ଟ୍ରକ୍-ବାଇକ୍ ଧକ୍କା: ମାମୁଁ ଭଣଜା ମୃତ, ଭଉଣୀ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି,(ବିି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳେ ମାଲକାନଗିରି-ବାଲିମେଳା ମୁଖ୍ୟରାସ୍ତା ଗୌଡ଼ଗୁଡ଼ା ଛକ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଛି, ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ହେଲେ ମାଲକାନଗିରି ଥାନା ଗୌଡ଼ଗୁଡ଼ା ପଞ୍ଚାୟତ ଏମ୍ଭି୯ ଗାଁର ମିଥୁନ ବିଶ୍ୱାସ(୨୫) ଓ ତାଙ୍କର ୩ ବର୍ଷର ଭଣଜା ପିୟୂଷ । ମିଥୁନଙ୍କ ଭଉଣୀ ସୁଚିତ୍ରା ଗୁରୁତର ହୋଇଛନ୍ତି ।
ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ସହ ଏକ ଟିମ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛନ୍ତି । ଏଥିସହ ଡ୍ରାଇଭର ରାଜୁଲାଲ ସାହୁକୁ ଗିରଫ କରିଛନ୍ତି । ଡ୍ରାଇଭରଙ୍କ ଘର ଛତିଶଗଡ଼ ଜଗଦଲପୁରର ଗିଦାମରୋଡ଼ ଗାଁରେ । ମିଥୁନ ଆଜି ଏମ୍ଭି-୧ ଗାଁରେ ବିବାହିତ ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ । ସକାଳେ ଭଉଣୀ ସୁଚିତ୍ରା ଓ ଭଣଜା ପିୟୂଷକୁ ଧରି ବାଇକ୍ରେ ଏମ୍ଭି-୯ ଗାଁକୁ ଫେରୁଥିଲେ । ମାଲକାନଗିରି-ବାଲିମେଳା ମୁଖ୍ୟରାସ୍ତା ଗୌଡ଼ଗୁଡ଼ା ଛକ ନିକଟରେ ବାଇକ୍ ବୁଲାଇବା ବେଳେ ହଠାତ୍ ବାଲିମେଳା ଦିଗରୁ ଦ୍ରୁତଗତିରେ ଆସୁଥିବା ସିଜି୧୭-କେଆର୍୬୨୭୩ ନମ୍ବର ବିଶିଷ୍ଟ ଧାନବୋଝେଇ ଟ୍ରକ୍୍ ସହ ଧକ୍କା ହୋଇଥିଲା । ଟ୍ରକ୍ ଧକ୍କାରେ ବାଇକ୍ ସହ ୩ ଆରୋହୀ ଦୂରକୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ମିଥୁନଙ୍କ ମୃତୁ୍ୟ ଘଟିଥିଲା । ସୁଚିତ୍ରା ଓ ପିୟୂଷ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଜଣାଇବା ପରେ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍ ନିଆଯାଇଥିଲା । ଚିକିତ୍ସାଧୀନ ବେଳେ ପିୟୂଷର ମୃତୁ୍ୟ ହୋଇଥିଲା । ସୁଚିତ୍ରା ଚିକିତ୍ସିତ ହେଉଛନ୍ତି ।
ଆଦର୍ଶ ଥାନା ପୁଲିସ ମିଥୁନ ଓ ତାଙ୍କର ଭଣଜାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ହସ୍ପିଟାଲ୍କୁ ପଠାଇ ତଦନ୍ତ ଆରମ୍ଭ କରିଛି । ମାମୁଁ ଭଣଜାଙ୍କ ଦୁର୍ଘଟଣାରେ ମୃତୁ୍ୟ ଘଟଣା ଏମ୍ଭି-୯ ଓ ଏମ୍ଭି-୧ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏବେ ଧାନ ମଣ୍ଡି ନ ଥିବାବେଳେ ଟ୍ରକ୍ଟି ବାଲିମେଳା ଦିଗରୁ ଧାନବୋଝେଇ କରି ଆସୁଥିଲା । ଟ୍ରକ୍ଟି ଜଗଦଲପୁର ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମାଲକାନଗିରି ପୁଲିସ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons