ଟ୍ରକ ଧକ୍କାରେ ବାପା ମା ମୃତ, ଝିଅ ଗୁରୁତର

Get real time updates directly on you device, subscribe now.

ଯାଜପୁର : ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଯାଇଛି ଏକ ଦମ୍ପତିଙ୍କ ଜୀବନ। ଅନାଥ ହୋଇଯାଇଛି ସେମାନଙ୍କ ୮ ବର୍ଷର ଝିଅ। ତା’ ଅବସ୍ଥା ବି ଗୁରୁତର ରହିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟରେ।
ମୃତକ ଦ୍ୱୟ ହେଲେ ଲକ୍ଷ୍ମୀକାନ୍ତ ମାଟିଆ ଓ ତାଙ୍କ ପତ୍ନୀ ମଞ୍ଜୁଲତା। ସେମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ର ବଡ଼ଦେଉଳି ଗାଁର ବାସିନ୍ଦା ଥିଲେ। ଆହତ ହୋଇଥିବା ସେମାନଙ୍କ ଝିଅର ନାଁ ଗାୟତ୍ରୀ। ସେମାନେ ଆଜି ଏକ ବାଇକ୍ ଯୋଗେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ନେଉଳପୁର ଠାରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କର ୮ ବର୍ଷର ଝିଅର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କ୍ଷତିପୂରଣ ସହିତ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତା’ ପ୍ରତିବାଦରେ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଧର୍ମଶାଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons