ସୋର,(ବି.ବି.ନୁ୍ୟଜ): ଗହଣା ବ୍ୟବସାୟୀଙ୍କ ଘରେ ବନ୍ଧୁକ ଫୁଟାଇ ଲୁଟ୍ । ଡକାୟତଙ୍କ ଗୁଳିରେ ୫ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡ ବଜାର ଅଞ୍ଚଳରେ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗହଣା ବ୍ୟବସାୟୀ ସନାତନ କମିଳାଙ୍କ ଘରେ ୬ଜଣ ଡକାୟତ ପଶିଥିଲେ । ପରିବାରର ସମସ୍ତଙ୍କୁ ବାନ୍ଧି ପକାଇବା ସହ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ । ପରିବାର ଲୋକଙ୍କ ଚିକ୍ରାର ଶୁଣି ପଡେ଼ାଶୀମାନେ ଡକାୟତଙ୍କୁ ବାଧା ଦେଇଥିଲେ । ଫଳରେ ଲୁଟେରା ଓ ପଡେ଼ାଶୀଙ୍କ ମଧ୍ୟରେ ହାତାହତି ହୋଇଥିଲା । ଏଥିରେ ଲୁଟେରାମାନେ ଘର ଭିତରେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ପରେ ଘର ବାହାରେ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଏଥିରେ ଗହଣା ବ୍ୟବସାୟୀ ସନାତନଙ୍କ ସମେତ ପଡେ଼ାଶୀ ୫ଜଣ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ବାରିକ, ତାଙ୍କ ପୁଅ କାର୍ତ୍ତିକ ବାରିକ, ସନାତନ କମିଳାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରବୀନ୍ଦ୍ର, କାର୍ତ୍ତିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି । ରବୀନ୍ଦ୍ରଙ୍କ ଛାତିରେ, କାର୍ତ୍ତିକଙ୍କ ଗୋଡ଼ରେ ଗୁଳି ବାଜିଛି । ସନାତନଙ୍କ ମୁହଁକୁ ଲୁଟେରାମାନେ ଭୁଜାଲିରେ ଆକ୍ରମଣ କରିଛନ୍ତି ।
ଆକ୍ରମଣ ପରେ ଲୁଟେରାମାନେ ୧୫ଗ୍ରାମ ସୁନା, ୨୫୦ଗ୍ରାମରୁ ଊଦ୍ଧ୍ୱର୍ ରୁପା ନେଇ ଫେରାର ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ସେମାନେ ବାଇକ୍, ହେଲମେଟ୍ ଛାଡ଼ିଯାଇଛନ୍ତି । ଖବର ପାଇ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି, ସାଉଡ ଫାଣ୍ଡି ଅଧିକାରୀ ପ୍ରତାପ କାଲୋ, ଏଏସଆଇ ପ୍ରଦୀପ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି । ପରେ ଘଟଣା ସ୍ଥଳରେ ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର, ଡଗ୍ ସ୍କ୍ୱାର୍ଡ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୁଟେରାଙ୍କ ମଧ୍ୟରୁ କିଛିଜଣଙ୍କ ତଥ୍ୟ ପୁଲିସର ହସ୍ତଗସ୍ତ ହୋଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଜଣେ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.