ଟ୍ରକ୍ ସହ ୪୫ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର: କୋରାପୁଟ ସୀମାନ୍ତରୁ ବିହାର ଚାଲାଣ ବେଳେ ଧରାପଡିଛି ଗଞ୍ଜେଇ ଟ୍ରକ । କାରବାରରେ ଲିପ୍ତ ଅଭିଯୋଗରେ ସଦର ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିହାର ବକ୍ସର ଜିଲ୍ଲା ହରିକ୍ରିଷ୍ଣପୁରର ସୋନିକୁମାର ପାଣ୍ଡେ(୨୯) ଏବଂ ଓମ୍ପ୍ରକାଶ ପାଣ୍ଡେ(୨୬) । ଉଭୟଙ୍କ ପାଖରୁ ଟ୍ରକ୍ ସହ ୪୬୧ କେଜି ଗଞ୍ଜେଇ ଏବଂ ୨ଟି ମୋବାଇଲ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଅପରାହ୍ନରେ ଏକ ଟ୍ରକ୍ରେ କୋରାପୁଟ ପଟୁ ଗଞ୍ଜେଇ ଜୟପୁର ଅଭିମୁଖେ ଆସୁଥିବା ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଖବର ମିଳିଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ, ତୁଳାରାମ ପୂଜାରୀ, ଘେନୁ ଖେମୁଣ୍ଡୁ ପ୍ରମୁଖ ଅନ୍ୟ କର୍ମଚାରୀଙ୍କ ସହ ଏନଏଚ୍-୨୬ କୋରାପୁଟ ଘାଟି ଶିବ ମନ୍ଦିର ନିକଟରେ ଛପି ରହିଥିଲେ । ଏହି ସମୟରେ କୋରାପୁଟ ପଟୁ ଟ୍ରକ୍(ଡବ୍ଲୁବି-୧୯ ଏଫ-୯୯୧୨) ଆସିଥିଲା । ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଟ୍ରକ୍ କ୍ୟାବିନ୍ରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ସେଥିରେ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଟ୍ରକ୍ ଥାନାକୁ ଆଣି ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇ ଜବତ କରାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ କୋରାପୁଟ ସୀମାନ୍ତରୁ ଲୋଡିଂ କରାଯାଇଥିବା ଅଭିଯୁକ୍ତ ମାନିଥିଲେ । ପୁଲିସ ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ନବୀନ କୁମାର ଟପ୍ପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ସାଢେ ୫ ମାସରେ ସଦର ପୁଲିସ ୨୦ଟି ଗଞ୍ଜେଇ ମାମଲା ରୁଜୁ କରିଛି । ସେ ଭିତରେ କେବଳ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରହିଛି ୬ଟି ମାମଲା । ଆଜି ଅର୍ଥାତ୍ ଜୁନ୍ ୨୨କୁ ମିଶାଇ ୨୦ଟି ମାମଲାରେ ୫୨ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ପାଖରୁ ୭ ହଜାର ୨୭୬ କେଜି ଗଞ୍ଜେଇ ଜବତ କରାଯାଇଛି । ୫ଟି ଟ୍ରକ, ୨ଟି କଣ୍ଟେନର, ୧୧ଟି କାର, ୨ଟି ଭ୍ୟାନ୍, ୪ଟି ବାଇକ୍, ଗୋଟିଏ ଲେଖାଏଁ ଅଟୋ ଓ ସ୍କୁଟି ସହ ୫୧ ଟି ମୋବାଇଲ ଫୋନ୍ ଏବଂ ନଗଦ ୯ ଲକ୍ଷ ୭୮ ହଜାର ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୭ କୋଟି ୧୫ ଲକ୍ଷ ଟଙ୍କା ହେବ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons