ଜୟପୁର,(ବି.ବି.ନୁ୍ୟଜ୍): ଲମତାପୁଟରୁ ହରିୟାଣା ଗଞ୍ଜେଇ ଚାଲାଣ ବେଳେ ସଦର ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି କେତ୍ରା, ବିକ୍ରେତା ଏବଂ ପରିବହନକାରୀ । ଅଭିଯୁକ୍ତମାନେ ହେଲେ ଲମତାପୁଟ ଦେଉଳପଡାର ଗଞ୍ଜେଇ ମାଫିଆ ମଧୁ ପାଙ୍ଗି(୨୬), ପାଙ୍ଗିପୁଟର ଜୟରାମ ଖଡା(୨୪), ବ୍ରାହ୍ମଣିପୁଟର ପ୍ରମୋଦ କିର୍ସାନୀ ଓରଫ ପମ(୨୩) । ହରିୟାଣାର ମହମ୍ମଦ ସଲିମ(୨୦), ମହମ୍ମଦ ମଜଲିସ(୨୬), ଟ୍ରକ(ପାର୍ସଲ ଭ୍ୟାନ୍) ଡ୍ରାଇଭର ମହମ୍ମଦ ସାହିବ(୨୨) ଏବଂ ହେଲପର ରାଜସ୍ଥାନ ଅଲୱର ଜିଲ୍ଲାର ପରଭେଜ(୧୯) । ସେମାନଙ୍କ ପାଖରୁ ୪୮୬ କେଜି ୧୦୦ ଗ୍ରାମ ଗଞ୍ଜେଇ, ଏକ କଣ୍ଟେନର, ଏକ ବାଇକ, ୧୩୦ ବସ୍ତା କପା ମଞ୍ଜି, ୫ଟି ମୋବାଇଲ ଏବଂ ନଗଦ ୪ ହଜାର ୮୫୦ ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ କହିଛନ୍ତି ।
୪ ତାରିଖ ପୂର୍ବାହ୍ନ ୧୧ଟାରେ ଏକ ପାର୍ସଲ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡ ଖବର ପାଇଥିଲେ । ସଂଗେ ସଂଗେ ଏସଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସପନ କୁମାର ସରକାର ଏବଂ ଅନ୍ୟ କର୍ମଚାରୀଙ୍କୁ ଧରି ସହର ଉପକଣ୍ଠ ଜାତୀୟ ରାଜପଥ-୩୨୬ ସତୀଗୁଡା ବ୍ରିଜ୍ ନିକଟରେ ପହଞ୍ଚିଥିଲେ । ଟ୍ରକ୍(ଆରଜେ ୧୪ ଜିକେ-୫୬୭୧)କୁ ଅଟକାଇ ଯାଞ୍ଚ କରିଥିଲେ । ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ଗାଡିରେ ଥିବା ସମସ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ସେମାନେ କହିଥିଲେ, ରାୟଗଡାରୁ କପା ମଞ୍ଜି ବୋଝେଇ କରି ରାଜସ୍ଥାନ ଯାଉଥିଳେ । ଟ୍ରକରେ ଗଞ୍ଜେଇ ନେଲେ ଲକ୍ଷାଧିକ ଟଙ୍କା ଦିଆଯିବ ବୋଲି ଗାଡି କର୍ମଚାରୀଙ୍କୁ ମାଫିଆମାନେ କହିଥିଲେ । ଗାଡି ରାୟଗଡାରୁ ବାହାରି ଲମତାପୁଟରେ ପହଞ୍ଚିବା ପରେ ସେଠାରେ ଗଞ୍ଜେଇ ଲୋଡିଂ ହୋଇଥିଲା । ଗାଡି କ୍ୟାବିନ୍ରେ ଗୁପ୍ତ ଭାବେ ରଖାଯାଇଥିଲା ୯୩ ପ୍ୟାକେଟ । ଏହା ଧରାପଡ଼ିବା ପରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା । ଏସ୍ଆଇ ନବୀନ କୁମାର ଟପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୧୫ ଦିନ ଭିତରେ ସଦର ପୁଲିସ ୪ଟି ଗଞ୍ଜେଇ ମାମଲା ରୁଜୁ କରିଛି । ମୋଟ ୩ ହଜାର ୭୭୨ କେଜି ଗଞ୍ଜେଇ ଜବତ କରିଛି । ମାମଲାରେ ଜଡିତ ୧୮ ଜଣଙ୍କୁ ଗିରଫ କରାଯାଇଛି । ଜୁଲାଇ ୨୦ ତାରିଖରେ ସଦର ପୁଲିସ କୋରାପୁଟ ଘାଟିରେ ଚଢଉ କରି ୧ ଟନ୍ରୁ ଅଧିକ ଗଞ୍ଜେଇ ଧରିଥିଲା । କାରବାରରେ ଲିପ୍ତ ୪ ଜଣଙ୍କୁ ଗିରଫ କରିଥିଲା । ଏଥିସହ ଏକ ଟ୍ରକ୍, ୯ଟି ପାଣିଟାଙ୍କି ଜବତ କରିଥିଲା । କାରବାରର ମାଷ୍ଟରମାଇଣ୍ଡ କାଳୁ ଶର୍ମା, ଦିଲ୍ଲୀପ ବାହାଦୁର ଓରଫ ଢୋଲୁ ଏବଂ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ୨୫ ତାରିଖରେ ଏକ ଗୋଖାଦ୍ୟ ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ୨ ଟନ୍ ୧୭୩ କେଜି ୨୦୦ ଗ୍ରାମ ଗଞ୍ଜେଇ । କାରବାରରେ ବ୍ୟବହୃତ ଏକ ଟ୍ରକ, ଭ୍ୟାନ, କାର, ୩ଟି ଦୁଇ ଚକିଆ ଗାଡି ଏବଂ ୪୦ ପ୍ୟାକେଟ ଗୋଖାଦ୍ୟ ଜବତ ହୋଇଥିଲା । ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଫେରାର ହୋଇଯାଇଥିଲେ କାରବାରର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ମଣ୍ଡଳ ଏବଂ ଇମ୍ରାନ ସହ ଅନ୍ୟମାନେ । ସେହିପରି ଅଗଷ୍ଟ ୧ରେ ଏକ କାରରେ ଗଞ୍ଜେଇ ଚାଲାଣ ବେଳେ ପାତ୍ରପୁଟ ବ୍ରିଜ୍ ନିକଟରେ ଚଢଉ କରାଯାଇ ଧରାଯାଇଥିଲା ୧୧୨ କେଜି ୮୦୦ ଗ୍ରାମ । କାରବାରରେ ଲିପ୍ତ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ଏକ କାର, ୪ଟି ମୋବାଇଲ ଜବତ କରାଯାଇଥିଲା । କାରବାରର ମାଷ୍ଟର ମାଇଣ୍ଡ ଲମତାପୁଟର ହାପି ଓରଫ ଆଲେକ୍ସ ଖ୍ରୀଷ୍ଟିଆନୋ, ସମୀର ଓରଫ ସୁନାଧର ପାଙ୍ଗି ଏବଂ ଉପେନ୍ଦ୍ର ପାଙ୍ଗି ଫେରାର ହୋଇଯାଇଥିଲେ ।
Comments are closed, but trackbacks and pingbacks are open.