ସୋର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ପିତାକାଳିଆ ନିକଟସ୍ଥ ଏକ ପରିତ୍ୟକ୍ତ କୋଠାରେ ଗତ ଶନିବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା ଚାଲିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣି ଡକାୟତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଡକାୟତ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ରାଉଣ୍ଡ ଗୁଳି ଚଳାଇ ୭ ଡକାୟତ ଖସିଯିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଡକାୟତମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି । ନଦୀଗାଁ ପଞ୍ଚାୟତ ହରିଡ଼ାପଦା ଗ୍ରାମର ସୁଦାମ ଚରଣ ବାଉଳି ରାତି ୧୦ଟାରେ ଘରକୁ ଫେରୁଥିବା ବେଳେ ନିକଟସ୍ଥ ପିତାକାଳିଆ କୋଲକାତା ୱାୟାର କମ୍ପାନିର ପରିତ୍ୟକ୍ତ ଘର ନିକଟରେ କିଛି ଲୋକ ଲୁଚି ରହିଥିବାର ସୂଚନା ପାଇଥିଲେ । ସେ ଗ୍ରାମବାସୀମାନଙ୍କୁ ଫୋନ୍ ଦ୍ୱାରା ଡକାଇଥିଲେ । ଗ୍ରାମବାସୀମାନେ ସେଠାରେ ପହଞ୍ଚିବା ମାତ୍ରେ ଡକାୟତମାନେ ଆକ୍ରମଣ କରିଥିଲେ । ଜଣେ ଡକାୟତ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେବାରୁ କିଛି ଲୋକ ଭୟରେ ପଳାଇ ଆସିଥିଲେ । ଏହାପରେ ସେମାନେ କିଛି ଲୋକଙ୍କୁ ତେଲଙ୍ଗା କଟୁରି, ଭୁଜାଲିରେ ଆକ୍ରମଣ କରିଥିଲେ । ଗ୍ରାମବାସୀମାନେ ମଧ୍ୟ ଡକାୟତମାନଙ୍କୁ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ଇତିମଧ୍ୟରେ ପୁଲିସ୍ ଗ୍ରାମବାସୀଙ୍କ ଠାରୁ ଫୋନ୍ ଦ୍ୱାରା ଘଟଣା ବାବଦରେ ଅବଗତ ହୋଇଥିଲା । ଏଏସ୍ଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାଲୋ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଣେ ଡକାୟତ କେନ୍ଦ୍ରପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦୁ୍ୟମ୍ନ ସେନାପତିକୁ କାବୁ କରିନେଇଥିବା ବେଳେ ୨ ରାଉଣ୍ଡ ଗୁଳି ଫୁଟାଇ ଅନ୍ୟ ୭ଜଣ ଫେରାର ହୋଇଯାଇଥିଲେ । ଡକାୟତଙ୍କ ଆକ୍ରମଣରେ ହରିଡ଼ାପଦାର ସୁଦାମଚରଣ ବାଉଳି, କୃଷ୍ଣଚନ୍ଦ୍ରପୁରର ବାବୁଲା ଦାସ, କୃଷ୍ଣଦାସପୁରର ଅଜୟ ବେହେରା ଏବଂ କୁରୁଣିଆର ପ୍ରଦୀପ ମହାକୁଡ଼ ଗୁରୁତର ଆହତ ହୋଇଥିବା ବେଳେ ଅଟକ ପ୍ରଦୁ୍ୟମ୍ନ ମଧ୍ୟ ଆହତ ହୋଇଥିବା ଦେଖାଯାଇଛି । ଗୁରୁତର ଏବଂ ଆହତମାନଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ୍ ଡକାୟତ ପ୍ରଦୁ୍ୟମ୍ନକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.