ଡଙ୍ଗାବୁଡ଼ି ଘଟଣାରେ ଆଉ ଜଣଙ୍କ ଶବ ଉଦ୍ଧାର

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ନନ୍ଦପୁର ବ୍ଲକ ପାଡ଼ୁଆ ନିକଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ଆଉ ୨ ଜଣଙ୍କ ମଧ୍ୟରୁ ପ୍ରଶାନ୍ତ ଖରା(୨୩)ଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଏହାକୁ ମିଶାଇ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ଥିବା ତୃତୀୟ ଯୁବକ ଚିତ୍ର ଖିଲଙ୍କ ପତ୍ତା ମିଳିନି ।
ମଙ୍ଗଳବର ମନୋଜ ହନ୍ତାଳ(୨୧)ଙ୍କ ଶବ ଉଦ୍ଧାର କରିଥିଲା ଓଡ୍ରାଫ ଟିମ୍ । ଆଜି ସକାଳେ ପ୍ରଶାନ୍ତଙ୍କ ଶବ କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ କର୍ମଚାରୀମାନେ ଶବ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ନନ୍ଦପୁର ତହସିଲଦାର ଏବଂ ପୁଲିସ ଟିମ୍ ଉପସ୍ଥିତ ଥିଲେ । ମୃତ ମନୋଜ ଓ ପ୍ରଶାନ୍ତଙ୍କ ପରିବାରଙ୍କୁ ପ୍ରାଥମିକ ଭାବେ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଲେଖାଏଁ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିବା ନନ୍ଦପୁର ତହସିଲଦାର ନରସିଂହ ଗାଦବା ସୂଚନା ଦେଇଛନ୍ତି । ସରକାରୀ ନିୟମ ମୁତାବକ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୂକମ୍ପାମୂଳକ ସହାୟତା ରାଶି ମିଳିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ଆନୁସଙ୍ଗିକ ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ପଠାଯିବ । ମାସକ ଭିତରେ ଏହି ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ମଞ୍ଜୁର ହେବ ବୋଲି ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ।
ସୂଚନାଥାଉକି, ଗତ ରବିବାର ପାଡୁଆ ଉପରସାହିର ୫ ଜଣ ଯୁବକ କୁଲାରସିଂରେ ଦଶହରା ନାଟ ଦେଖିବାକୁ ଦେଶୀ ଡଙ୍ଗାରେ ନୀ ପାରି ହୋଇଥିଲେ । କିନ୍ତୁ ନାଟ ହେଉନଥିବା ଖବର ପାଇ ଅଧାବାଟରୁ ଫେରି ଆସିଥିଲେ । ମଧ୍ୟରାତ୍ରରେ ଏକ ମାଛମରା ଦେଶୀ ଡ଼ଙ୍ଗାରେ ପାତାଳୀ ନଦୀ ପାରି ହେଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ୨ଜଣ ଯୁବକ ପହଁରି ପହଁରି କୂଳରେ ଲାଗିଥିଲେ । ଅନ୍ୟ ୩ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସନ୍ଧ୍ୟାସୁଦ୍ଧା ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons