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି । ସେହିଭଳି ରାଜସ୍ଥାନ ଗରାଡଖୋର ଗ୍ରାମର ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ୨ ବର୍ଷରେ ଏକ ଶିଶୁକନ୍ୟା ଏବଂ ୧ ବର୍ଷର ଶିଶୁପୁତ୍ର ଅଛନ୍ତି । ଏକ ୬ ମାସର ଶିଶୁକନ୍ୟା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ତା’ର ପିତାମାତା ପ୍ରାଣ ହରାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଟ୍ରକ ଧକ୍କାରେ ରାସ୍ତାକଡ଼ରେ ଥିବା ୪-୫ଟି ଉଠା ଦୋକାନ କ୍ଷତିଗ୍ରସ୍ତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ସମସ୍ତ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କାର ସହାୟତା ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ସହୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons