କୋକସରା,(ବି.ବି.ନୁ୍ୟଜ): କୋକସରା ବ୍ଲକ ମାଝୀଗୁଡ଼ା ଟେମରାଠାରେ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ମୃତ ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ମାଝୀଗୁଡ଼ା ଗାଁର ଗଣେଶ୍ୱର ପୁଞ୍ଜିଙ୍କ ପୁଅ ଡିସେମ୍ବର ପୁଞ୍ଜି ।
ସୂଚନାମତେ, କୋକସରା ଗାଁର ଜଣେ ଠିକାଦାରଙ୍କ ଟ୍ରାକ୍ଟରଟି ଟେମରାଠାରେ ରାସ୍ତା କାମରେ ନିୟୋଜିତ ଥିଲା । ଏଥିରେ ଡ୍ରାଇଭର ଭାବେ ଡିସେମ୍ବର କାମ କରୁଥିଲେ । ତେବେ ହାଇଡ୍ରୋଲିକ୍ ଟ୍ରାକ୍ଟରର ଟ୍ରଟିରୁ ମାଲ୍ ଖଲାସ୍ ହେବା ପରେ ଉଠିଥିବା ଟ୍ରଲିଟି ତଳକୁ ଖସିଥିଲା । ଏହି ସମୟରେ କୌଣସି କାମରେ ଟ୍ରଲି ତଳେ ଥିବା ଡିସେମ୍ବରଙ୍କ ମୁଣ୍ଡ ଟ୍ରଲି ତଳେ ଚାପି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ କୋକସରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବି କରି ପରିବାର ଓ ଗ୍ରାମବାସୀଙ୍କ ଉତ୍ତେଜନା ଦେଖାଦେଇଥିଲ । ପୁଲିସ ସ୍ଥାନୀୟ ସରପଞ୍ଚ କୈକେଇ ନାଏକଙ୍କ ଉପସ୍ଥିତିରେ ଗ୍ରାମବାସୀ ସହ ଟ୍ରାକ୍ଟର ମାଲିକଙ୍କୁ ଡାକି ଆପୋସ ବୁଝାମଣା କରିଥିଲେ । ପରେ ଟ୍ରାକ୍ଟର ମାଲିକ ମୃତକ ଯୁବକର ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ସହ ପୁଲିସ ଉପସ୍ଥିତିରେ ପରିବାରକୁ କିଛି କ୍ଷତିପୂରଣ ରାଶି ଦେବାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା । ଏନେଇ କୋକସରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.