ଠିକାଦାରଙ୍କ ସହ ୩ ଯନ୍ତ୍ରୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ବିଳମ୍ବିତ ରାତିରେ ଟର୍ମିନାଲ୍-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ ଏୟାରପୋର୍ଟ ଥାନା ପୁଲିସ କେସ୍ ନମ୍ବର-୧୯ରେ ନିଜ ଆଡୁ ମାମଲା ରୁଜୁ କରିଛି । ଏହି ଘଟଣାରେ ‘ଦିଲ୍ଲୀପ କନ୍ଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ’ର ଠିକାଦାର ଦିଲ୍ଲୀପ ଖଟେଇ ଓ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ଏଜିଏମ୍ ଆଶିଷ ସରକାର(୪୬)ଙ୍କୁ ଗିରଫ କରିଛି । ଏହାଛଡ଼ା ଠିକା ସଂସ୍ଥାର ଦୁଇ ଯନ୍ତ୍ରୀ ଅଭିଳାଷ ସରକାର(୨୬) ଓ ଗୌତମ ରାୟ(୫୫)ଙ୍କୁ ମଧ୍ୟ ପୁଲିସ ହେପାଜତକୁ ନିଆଯାଇଛି । ସେମାନଙ୍କ ବିରୋଧରେ ପୁଲିସ ୩୦୪ ଓ ୩୪ ଆଇପିସି ଦଫା ଲଗାଇଛି ।
ଡିସିପି ଅନୁପ ସାହୁ ଶୁକ୍ରବାର ରାତିରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ଆଜି ପୁଣି ସକାଳେ ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କ ସହ ଅନ୍ୟ କିଛି ବରିÂ ପୁଲିସ ଅଧିକାରୀ ବି ଥିଲେ । ସେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ଏନେଇ ଡିସିପି ଶ୍ରୀ ସାହୁ କହିଛନ୍ତି, ପୂର୍ତ୍ତ ବିଭାଗ ଓ ଫୋରେନ୍ସିକ୍ ଟିମ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ଆଜି ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳର ଯାଞ୍ଚ କରିଛି । ଯଦି ମୃତକ ଓ ଆହତଙ୍କ ପରିବାର ଲୋକ ଅଭିଯୋଗ କରନ୍ତି ଅଥବା ପୁଲିସ ନିଜ ଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁÂାନ ନେବ ।
ଅନ୍ୟପଟେ ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ବୈଷୟିକ ଦିଗକୁ ନେଇ ଆଗକୁ ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ବିମାନବନ୍ଦର ନିଦେ୍ର୍ଧଶକ ଭିଭି ରାଓ ଗଣମାଧ୍ୟମକୁ କହିଛନ୍ତି, ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ମୁଖ୍ୟାଳୟରେ ଏନେଇ ଏକ ବୈଠକ ବସିବ । ସେଠାରେ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯିବ । ଖୁବ୍ ଶୀଘ୍ର ଏହି ଟିମ୍ ଭୁବନେଶ୍ୱର ଆସି ଏହି ଅଘଟଣର ତଦନ୍ତ କରିବ । ସମସ୍ତ ତଥ୍ୟପ୍ରମାଣ ଭିତ୍ତିରେ ବିମାନବନ୍ଦର ପକ୍ଷରୁ ଏୟାର୍ପୋର୍ଟ ଥାନାରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି ।
ଏୟାରପୋର୍ଟ ଥାନା ପୁଲିସ ଆଜି ସକାଳୁ ଉଭୟ ଠିକାଦାରଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା । ବିମାନବନ୍ଦର ସହ ହୋଇଥିବା ପ୍ରୋଜେକ୍ଟର ଚୁକ୍ତି ଓ ପ୍ରୋଜେକ୍ଟ ସମ୍ପର୍କୀତ ଅନ୍ୟାନ୍ୟ କାଗଜପତ୍ରକୁ ଯାଞ୍ଚ କରିଥିଲା । ସେପଟେ ମୃତକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଛି । ଠିକା ସଂସ୍ଥା ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ୭ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଅନ୍ତର୍ଯ୍ୟାମୀଙ୍କ ସାନଭାଇ କହିଛନ୍ତି ।
ସୂଚନାଯୋଗ୍ୟ, ବିମାନବନ୍ଦରର ଟର୍ମିନାଲ୍ ୧ (ଡୋମେଷ୍ଟିକ୍) ଏବଂ ଟର୍ମିନାଲ୍ ୨ (ଇଣ୍ଟର୍ନାସ୍ନାଲ୍)କୁ ସଂଯୋଗ କରୁଥିବା ଲିଙ୍କ୍ ବିଲ୍ଡିଂ କାମ ଗତ ୪ ମାସ ହେବ ଚାଲଥିଲା । ଏହି ନିର୍ମାଣଧୀନ ବିଲ୍ଡିଂ ୧୦ ହଜାର ବର୍ଗ ଫୁଟ୍ର ଥିଲା । ୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ୧୮ ମାସ ଭିତରେ ସାରିବାକୁ ଲକ୍ଷ୍ୟ ଥିଲା । ଶୁକ୍ରବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାୟ ୮ ହଜାର ବର୍ଗ ଫୁଟ୍ ଚଉଡା ଛାତର ଢ଼ଳେଇ କାମ ଚାଲିଥିଲା । ରାତି ପ୍ରାୟ ସାଢେ଼ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା । ହଠାତ୍ ଏହି ବିରାଟକାୟ ଛାତଟି ସେଣ୍ଟ୍ରିଙ୍ଗ୍ ସହ ଭୁଶୁଡି ପଡିÿଥିଲା । ଉପରେ କାମ କରୁଥିବା ୧୫-୨୦ ଶ୍ରମିକ ପୂର୍ବରୁ ଢ଼ଳେଇ ପଡିଥିବା ମଜଭୁତ ଛାତକୁ ଧାଇଁ ପଳାଇଥିଲେ । ଟର୍ମିନାଲ୍ ୧ ଓ ୨ରେ ଥିବା ଯାତ୍ରୀ ଏବଂ କର୍ମଚାରୀମାନେ ହତବାକ୍ ହୋଇଯାଇଥିଲେ । ବିମାନ ବନ୍ଦର ଭିତରେ ଓ ବାହାରେ ଆତଙ୍କ ଖେଳି ଯାଇଥିଲା । କାମ କରୁଥିବା ଶ୍ରମିକମାନେ ଚିକ୍ରାର କରି ନିଜ ସାଥୀମାନଙ୍କୁ ଖୋଜିଥିଲେ ।
୧୦ଟି ଦମକଳ ବାହିନୀ ଓ ସିଆଇଏସ୍ଏଫ୍ ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଆହତ ଡ୍ରାଇଭର ତଥା ଢେ଼ଙ୍କାନାଳ କପିଳାସ ଅଞ୍ଚଳର ନବ କିଶୋର ସ୍ୱାଇଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଘଣ୍ଟାଏ ଧରି ଖୋଜିବା ପରେ ବି ଧରାଶାୟୀ ଛାତର କଂକ୍ରିଟ୍ ଛାଞ୍ଚରୁ ଅନ୍ତର୍ଯାୟୀଙ୍କ ପତ୍ତା ମିଳିନିଥିଲା । ପରେ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡିଟେକ୍ଟର ମେସିନ୍ ଓ ସନ୍ଧାନୀ କୁକୁର ଯୋଗେ ନିଖୋଜ ଅନ୍ତର୍ଯ୍ୟାମୀଙ୍କୁ ଖୋଜିଥିଲା । କିଛି ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଧରାଶାୟୀ ଛାତ ତଳେ ଚାପି ହୋଇ ଅନ୍ତର୍ଯ୍ୟାମୀଙ୍କ ମୃତୁ୍ୟ ଘଟିଥିଲା ।
ଠିକାଦାର ଦିଲ୍ଲୀପ ଖଟେଇ କହିଛନ୍ତି ନିର୍ମାଣ କାର୍ଯ୍ୟରେ କିଛି ତ୍ରୁଟି ରହିଥିଲା । ଶ୍ରମିକମାନଙ୍କ ଭୁଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।
ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ତଦାରଖ କରିଥିଲେ । ସେହିପରି ବିଜେପି ନେତା ବାବୁ ସିଂ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons