ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ତୁଷୁରା-ଦେଓଗାଁ ରାସ୍ତା ମହୀପୁର ଛକ ପାଖରେ ଏକ ମିନିଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଭାଇଭଉଣୀଙ୍କ ମୃତୁ୍ୟ ଘଟିଛି । ମୃତ ଦୁଇ ଭାଇଭଉଣୀ ହେଲେ ମୁରିବାହାଲ ବ୍ଲକ ପଙ୍ଗୁନିଆ ଗାଁର ମଣ୍ଟୁ ବେନିଆ(୨୧) ଓ ସଞ୍ଜୁ ବେନିଆ (୧୪) । ଦେଓଗାଁ ବ୍ଲକ ସାଲେପାଲିସ୍ଥିତ ଆଶ୍ରମ ସ୍କୁଲକୁ ଯାଉଥିବା ବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଗୁଡଭେଲା ତହସିଲଦାର
ଏବଂ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ଓ ଗାଡି ମାଲିକଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ ପରେ ଲୋକେ ରାସ୍ତାରୋକରୁ ହଟିଥିଲେ । ଏନେଇ ତୁଷୁରା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନାମତେ, ମୁରିବାହାଲ ବ୍ଲକ ପଙ୍ଗୁନିଆ ଗାଁର ସଞ୍ଜୁ ବେନିଆ ଦେଓଗାଁ ବ୍ଲକସ୍ଥିତ ସାଲେପାଳି ଆଶ୍ରମ ସ୍କୁଲରେ ପଢ଼ୁଥିଲା । ଦଶହରା ଛୁଟିରେ ଘରକୁ ଯାଇ ଆଜି ସକାଳେ ଭାଇ ମଣ୍ଟୁଙ୍କ ସହ ଏକ ବାଇକ(ଓଆର୦୩ସି ୬୪୯୦) ଯୋଗେ ସ୍କୁଲ ଯାଉଥିଲେ । ତେବେ ମହୀପୁର ଛକର କେନ୍ଦୁଲିଫ କାର୍ଯ୍ୟାଳୟ ପାଖ ବୁଲାଣିରେ ଏକ ମିନିଟ୍ରକ(୧୧୦୯ ଓଡ଼ି୦୩ ୪୩୨୧) ତାଙ୍କ ବାଇକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଦୁଇ ଭାଇଭଉଣୀ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ମହୀପୁର ଗ୍ରାମବାସୀ ତଥା ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ, ତହସିଲାଦର ଚନ୍ଦ୍ରମଣି ନାଗ ଘଟଣାସ୍ଥଳକୁ ଯାଇ ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ ଗାଡ଼ି ମାଲିକ ୧ ଲକ୍ଷ ୧୦ହଜାର ଟଙ୍କା ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ପ୍ରକାଶ ଯୋଗ୍ୟଯେ, ଏହି ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁଇଟି ରାସ୍ତା ଯେମିତି ସ୍ପଷ୍ଟ ଦେଖାଯିବ ସେଥିପାଇଁ ତିନୋଟି ଗଛ କାଟିବା ଲାଗି ତହସିଲଦାର ଶ୍ରୀ ନାଗ ଏନଏସି ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ରାସ୍ତା ଓସାରିଆ କରିବା ତଥା ତିନୋଟି ହମ୍ପସ୍ ଦେବା ପାଇଁ ବଲାଙ୍ଗୀର ରାସ୍ତା ଓ କୋଠାବାଡ଼ି ନିର୍ମାଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଆନେ୍ଦାଳନ ହଟିବା ପରେ ପୁଲିସ ତୁଷୁରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଆନେ୍ଦାଳନରେ ନରେଶ ବାଗ, ଯେମନ୍ତ ବାଗ, ନବୀନ କୁମ୍ଭାର, ରାଧେ କୁମ୍ଭାର, ମଣି ଲୁହା, ରାମ କହଁର, କ୍ଷୀରସିନ୍ଧୁ ବାଗ, ତୁଷୁରା ଏନଏସି କାଉନସିଲର ପ୍ରମୋଦ ନନ୍ଦ, ହିମାଂଶୁ ଭୋଇ, ସହଦେବ ଭୋଇ, ହରି ଭୋଇ, ଦୟାସାଗର ଭୋଇ, ଗୋପାଳ ଭୋଇ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉକି କିଛି ବର୍ଷ ତଳେ ମୃତ ଭାଇଭଉଣୀଙ୍କ ପିତା ଗୁପ୍ତେଶ୍ୱରଙ୍କ ମଧ୍ୟ ଦୁର୍ଘଟଣାରେ ମୃତୁ୍ୟ ଘଟିଥିଲା । ଏବେ ଘରେ ମୃତକଙ୍କ ସାନଭାଇ ଏବଂ ମା’ ଅଛନ୍ତି । ପରିବାରର ରୋଜଗାରକ୍ଷମ ବଡ଼ପୁଅ ଏବଂ ଝିଅକୁ ହରାଇ ମା’ ଅସହାୟ ହୋଇପଡିଛନ୍ତି ।
Comments are closed, but trackbacks and pingbacks are open.