
ବାଲିକୁଦା,(ରାକେଶ ଦାସଙ୍କ ରିପୋର୍ଟ): ପୁଅ କରୋନ । ଆକ୍ରାନ୍ତ ହୋଇ ଘରେ ଏକାନ୍ତବାସରେ ରହୁଥିବା ବେଳେ ମା’ର ମୃତୁ୍ୟ ଘଟିଲା । ତେବେ କରୋନା ସନେ୍ଦହରେ ସାହିଭାଇ କେହି ମୃତଦେହକୁ ଛୁଇଁବାକୁ ରାଜି ହେଲେନି । ଶେଷରେ ବାଧ୍ୟ ହୋଇ ଏକାନ୍ତବାସରୁ ବାହାରି ଏକ ଟ୍ରଲି ଯୋଗେ ମା’ର ମୃତଦେହକୁ ଏକା ଏକା ଶ୍ମଶାନକୁ ବୋହି ନେଇଥିଲା କୋଭିଡ୍ ଆକ୍ରାନ୍ତ ପୁଅ । ଶବାଧାର ପଛେ ପଛେ ଗୋବରପାଣି ସିଞ୍ଚିଥିଲେ ବୋହୂ । ଶ୍ମଶାନରେ ଏକା ଏକା ମା’ର ଅନ୍ତିମ ସକôାର କରିଥିଲା ପୁଅ ।
ଏମିତିକା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତର ତଳକୁଷୁମା ଗାଁରେ । ସାହିଭାଇ ସମ୍ପର୍କ ମଝିରେ କରୋନା କେମିତି ପାଚେରି ହୋଇ ଛିଡ଼ା ହୋଇଛି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ପୁଅ ଏକା ମା’ର ଶେଷକୃତ୍ୟ କରିବା ଘଟଣାକୁ ସାହି ଭାଇ ଦେଖୁଥିଲେ ବି କରୋନା ସଂକ୍ରମଣ ଡରରେ ସମସ୍ତେ ଚୁପ୍ ରହିଥିଲେ । କରୋନାର ଏଭଳି କରୁଣ ଚିତ୍ର ଆଜି ଅଞ୍ଚଳର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ମିଳିଥିବା ସୂଚନା ଅନୁସାରେ ତଳକୁଷୁମା ଗାଁର ସ୍ୱର୍ଗତ ଦୋଳଗୋବିନ୍ଦ ରାଉତଙ୍କ ପତ୍ନୀ ପଦ୍ମାବତୀ ରାଉତଙ୍କର ଆଜି ମଧ୍ୟାହ୍ଣରେ ମୃତୁ୍ୟ ଘଟିଥିଲା । ୭୦ ବର୍ଷୀୟ ବୃଦ୍ଧା ପଦ୍ମାବତୀ ନିଜ ଘର ଦାଣ୍ଡ ପିଣ୍ଡାରେ ବସିଥିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ । ମା’ ତଳେ ପଡ଼ିଯାଇଥିବା ଦେଖି ଶାଶୂଙ୍କ ନିକଟକୁ ଧାଇଁ ଆସି ବୋହୂ ପ୍ରତିମା ସଙ୍ଗେସଙ୍ଗେ ତାଙ୍କୁ କୋଳେଇ ନେଇଥିଲେ । ନିଜେ କରୋନା ଆକ୍ରାନ୍ତ ହୋଇ ଘରେ ଏକାନ୍ତବାସରେ ଥିବାରୁ ପ୍ରଥମେ ମା’ଙ୍କୁ ଛୁଇଁ ନଥିଲେ ପୁଅ କିଶୋର । ଆହତ ମା’ଙ୍କୁ କେହି ଡାକ୍ତରଖାନାକୁ ନେଇଯିବେ ବୋଲି ସେ ଭାବିଥିଲେ । ହେଲେ ପରେ ମା’ ମୃତୁ୍ୟବରଣ କରିଥିବା ଜାଣିଥିଲେ । ମା’ ମରିଯିବା ପରେ ଉପାୟଶୂନ୍ୟ ହୋଇପଡ଼ିଥିଲେ ପୁଅ କିଶୋର । ସେପଟେ କଟକରେ ରହୁଥିବା କିଶୋରଙ୍କ ବଡ଼ ଭାଇ, ଭାଉଜ ଓ ପୁତୁରା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇସୋଲେସନ୍ରେ ଥିବାରୁ ମା’ଙ୍କ ମୃତୁ୍ୟ ଖବର ପାଇ ସୁଦ୍ଧା ମା’ଙ୍କ ଶେଷ ଦର୍ଶନ ବା ଅନ୍ତିମ ସକ୍ରାର କରିବାକୁ ଗାଁକୁ ଆସିପାରି ନଥିଲେ । ମା’ଙ୍କ ଶବାଧାରକୁ କାନ୍ଧ ଦେଇପାରି ନଥିଲେ । ବାଧ୍ୟ ହୋଇ ସାନପୁଅ କିଶୋର ମା’ର ଶବ ସକ୍ରାର ପାଇଁ ଏକା ଏକା ଅଣ୍ଟା ଭିଡ଼ିଥିଲେ । କିଶୋରଙ୍କୁ ଜ୍ୱର ହେବାରୁ ସେ କିଛି ଦିନ ତଳେ ଔଷଧ ଖାଇବା ସହିତ କରୋନା ପରୀକ୍ଷା କରାଇଥିଲେ । ଗତ ସୋମବାର ଦିନ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଘରକୁ ଡାକ୍ତରୀ ଦଳ ଆସି ଆବଶ୍ୟକ ଔଷଧ ଦେବା ସହିତ ସେବନ ପଦ୍ଧତି ଓ ଆବଶ୍ୟକ ସତର୍କତା ସମ୍ପର୍କରେ ବୁଝାଇ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇ ଚାଲି ଯାଇଥିଲେ । ତେବେ ଆଜି ମା’ଙ୍କ ମୃତୁ୍ୟ ପରେ କାଳେ ସେ ମଧ୍ୟ କରୋନା ପଜିଟିଭ୍ ହୋଇଥିବେ ବୋଲି ଭାବି ସାହିଭାଇରେ କେହି ହେଲେ ତାଙ୍କ ଘରକୁ ପାଦ ପକାଇ ନଥିଲେ । ଖବର ପାଇ ସମିତି ସଭ୍ୟ ନୀଳମଣି ବେହେରା, ସମାଜସେବୀ ମାନସ ପରିଡ଼ା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ରଜରାଜ ପରିଡ଼ା, ୱାର୍ଡ ସଭ୍ୟ ସୁରେନ୍ଦ୍ର ପରିଡ଼ା ପ୍ରମୁଖ ତାଙ୍କ ଘର ନିକଟରେ ପହଞ୍ଚି ଶବ ସକ୍ରାର ନିମନ୍ତେ ଆବଶ୍ୟକ ଜାଳେଣି କାଠ ସବୁ ଟ୍ରଲିରେ ଲଦିବାରେ ସହଯୋଗ କରିଥିଲେ । ପରେ କିଶୋର ନିଜ ମା’ଙ୍କ ମୃତଦେହକୁ ଏକା ଏକା ଟ୍ରଲିରେ ବୋହି ନେଇ ମଶାଣିରେ ଶେଷକୃତ୍ୟ କରିଥିଲେ । ଏଭଳି ଦୁଃଖଦ କରୁଣ ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।


Comments are closed, but trackbacks and pingbacks are open.