ଟ୍ରକ୍ ଚାପାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ଭଣଜାଙ୍କ ହାତ ଭାଙ୍ଗି ଯାଇଥିଲା । ତାଙ୍କୁ ଦେଖିବାକୁ ଆସିଥିଲେ ଥିଲେ ମାମୁଁ ଓ ମାଇଁ । ହେଲେ ଆହତ ଭଣଜାର ଭଲମନ୍ଦ ବୁଝି ଘରକୁ ଫେରିବା ବାଟରେ କା ହାବୁଡ଼ରେ ପଡ଼ିଗଲେ ସ୍ୱାମୀ ସ୍ତ୍ରୀ । ଭୟଙ୍କର ସଡ଼କ ଦୁର୍ଘଟଣାରେ ସ୍ୱାମୀ ଆରପାରିକୁ ଚାଲି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଛନ୍ତି ସ୍ତ୍ରୀ । ମୃତକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ତୁରକେଲା ଥାନା କୁଇମୁଣ୍ଡା ଗାଁର ବାସୁଦେବ ନାଗ(୪୫) ଓ ଗୁରୁତର ମହିଳା ଜଣକ ହେଲେ ତାଙ୍କ ସ୍ତ୍ରୀ ଉପାସୀ ବେମାଲ(୪୦) । ତେବେ ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗୁରୁତରଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଦାବିରେ ଲୋକେ ରାଜପଥ ଅବରୋଧ କରିଥିଲେ । କୋମନା ଅତିରିକ୍ତ ତହସିଲଦାର ସତ୍ୟନାରାୟଣ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ସୂଚନାମତେ, ଆହତ ଭଣଜାକୁ ଦେଖିବା ପାଇଁ ଗତକାଲି ବାସୁଦେବ ଓ ଉପାସୀ ଘୋଟସର ଗାଁକୁ ଆସିଥିଲେ । ଆଜି ସକାଳୁ ସ୍ୱାମୀସ୍ତ୍ରୀ ଏକ ଦୁଇଚକିଆ ଗାଡ଼ି (ଓଡି ୦୩ ଡି ୧୩୯୧)ରେ ନିଜ ଗାଁ ଅଭିମୁଖେ ଯାଉଥିଲେ । ସକାଳ ପ୍ରାୟ ସାଢେ଼ ୭ଟାରେ ନୂଆପଡ଼ା ପଟୁ ଖଡ଼ିଆଳ ଆଡ଼କୁ ଯାଉଥିବା ଏକ ମାଲ ବୋଝେଇ ଟ୍ରକ(ସିଜି ୦୭ ବିଏସ ୫୦୫୨) ଜାତୀୟ ରାଜପଥ ୩୫୩ରେ ଘୋଟସର ଛକ ଠାରୁ ପ୍ରାୟ ଶହେ ମିଟର ଦୂରରେ ଏକ ଟ୍ରକ୍ ସ୍ୱାମୀସ୍ତ୍ରୀଙ୍କ ଗାଡ଼ିକୁ ସାମ୍ନାପଟୁ ଧକ୍କା ଦେଇଥିଲା । ବାଇକଟି ଟ୍ରକର ଇଂଜିନ ଭିତରେ ପଶି ଯାଇଥିଲା । ଟ୍ରକଟି ବାଇକ ଚାଳକ ବାସୁଦେବଙ୍କ ଦେହ ଉପରେ ଚଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ସ୍ତ୍ରୀ ଉପାସୀ ଟ୍ରକ ଧକ୍କାରେ ଛିଟିକି ପଡିବାରୁ ଗୁରୁତର ଆହତ ହୋଇଥିଲେ । ଖବର ପାଇ କୋମନା ଅଗ୍ନିଶମ ବିଭାଗ ଘଟନାସ୍ଥଳରେ ପହଞ୍ଚି ଗୁରୁତର ଉପାସୀଙ୍କୁ ଉଦ୍ଧାର କରି କୋମନା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହୋହାଲ୍ଲା କରିଥିଲେ । ବିଜେପି ପାତାଲେଶ୍ୱର ମଣ୍ଡଳ ସଭାପତି ଚନ୍ଦନ ଠାକୁରଙ୍କ ନେତୃତ୍ୱରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଓ ଗୁରୁତରଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ କୋମନା ଅତିରିକ୍ତ ତହସିଲଦାର ସତ୍ୟନାରାୟଣ ତାଣ୍ଡି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ତାଣ୍ଡି ଏଡିଏମ ସୀତାରାମ ପଟେଲଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ସେହିପରି ଗୁରୁତର ଉପାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା । ମଧ୍ୟାହ୍ନରେ କୋମନା ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । କୋମନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କୋମନା ଥାନା ତଦନ୍ତକାରୀ ଅଫିସର ଏସ୍ଆଇ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons