
ଓଡ଼ାପଡ଼ା,(ବି.ବି.ନୁ୍ୟଜ): ମହାମାରୀ କରୋନା ପରିସ୍ଥିତିରେ ଅକ୍ସିଜେନ୍ ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି । ଗୁରୁତର ସଂକ୍ରମିତ ଶ୍ୱାସକ୍ରିୟା ନିମନ୍ତେ ଅକ୍ସିଜେନ୍ ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି । ଅକ୍ସିଜେନ୍ ଅଭାବରୁ ଅନେକ ସଂକ୍ରମିତଙ୍କ ମୃତୁ୍ୟ ମଧ୍ୟ ଘଟୁଛି । ଏଭଳି ସମୟରେ ୧୮ ହଜାର ଲିଟର ଅକ୍ସିଜେନ୍ ଉଡ଼ି ନଷ୍ଟ ହୋଇଯାଇଛି । ଟ୍ୟାଙ୍କର୍ ଭାଲ୍ଭ୍ ଲିକ୍ ହେବାରୁ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର୍ ଘଣ୍ଟାଏ ମଧ୍ୟରେ ଖାଲି ହୋଇଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଟ୍ୟାଙ୍କର୍(ଏପି ୩୧ ଟିଏ ୭୨୨୭) ଅକ୍ସିଜେନ୍ ବୋଝେଇ କରି ୫୫ ନଂ ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିଲା । ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଗ୍ରାମକୁ ଯାଇଥିବା ରାସ୍ତା ନିକଟରେ ହଠାତ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଲୋକମାନେ ଦେଖି ଚାଳକଙ୍କୁ ଜଣାଇଥିଲେ । ଚାଳକ ଗାଡ଼ିକୁ ରାସ୍ତା ପାଶ୍ୱର୍ରେ ଠିଆ କରାଇ ଭାଲ୍ଭ୍ ମରାମତି କରିବାକୁ ଉଦ୍ୟମ କରିଥିଲା । ବହୁ ପରିଶ୍ରମ ପରେ ମଧ୍ୟ ଭାଲ୍ଭ ମରାମତି ହୋଇପାରିନଥିଲା । ଯାହା ଫଳରେ ଅକ୍ସିଜେନ୍ ସବୁ ଉଡ଼ି ଯାଇଥିଲା । ପ୍ରାୟ ଘଣ୍ଟା ମଧ୍ୟରେ ଟ୍ୟାଙ୍କର୍ ପୁରା ଖାଲି ହୋଇଯାଇଥିଲା । ଟ୍ୟାଙ୍କରରେ ପ୍ରାୟ ୧୮ ହଜାର ଲିଟର ଅକ୍ସିଜେନ୍ ଥିଲା ବୋଲି ଜଣାଯାଇଛି । ଗୋଟିଏ ପଟେ ଅକ୍ସିଜେନ୍ ନପାଇ ରୋଗୀ ମୃତୁ୍ୟ ମୁଖରେ ପଡୁଥିବା ବେଳେ ଏତେ ପରିମାଣର ଅକ୍ସିଜେନ୍ ନଷ୍ଟ ହୋଇଯିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ସମ୍ପ୍ରତି ପୁଲିସ ଏସ୍କଟ୍ରେ ଅକ୍ସିଜେନ୍ ଟ୍ୟାଙ୍କର୍ ନିଆଯାଉଥିବା କୁହାଯାଉଥିବା ବେଳେ ଏଠାରେ କୌଣସି ପୁଲିସ ଏସ୍କଟ୍ ଗାଡ଼ି ନଥିବା ବେଳେ ସହଯୋଗ କରିବାକୁ ପୁଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବା ଜଣାଯାଇଛି । ଏ ସମ୍ପର୍କରେ ମୋଟଙ୍ଗା ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଟ୍ୟାଙ୍କର୍ରୁ ଗ୍ୟାସ୍ ଲିକ୍ ହୋଇଥିବା ଖବର ପାଇ ଆମେ ଘଟଣା ସ୍ଥଳରେ ପହଞ୍ଚôବା ବେଳକୁ ସେଠାରୁ ଗାଡ଼ିଟି ଚାଲି ଯାଇଥିଲା ।


Comments are closed, but trackbacks and pingbacks are open.