ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ତଥା ସବୁବେଳେ କଡ଼ା ସୁରକ୍ଷା ଭିତରେ ରହୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଟ୍ରମ୍ପ ଗୁରୁବାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଆମେରିକାରେ ବ୍ୟାପକ ରାଜନୈତିକ ଅନିଶ୍ଚିତତା ଦେଖାଦେଇଛି ।
କୁହାଯାଉଛି କି ଟ୍ରମ୍ପଙ୍କର ଜଣେ ପ୍ରମୁଖ ମହିଳା ପରାମର୍ଶଦାତା ହୋପ୍ ହିକ୍ସଙ୍କ ଠାରୁ ଟ୍ରମ୍ପଙ୍କୁ କରୋନା ଭାଇରସ ଡେଇଁଛି । ହିକ୍ସ ବୁଧବାର କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲେ । ସେହିଦିନ ମିନସୋଟାରେ ଆୟୋଜିତ ଏକ ର୍ୟାଲିରେ ଟ୍ରମ୍ପ ଯୋଗ ଦେଇଥିଲେ ଏବଂ ହିକ୍ସ ବି ତାଙ୍କ ସହ ସେଠାକୁ ଯାଇଥିଲେ । ସେହିପରି ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆୟୋଜିତ ପ୍ରଥମ ସାର୍ବଜନୀନ ବିତର୍କ କାର୍ଯ୍ୟକ୍ରମ ପାଇଁ ବି ହିକ୍ସ ଟ୍ରମ୍ପଙ୍କ ସହ ଏୟାରଫୋର୍ସ ୱାନ୍ ବିମାନରେ ଯାତ୍ରା କରିଥିଲେ । କିନ୍ତୁ ବୁଧବାର ମିନସୋଟା ର୍ୟାଲିରୁ ଫେରିବା ସମୟରେ ହିକ୍ସଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ବିମାନ ଭିତରେ ଅଲଗା ବସାଯାଇଥିଲା । ସେଇଦିନ ହିଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ ପଜିଟିଭ୍ ବାହାରିଥିଲେ ।
ହେଲେ ଏହା ଜାଣିବା ପରେ ପରେ ବି ଟ୍ରମ୍ପ ଗୁରୁବାର ନୁ୍ୟଜର୍ସି ଯାଇ ସେଠାରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯାହାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି । ଗୁରୁବାର ଟ୍ରମ୍ପ ଓ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଟ୍ରମ୍ପ ଟ୍ୱିଟ୍ କରିଥିଲେ ଯେ ମୁଁ ଏବଂ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଛୁ । ଆମେ ଏକାଠି ଏହାର ମୁକାବିଲା କରିବୁ । ଟ୍ରମ୍ପଙ୍କ ଏହି ଟ୍ୱିଟ୍ ସାଙ୍ଗେସାଙ୍ଗେ ବିଶ୍ୱର ସବୁ ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ସମ୍ବାଦ ପାଲଟିଯାଇଥିଲା । ଏହାପରେ ବିଭିନ୍ନ ଦେଶରେ ଷ୍ଟକମାର୍କେଟ ସୂଚକାଙ୍କରେ ଅବନତି ଦେଖିବାକୁ ମିଳିଥିଲା ।
ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହ୍ୱାଇଟହାଉସର ମେଡିକାଲ ଟିମ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେମାନେ ଆସନ୍ତା କିଛି ଦିନ ହ୍ୱାଇଟହାଉସ ପରିସରରେ କ୍ୱାରେଣ୍ଟିନରେ ରହିବେ । ଆମେରିକାରେ କରୋନା ସଂକ୍ରମିତଙ୍କୁ ଅତି କମରେ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବାର ନିୟମ ରହିଛି । ତେଣୁ ଟ୍ରମ୍ପ ଏବଂ ମେଲାନିଆ ବି ଅତିକମରେ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବେ ବୋଲି ମନେ କରାଯାଉଛି । ତେବେ ଉଭୟଙ୍କ ପାଖରେ କରୋନା ଜନିତ ଲକ୍ଷଣ ପ୍ରକାଶ ପାଇଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ କରାଯାଇନାହିଁ । ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିନ୍ତୁ ଚିନ୍ତା ପ୍ରକାଶ ପାଉଛି । ତାଙ୍କର ବୟସ ୭୪ ବର୍ଷ ଏବଂ ଏହି ବୟସର ବ୍ୟକ୍ତିଙ୍କ ପାଇଁ କରୋନା ଅଧିକ ବିପଦଜନକ । ଆମେରିକାର ସେଣ୍ଟରସ ଫର ଡିଜିଜ କଣ୍ଟେ୍ରାଲ ଏଣ୍ଡ ପ୍ରିଭେନସନ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ୧୮ରୁ ୨୯ ବର୍ଷ ବୟସର କରୋନା ରୋଗୀଙ୍କ ତୁଳନାରେ ୬୫ରୁ ୭୪ ବର୍ଷ ବୟସର ରୋଗୀଙ୍କର ଗୁରୁତର ହେବା ସମ୍ଭାବନା ୫ ଗୁଣ ଏବଂ ମୃତୁ୍ୟ ସମ୍ଭାବନା ୯୦ ଗୁଣ ଅଧିକ ଥାଏ । ଟ୍ରମ୍ପଙ୍କର ମଧ୍ୟ ମେଦବହୁଳତା ସମସ୍ୟା ରହିଛି । ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ କରୋନା ମାରାତ୍ମକ ସାବ୍ୟସ୍ତ ହୁଏ ।
ଟ୍ରମ୍ପଙ୍କ ଅବସ୍ଥା ବିଗିଡ଼ିଲେ ଆମେରିକାରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇପାରନ୍ତି । ଏମିତିକି ରିପବ୍ଲିକାନ ପାର୍ଟି ତାଙ୍କ ବଦଳରେ ଅନ୍ୟ କାହାକୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମାତ୍ର ୩୨ ଦିନ ବାକି ଥିବାରୁ ଟ୍ରମ୍ପ ଏବେ କରୋନାରେ ଆକ୍ରାନ୍ତ ହେବା ବଡ଼ ଜଟିଳ ରାଜନୈତିକ ସମସ୍ୟା ସୃଷ୍ଟି କରିଛି । ଟ୍ରମ୍ପ ନିଜ ସ୍ୱାସ୍ଥ୍ୟାବସ୍ଥା ଯୋଗୁ ନିର୍ବାଚନ ପ୍ରଚାରରେ ଭାଗ ନେଇପାରିବେ ନାହିଁ । ତେଣୁ ସେଠାରେ ନିର୍ବାଚନ ଘୁଞ୍ଚାଇବାକୁ ଦାବି ଉଠିପାରେ ।
ହ୍ୱାଇଟହାଉସର ଶତାଧିକ କର୍ମଚାରୀ, ଆମେରିକାର ଅନେକ ରାଜନେତା, ଟ୍ରମ୍ପଙ୍କ ପରିବାରର କିଛି ସଦସ୍ୟ ଏବଂ ବହୁ ସାଧାରଣ ଲୋକ ବି ଗତ ସାତ ଦିନ ଭିତରେ ହିକ୍ସ କିମ୍ବା ଟ୍ରମ୍ପଙ୍କ ସଂସ୍ପର୍ଶରେ ଆସିଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଶୁକ୍ରବାର କରୋନା ନେଗେଟିଭ୍ ବାହାରିଛନ୍ତି । ତେବେ ଏତେ ସଂଖ୍ୟକ କର୍ମଚାରୀ ଓ ବରିÂ ଅଧିକାରୀ ଯଦି କରୋନାରେ ସଂକ୍ରମିତ ହୁଅନ୍ତି, ତାହାହେଲେ ଆମେରିକାର ଶାସନ ଏବଂ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଅଚଳାବସ୍ଥା ଦେଖାଦେଇପାରେ । ବିଶ୍ୱର ଅନେକ ପ୍ରମୁଖ ନେତା ଟ୍ରମ୍ପ ଓ ମେଲାନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ।
Comments are closed, but trackbacks and pingbacks are open.