ଡକାୟତି ଯୋଜନା ପଣ୍ଡ:ପୁଲିସ ପଞ୍ଝାରେ ୬ କୁଖ୍ୟାତ ଡକାୟତ

Get real time updates directly on you device, subscribe now.

ବଡ଼ଚଣା/ଚଣ୍ଡିଖୋଲ, (ବି.ବି.ନୁ୍ୟଜ୍): ବଡ଼ଚଣା ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ୬ କୁଖ୍ୟାତ ଡକାୟତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବାଇକ୍ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ନିହଲପ୍ରସାଦ ଗ୍ରାମର ନବଘନ ସାହୁଙ୍କ ପୁଅ ସ୍ୱରୂପ, ଯାଜପୁର ଥାନା ଗୋବଣ୍ଡିଆ ଗ୍ରାମର କମ୍ଭୁଚରଣ ନାୟକଙ୍କ ପୁଅ ସୁବୋଧ, ସଦରଥାନା ଅଧୀନସ୍ଥ ସାନବାଙ୍କସାହି ଗ୍ରାମର ରଘୁନାଥ ପଣ୍ଡାଙ୍କ ପୁଅ କେଦାରନାଥ, ବଡ଼ଚଣା ଥାନା ନିଶିମଳା ଗ୍ରାମର ସରୋଜ କୁମାର ଜେନାଙ୍କ ପୁଅ ଦିବ୍ୟରଞ୍ଜନ, ନୂଆସୁଙ୍ଗୁଡ଼ା ଗ୍ରାମର ବିଷ୍ଣୁଚରଣ ମହାଲାଙ୍କ ପୁଅ ରଶ୍ମିରଞ୍ଜନ ଓ ମାହାଙ୍ଗା ଥାନା ମୂଳବସନ୍ତ ଗ୍ରାମର ଦେବେନ୍ଦ୍ର ସିଂହଙ୍କ ପୁଅ ବିକ୍ରମ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଏସ୍ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ଅଭିଯୁକ୍ତମାନେ ଚଣ୍ଡିଖୋଲ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ଏସ୍ଡିପିଓ ଶ୍ରୀ ନାୟକ କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ବଡ଼ଚଣା ପୁଲିସ ସହାୟତାରେ ଶ୍ରୀ ନାୟକ ଘଟଣାସ୍ଥଳରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୨ଟି ବାଇକ୍, ଗୋଟିଏ ସ୍କୁଟି, ୭ଟି ହାତ ତିଆରି ବୋମା, ୩ଟି ମୋବାଇଲ, ୭ ବୋତଲ ବିଦେଶୀ ମଦ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତମାନେ ପେସାଦାର ଅପରାଧୀ ଓ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି । ଏ ନେଇ ଥାନାରେ କେସ୍ ନଂ ୨୪୫/୧୯ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୯୯, ୪୦୨, ୧୨୦(ଖ), ଅସ୍ତ୍ରଶସ୍ତ୍ର ନିରୋଧ ଆଇନର ଧାରା ୨୦୫ ବଳରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀ ନାୟକଙ୍କ ସମେତ ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନା, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons