ଠକୁ ଠକୁ ନିଜେ ଠକିଗଲେ ଠିକାଦାର: ଏବେ ଜେଲ୍ ହାଜତରେ

Get real time updates directly on you device, subscribe now.

ଦେବଗଡ଼ : ଦେବଗଡ଼ ଜଳସେଚନ ବିଭାଗରେ ଜାଲ୍‌ ଟିଡିଆର୍‌ ମାମଲା । ଘଟଣାରେ ଠିକାଦାର ୪୨୦ଙ୍କୁ ଧରିଛି ପୋଲିସ । ଦେବଗଡ଼ ପୋଲିସ ଏହି ୪୨୦ ଠିକାଦାରଙ୍କୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ତାଙ୍କୁ ଦେବଗଡ଼ ଏସ୍‌ଡିଜେଏମ୍‌ଙ୍କ‌ କୋର୍ଟରେ ହାଜର କରାଯାଇଥିବା ବେଳେ ମାନ୍ୟବର କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ଅଭିଯୁକ୍ତ ଠିକାଦାରଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ବହୁ ଦିନର ଲୁଚକାଳି ଖେଳ ପରେ ପୋଲିସ ହାତରେ ଧରାପଡିଲା ଶ୍ରୀମାନ୍ ୪୨୦ ଠିକାଦାର । ଗତ ତିନି ବର୍ଷ ଧରି ପୋଲିସ ଆଖିରେ ଧୂଳିଦେଇ ଖସି ବୁଲୁଥିବା ଠିକାଦାର ମନୋରଞ୍ଜନ ନାଏକଙ୍କୁ ଗିରଫ କରିଛି ଦେବଗଡ ଥାନା ପୋଲିସ । ଦେବଗଡ ଜଳସେଚନ ବିଭାଗର ଟେଣ୍ଡର ହାତେଇବା ପରେ ଷ୍ଟେଟ ବ୍ୟାଙ୍କର ଜାଲ ଟିଡିଆର ଦେଇ ଏହି କାମ କରି ଫାଇନାଲ ବିଲ କରିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡିଥିଲା ଏହି ଠକ ଠିକାଦାରର କଳା କାରନାମା। ଦେବଗଡ ଜଳସେଚନ ବିଭାଗର ଅଧିନରେ ଥିବା ପୁରୁକୁଣ୍ଡା ଚେକ ଡ୍ୟାମ୍ ନିର୍ମାଣ ପାଇଁ ଠକ ମନୋରଞ୍ଜନ ଟେଣ୍ଡର ପକାଇଥିବା ବେଳେ ଲଟେରୀ ମାଧ୍ୟମରେ ଏହି କାମକୁ ହାତେଇଥିଲେ।
୩୭,୧୯,୧୧୧ ଟଙ୍କା ର ଏହି ନିର୍ମାଣ କାର୍ୟ୍ୟ ପାଇଁ ପ୍ରାୟ ଆଠ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା କରିବା ପାଇଁ ସରକାରୀ ନିୟମ ଥିବା ବେଳେ ସେ ଏଥିପାଇଁ ଭିନ୍ନ ଭିନ୍ନ ରକମର ତିନୋଟି ଷ୍ଟେଟ ବ୍ୟାଙ୍କ ଟର୍ମ ଡିପୋଜିଟ ରିସିପ୍ଟ ରେଢାଖୋଲ ବ୍ୟାଙ୍କରେ ପ୍ଲେଜ କରିଥିଲେ । ପରେ ତାହା ନକଲି ବୋଲି ଜଣାପଡିଥିଲା । ଆକାଉଣ୍ଟ୍ ନମ୍ବର ୩୫୩୫୩୬୩୦୧୯ରେ ମାତ୍ର ପଚାଶ ହଜାର ଟଙ୍କା ଜମା ହୋଇଥିବା ବେଳେ ବ୍ୟାଙ୍କ ରିସିପ୍ଟ ରେଢାଖୋଲ ୭ ଲକ୍ଷ ୫୨ ହଜାର ଟଙ୍କା ଲେଖା ହୋଇଛି।
ସେହିଭଳି ଆକାଉଣ୍ଟ୍ ନମ୍ବର ୩୪୩୮୬୬୬୨୫୪୩ ରେ ମାତ୍ର ଏକ ହଜାର ଟଙ୍କା ଜମା ହୋଇଥିବା ବେଳେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ନାମରେ ପ୍ଲେଜ କରାଯାଇଥିବା ଏହାର ବ୍ୟାଙ୍କ ରସିଦରେ ଜାଲିଆତି କରି ପଚାଶ ହଜାର ଟଙ୍କା ଲେଖା ଯାଇଛି। ସେହିଭଳି ଆଉ ଏକ ଆକାଉଣ୍ଟ୍ ନମ୍ବର ୩୪୦୬୬୫୭୯୮୪୯ ରେ ମାତ୍ର ଏକ ହଜାର ଟଙ୍କା ଜମା ଥିବାବେଳେ ବ୍ୟାଙ୍କ ରିସିପ୍ଟ ରେଢାଖୋଲ ଚଞ୍ଚକତା କରି ଏକଚାଳିଶ ହଜାର ଟଙ୍କା ଲେଖା ଯାଇଛି ।
ବଲାଙ୍ଗୀର ର ବହୁ ଚର୍ଚ୍ଚିତ ବଣ୍ଟି ଅଗ୍ରବାଲା ଜାଲ ଟିଡିଆର ଘଟଣା ପଦାକୁ ଆସିବା ପରେ ୨୦୧୭ ମସିହାରେ ରାଜ୍ୟର ସମସ୍ତ କାର୍ୟ୍ୟାଳୟକୁ ଟିଡିଆର ଯାଞ୍ଚ ପାଇଁ ନିର୍ଦ୍ଦେଶ ଆସିଥିଲା । ଏହି ପରିପ୍ରେକ୍ଷୀରେ ଦେବଗଡ ଜଳସେଚନ ବିଭାଗର ଅନୁସନ୍ଧାନ ବେଳେ ଠକ ମନୋରଞନର ଚଞ୍ଚକତା ପଦାକୁ ଆସିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ, ରେଢାଖୋଲ ଶାଖା ପକ୍ଷରୁ ଏହି ଟର୍ମ ଡିପୋଜିଟ ରିସିପ୍ଟର ପ୍ରକୃତ ମୂଲ୍ୟ ଦେବଗଡ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବା ପରେ, ସେ ୨୦୧୭ ନଭେମ୍ବର ମାସରେ ଏହି ଜାଲିଆତି କରିଥିବା ଠକ ଠିକାଦାର ମନୋରଞ୍ଜନ ନାଏକ ବିରୋଧରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ।
ଏହାମଧ୍ୟରେ ଘଟଣାକୁ ତିନି ବର୍ଷ ହେବାକୁ ଥିବା ବେଳେ ଠକ ଠିକାଦାର ମନୋରଞ୍ଜନ ପୋଲିସ ଆଖିରେ ଧୂଳି ଦେଇ ଘୁରିବୁଲୁଥିଲା। ଯାହାକୁ ଶେଷରେ କାବୁ କରିବାରେ ସକ୍ଷମ ହୋଇଛି ପୋଲିସର ସ୍ବତନ୍ତ୍ର ଟିମ୍ । ପୋଲିସ ସବୁବେଳେ ତା ପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଉଥିଲା। ଏସବୁ ଭିତରେ ତଦନ୍ତ କାରୀ ଅଫିସର ମଧ୍ୟ ବଦଳିଥିଲେ । ଶେଷରେ ଦେବଗଡର ଏବେକାର ଏସପି ମନୋଜ କୁମାର ମହନ୍ତଙ୍କ ନିର୍ଦ୍ଦେଶରେ ଠକ ଠିକାଦାର ମନୋରଞ୍ଜନ ପୋଲିସ ଜାଲରେ ଧରାପଡିଛି । ପୋଲିସ ରେଢାଖୋଲରୁ ମନୋରଞ୍ଜନକୁ ଗିରଫ କରିଛି । ମଙ୍ଗଳବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ମାନ୍ୟବର କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons