ଟ୍ରମ୍ପ୍ଙ୍କୁ ଜବାବ ଦେଲା ଚୀନ୍

Get real time updates directly on you device, subscribe now.

ବେଜିଂ: ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ବୟାନ ଦେଇଛନ୍ତି, ତାହାର ଜବାବ ରଖିଛି ଚୀନ୍ । ଆମେରିକାର ସ୍ୱାର୍ଥକୁ ସୁହାଇବା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସଂଜ୍ଞା ନିରୂପଣ ହୋଇପାରିବ ନାହିଁ ବୋଲି ଚୀନ୍ କହିଛି ।
ଚୀନ୍ର ରାଷ୍ଟ୍ରାୟତ୍ତ ‘ପିପୁଲ୍ସ ଡେଲି’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ଦର୍ଶାଯାଇଛି ଯେ କେତେକ କ୍ଷମତାଶାଳୀ ରାଷ୍ଟ୍ରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନୀତି ତିଆରି କରିପାରିବ ନାହିଁ । ଏଥିପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି ଏବଂ ରାଷ୍ଟ୍ରଗୁଡ଼ିକର ମଧ୍ୟ ନିଜ ସମାନ ଅଧିକାର ରହିଛି । ଆମେରିକା ଭଳି ଅଳ୍ପ କେତୋଟି ରାଷ୍ଟ୍ର ଏହା ନିର୍ଦ୍ଧାରଣ କରିପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ, ଚୀନ୍, ଭାରତ ଭଳି କେତେକ ରାଷ୍ଟ୍ରକୁ ଟାର୍ଗେଟ୍ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏକ ନକାରାତ୍ମକ ବୟାନ ଦେଇଥିଲେ । ବିଶ୍ୱ ବାଣିଜ୍ୟରେ ସୁବିଧା ସୁଯୋଗ ପାଇବା ପାଇଁ ଏହି ଦେଶଗୁଡ଼ିକ ନିଜକୁ ବିକାଶଶୀଳ ରାଷ୍ଟ୍ର ଘୋଷଣା କରିଛନ୍ତି । ଏମାନଙ୍କୁ ଯେମିତି ସୁବିଧା ସୁଯୋଗ ନମିଳେ, ସେଥିପାଇଁ ୯୦ ଦିନ ମଧ୍ୟରେ ନିୟମ ବଦଳାଇବା ଲାଗି ନିର୍ଦ୍ଦେଶ ଦେଇଛି ଟ୍ରମ୍ପ୍ ପ୍ରଶାସନ ।
ଟ୍ରମ୍ପ୍ଙ୍କ କହିବାନୁଯାୟୀ ଡବ୍ଲ୍ୟୁଟିଓର ପାଖାପାଖି ଦୁଇତୃତୀୟାଂଶ ସଦସ୍ୟ ସେମାନଙ୍କୁ ବିକାଶଶୀଳ ଦେଶ ବିବେଚନା କରି ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବା ଲାଗି ବିଶ୍ୱ ବାଣିଜ୍ୟ ସଂଗଠନରେ ଦାବି କରୁଛନ୍ତି । ସେମାନଙ୍କୁ ସୁଯୋଗ ମିଳୁଛି ମଧ୍ୟ । ତେଣୁ ସେମାନଙ୍କୁ ରୋକିବା ଲାଗି ଯେତେ ପ୍ରକାର ବିକଳ୍ପ ବ୍ୟବସ୍ଥା ରହିଛି, ତାହାକୁ ଆପଣାଇବା ପାଇଁ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ୯୦ ଦିନ ସମୟ ଦେଇଛନ୍ତି ସେ । ଟ୍ରମ୍ପ୍ଙ୍କ ଏହି ନିର୍ଦ୍ଦେଶ ଭାରତ ଭଳି ଦେଶ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଉଲ୍ଲେଖଯୋଗ୍ୟ, ଆମେରିକା ଆଉ ଭାରତକୁ ବିକାଶଶୀଳ ରାଷ୍ଟ୍ର ବିବେଚନା କରୁନାହିଁ । ଭାରତଠାରୁ ଏହା ଜିଏସ୍ପି ପ୍ରତ୍ୟାହାର କରିନେଇଛି ।
ଟ୍ରମ୍ପ୍ ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ଚୀନ୍ ପ୍ରତିକ୍ରିୟା ପ୍ରକାଶ କରିଛି । ଆମେରିକାର ଏଭଳି ସୁରକ୍ଷାବାଦୀ ନୀତିକୁ ବରଦାସ୍ତ କରାଯିବ ନାହିଁ । ଡବ୍ଲ୍ୟୁଟିଓରେ ଆମେରିକାର ପ୍ରଭାବ ରହିଥିବାରୁ ଏହା ଏକଚାଟିଆ ଭାବେ ପଦକ୍ଷେପ ନେଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ନାଗରିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ଅନେକ ନକାରାତ୍ମକ ଯୋଜନା ହାତକୁ ନେଇଛନ୍ତି । ବିଶେଷକରି ଆମେରିକାରେ ଏହାର ନାଗରିକଙ୍କୁ ଯେମିତି ଅଧିକ ନିଯୁକ୍ତି ସୁଯୋଗ ମିଳିବ, ସେଥିପାଇଁ ଭିସା ନୀତି କଠୋର କରାଯାଇଛି । ଭାରତ ଭଳି ଦେଶକୁ ମିଳୁଥିବା ଟିକସ ରିହାତି ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି । ଚୀନ୍ ସହ ବାଣିଜ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ କରିଛି ଆମେରିକା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons