ଡଙ୍ଗାବୁଡି ଘଟଣାରେ ମା’, ଶିଶୁ ନିଖୋଜ: ଜଣେ ବୃଦ୍ଧା ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି/ଚିତ୍ରକୋଣ୍ଡା,(ବଳରାମ ଦାସଙ୍କ ସହ ଅସତ୍ୟରଞ୍ଜନ ସାମଲଙ୍କ ରିପୋର୍ଟ): ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଦେଶୀଡଙ୍ଗା । କୂଳକୁ ପହଁରି ପହଁରି ପଳାଇ ଆସିଲେ ୮ ଜଣ । ମା’, ଜଣେ ୩ ବର୍ଷର ଶିଶୁ ନିଖୋଜ ଥିବା ବେଳେ ଜଣେ ବୃଦ୍ଧଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଛି । ମା’ ଓ ଶିଶୁର ପତ୍ତା ମିଳୁନି । ନିଖୋଜମାନେ ହେଲେ ଦାମୋଦରବେଡ଼ା ଗାଁର ଗୋପା ମୁଦୁଲିଙ୍କ ଝିଅ ଜଗନା ମୁଦୁଲି(୨୫), ୩ ବର୍ଷର ନାତି । ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି । ନିଖୋଜ ଓ ପାଣି ଭିତରୁ ମୁକୁଳି ଆସିଥିବା ବ୍ୟକ୍ତିମାନେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଓରାପଦର ବକୁଲି ଗାଁର । ସକାଳ ୧୦ଟା ବେଳେ ଏହି ଅଘଟଣ ଘଟିଛି ।
ସ୍ୱାଭିମାନ ଅଞ୍ଚଳ ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ଦାମୋଦରବେଡ଼ା ଗାଁର ୧୧ ଜଣ ଆଦିବାସୀ ଲୋକ ପରିବାର ସହ ଓରାପଦରର ବକୁଲି ଗାଁକୁ ଫେରୁଥିଲେ । ସେମାନେ ବାଲିମେଳା ଜଳଭଣ୍ଡାରରେ ଏକ ମାଛଧରା ହୁଲି ଡଙ୍ଗାରେ ଫେରୁଥିଲେ । ଆଜି ଦିନ ପ୍ରାୟ ୧୦ଟା ବେଳେ ଡଙ୍ଗାଟି ଜଳଭଣ୍ଡାର ମଧ୍ୟରେ ଭାରସାମ୍ୟ ହରାଇ ଓରାପଦର ଘାଟ ନିକଟରେ ଓଲଟି ପଡ଼ିଥିଲା । ଡଙ୍ଗାରେ ବସିଥିବା ଲୋକେ ପାଣିରେ ଖସି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ବହୁକଷ୍ଟରେ ପହଁରି କୂଳକୁ ପଳାଇ ଆସିଥିଲେ । ଜଣେ ମହିଳା, ବର୍ଷକର ଶିଶୁ ଓ ଜଣେ ବୃଦ୍ଧା ପାଣିରେ ବୁଡ଼ିଯାଇ ନିଖୋଜ ଅଛନ୍ତି । ଖବରପାଇ ଚିତ୍ରକୋଣ୍ଡା ତହସିଲଦାର, କୁଡୁମୁଲୁଗୁମ୍ମା ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରିଥିଲେ । ନିଖୋଜ ୨ ଜଣଙ୍କ ପତ୍ତା ମିଳିନି । ନିଖୋଜମାନେ ଗୋଟିଏ ପରିବାରର । ସ୍ୱାଭିମାନ ଅଞ୍ଚଳକୁ ସଡ଼କ ପଥରେ ସଂଯୋଗ ପାଇଁ ଗୁରୁପ୍ରିୟା ସେତୁ ହେଲା, ମାତ୍ର ଏହି ସେତୁ ଦ୍ୱାରା କେବଳ ୨/୩ଟି ପଞ୍ଚୟତବାସୀ ଉପକୃତ ହେଉଛନ୍ତି । ଅନ୍ୟ ପଞ୍ଚାୟତର ଦୁର୍ଗମ ଅପହଞ୍ଚ ଗାଁର ଲୋକେ ଏବେ ବି ଜଳପଥରେ ନିର୍ଭର କରି ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ।
ସୂଚନାଯୋଗ୍ୟ କି, ମାଲକାନଗିରି ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା ବନ୍ଦ ହେବାର ନାଁ ଧରୁନି । ଏହି ସମୟରେ ଅଘଟଣ ଘଟି ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ । କେବେ ଡଙ୍ଗା କି ଲଞ୍ଚ ବୁଡ଼ିଗଲା ପରେ ସରକାରଙ୍କ ନିଦ ଭାଙ୍ଗେ । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେଇ ତଦନ୍ତ ଚାଲେ । କିଛିଦିନ ପାଇଁ ବିଭିନ୍ନ ଡଙ୍ଗାଘାଟ ଓ ଲଞ୍ଚଘାଟରେ କଡ଼ା ନିୟମ ଜାରି ହୁଏ । ଲଞ୍ଚ ଓ ଡଙ୍ଗାଚାଳକଙ୍କ ସହିତ ଯାତ୍ରୀଙ୍କୁ ଲାଇଫ୍ ଜ୍ୟାକେଟ ପିନ୍ଧିବାକୁ ନିଦେ୍ର୍ଧଶ ମିଳେ । ଲୋକଦେଖାଣିଆ ଭାବେ କିଛିଦିନ ସରକାରୀ କଳ ଲାଇଫ୍ ଜ୍ୟାକେଟ୍ ଯାଞ୍ଚ୍ କରନ୍ତି । ପରେ ପୁଣି ବିପଦପୂର୍ଣ୍ଣ ଜଳଯାତ୍ରା ଆରମ୍ଭ ହୁଏ ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାର, ପୋଟେରୁ, ସାବେରୀ, ସିଲେରୁ, ସପ୍ତଧାରା, ସାନନଦୀରେ ସରକାରୀ ଭାବେ ୩୫ଟି ଡଙ୍ଗାଘାଟ ଏବଂ ବେସରକାରୀ ଭାବେ ପ୍ରାୟ ୭୦ଟି ଡଙ୍ଗା ଘାଟ ରହିଛି । କୋରୁକୁଣ୍ଡା ବ୍ଲକ୍ ପୋଟେରୁ ନଦୀରେ ୪ଟି, କୁଡୁମୁଲୁଗୁମ୍ମା ବ୍ଲକ୍ ଚିତ୍ରକୋଣ୍ଡା ଜଳଭଣ୍ଡାର ଓ ଗୁରୁପ୍ରିୟା ନଦୀରେ ୧୧ଟି, ମାଥିଲି ବ୍ଲକ୍ ସାବେରୀ, ସପ୍ତଧାରା ନଦୀରେ ୭ଟି, କାଲିମେଳା ବ୍ଲକ୍ ସାବେରୀ, ପୋଟେରୁ, ସିଲେରୁ ନଦୀରେ ୧୧ଟି, ପଡ଼ିଆ ବ୍ଲକ ସାବେରୀ, ପୋଟେରୁ ନଦୀରେ ୯ଟି ଡଙ୍ଗାଘାଟ ରହିଛି । ୩୫ଟି ଡଙ୍ଗାଘାଟରୁ ୨୮ଟି ଘାଟକୁ ଓ ଡଙ୍ଗାଗୁଡ଼ିକୁ ସରକାରୀ ଭାବେ ପଞ୍ଜୀକରଣ କରାଯାଇଛି । ଏହି ଘାଟରେ ୮ରୁ ୧୦ଜଣ ଯାତ୍ରୀ ନେବା ନିୟମ ଥିବା ବେଳେ ୧୫ରୁ ୨୦ଜଣ ଲେଖାଏଁ ଯାତ୍ରୀ ଯାଉଛନ୍ତି । ଡଙ୍ଗାଚାଳକ କି କୌଣସି ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧୁନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons