ଟ୍ରକ୍ ଚାପାରେ ଦୁଇ ମୃତ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନ୍ୟୁଜ୍): ଗତ ରାତିରେ ଟ୍ରକ୍ ଚାପାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ରାତି ପ୍ରାୟ ୧୧ଟା ସମୟରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଗ୍ରାମ ନିକଟରେ । ମୃତକ ଦୁଇ ଜଣ ହେଲେ ଚଢେୟାପଲ୍ଲୀ ଗ୍ରାମର ରାମଚନ୍ଦ୍ର ଗୌଡ଼(୪୦) ଓ କୃଷ୍ଣ ନାୟକ(୪୫) । ପୂର୍ବ ଶତ୍ରୁତାରୁ ଟ୍ରକ୍ ଚପାଇ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ରାମଙ୍କ ଘର ନିକଟରେ ପଡ଼ିଥିବା ଏକ ଅଫୁଟା ହାତ ବୋମା ପୁଲିସ ଜବତ କରିଛି ।
ଅଭିଯୋଗ ଅନୁଯାୟୀ, ଚଢ଼େୟାପଲ୍ଲୀ ଗ୍ରାମର ରାମଚନ୍ଦ୍ରଙ୍କ ସହ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହ ଗାଡ଼ି ବ୍ୟବସାୟକୁ ନେଇ ଶତ୍ରୁତା ରହିଥିଲା । ଗତ ରାତି ପ୍ରାୟ ୯ଟା ବେଳେ ରାମଙ୍କ ଘରେ ଉକ୍ତ ବ୍ୟକ୍ତି ଓ ତାର ଦୁଇ ସଂପର୍କୀୟ ପହଞ୍ଚି ପାଟିତୁଣ୍ଡ କରିବା ସହ ବୋମା ଦେଖାଇ ଧମକ ଚମକ ଦେଇଥିଲେ । ଏନେଇ ରାମ ଥାନାକୁ ଫୋନ କରି ଜଣାଇ ଥିଲେ । ଘଟଣା ବିଷୟରେ ଏତଲା ଦେବାକୁ ଗୋଟିଏ ବାଇକ୍ରେ ରାମ ଓ ତାଙ୍କ ଗାଡ଼ି ଡ୍ରାଇଭର କୃଷ୍ଣ ଏବଂ ଆଉ ଏକ ବାଇକ୍ରେ ଲକ୍ଷ୍ମଣ ନାଇକ ଓ ଉଲ୍ଲା ଗୌଡ଼ ରାତି ୧୧ଟା ବେଳେ ଜଗନ୍ନାଥପ୍ରସାଦ ଥାନାକୁ ଯାଉଥିଲେ । ଗାଁ ଠାରୁ ୫ କିଲୋମିଟର ଦୂର କୁଶାପଲ୍ଲୀ ନିକଟରେ ରାମଙ୍କ ବାଇକ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଅନ୍ୟ ଏକ ବାଇକ୍ରେ ଥିବା ଲକ୍ଷ୍ମଣ ଓ ଉଲ୍ଲା ନିଜ ପ୍ରାଣ ବଞ୍ଚାଇ ଆଉ ଏକ ଗାଁ ଭିତରକୁ ପଶିଯାଇଥିଲେ । କୃଷ୍ଣ ଏବଂ ରାମଙ୍କୁ ଉଦ୍ଧାର କରାଯାଇ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଛନ୍ତି । ଶୁକ୍ରବାର କୃଷ୍ଣ ନାୟକଙ୍କ ସଂପର୍କୀୟ ଭାଇ ଲକ୍ଷ୍ମଣ ନାୟକ ଜଗନ୍ନାଥପ୍ରସାଦ ଥାନାରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଚଢେୟାପଲ୍ଲୀ ଗ୍ରାମର ଜନୈକ ଏକ ଯୁବକ ଓ ତାର କିଛି ସହଯୋଗୀଙ୍କ ନାମ ଲେଖିଛନ୍ତି । ଉଭୟଙ୍କୁ ଟ୍ରକ୍ ଚପାଇ ହତ୍ୟା କରାଯାଇଥିବା ଲକ୍ଷ୍ମଣ ତାର ଏତଲାରେ ଦର୍ଶାଇଛି ।
ପୁଲିସ କହିବା ଅନୁଯାୟୀ, ଗତ ରାତିରେ ଚଢ଼େୟାପଲ୍ଲୀରେ ଗଣ୍ଡଗୋଳ ପରିସ୍ଥିତି ଖବର ପାଇ ଗାଁକୁ ବାହାରିଥିଲୁ । କୁଶପଲ୍ଲୀ ରାସ୍ତାରେ ଦୁଇ ଜଣ ଦୁର୍ଘଟଣାଗସ୍ତ ହୋଇ ପଡ଼ିଥିବା ଦେଖି ଦମକଳ ବାହିନୀ ସହାୟତାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ପରେ ଜଣାପଡ଼ିଥିଲା ଉଭୟ ରାମ ଓ କୃଷ୍ଣ ଥାନାକୁ ଆସୁଥିବାବେଳେ ଦୁର୍ଘଟଣା ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା ପଠାଇ ଦିଆଯାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଲକ୍ଷ୍ମଣ ନାୟକଙ୍କ ଏତଲା ଆଧାରରେ ଜଗନ୍ନାଥପ୍ରସାଦ ଥାନା କେସ୍ ନଂ ୧୧୧/୧୯ର ଦଫା – ୩୦୨, ୩୪ ଆଇପିସି ଓ ୩ /୨ ଏସ୍ସି ଏସ୍ଟି ଆକ୍ଟ ପ୍ରକାରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ଏସଂପର୍କରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons