ଡଙ୍ଗା ବୁଡ଼ି ଜଣେ ମୃତ, ୨ ନିଖୋଜ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ନନ୍ଦପୁର ବ୍ଲକ ପାଡ଼ୁଆ ନିକଟ ପାତାଳୀ ନଦୀରେ ଡଙ୍ଗାବୁଡ଼ି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି ଏବଂ ଅନ୍ୟ ୨ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହେବାର ୩୬ ଘଣ୍ଟା ପରେ ଜଣଙ୍କ ଶବ ଉଦ୍ଧାର ହୋଇଛି । ସେ ହେଲେ ପାଡ଼ୁଆ ଉପରସାହିର ମନୋଜ ହନ୍ତାଳ(୨୧) । ସେହି ସାହିର ଚିତ୍ର ଖିଲ(୨୫) ଓ ପ୍ରଶାନ୍ତ ଖରା(୨୩)ଙ୍କ ପତ୍ତା ମିଳିନି । ଉଦ୍ଧାର କାମରେ ଲାଗିଛନ୍ତି ଅଗ୍ନିଶମ ସହ ଓଡ୍ରାଫ ଟିମ୍ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଦିନ ପାଡ଼ୁଆ ଉପରସାହିର ୫ ଜଣ ଯୁବକ ଏକ ଦେଶୀ ଡଙ୍ଗାରେ ନଦୀ ପାରିହୋଇ କୁଲାରସିଂ ଦଶହରା ନାଟ ଦେଖିବାକୁ ଯାଇଥିଲେ । ନାଟ ହେଉନଥିବା ଜାଣି ଅଧାବାଟରୁ ଫେରି ଆସିଥିଲେ । ମଧ୍ୟରାତ୍ରୀରେ ମାଛମରା ଦେଶୀ ଡଙ୍ଗାରେ ପାତାଳୀ ନଦୀ ପାରି ହେଉଥିବା ବେଳେ ତାହା ବୁଡ଼ି ଯାଇଥିଲା । ୨ ଜଣ ଯୁବକ ଅଜୟ ହନ୍ତାଳ ଓ ମନୋଜ ହନ୍ତାଳ(୨୦)ପହଁରି ପହଁରି କୂଳରେ ଲାଗିଥିଲେ । ଅନ୍ୟ ୩ ଜଣ ଯୁବକଙ୍କ ପତ୍ତା ମିଳିନଥିଲା । ପରଦିନ ଗ୍ରାମବାସୀ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ସେମିଳିଗୁଡ଼ା ଅଗ୍ନିଶମ ଅଧିକାରୀ ଦେବୀପ୍ରସାଦ ଦାସଙ୍କ ନେତୃତ୍ୱରେ ହାବିଲଦାର ସଂଜୀବ ପ୍ରଧାନ, ଜ୍ୟୋତିର୍ମୟୀ ନାୟକ, ଲିଙ୍ଗରାଜ ପ୍ରଧାନ, ଲଳିତ ସମରଥ, ଶଙ୍କର ପ୍ରଧାନ, ଅଜିତ ପଟେଲ, ପ୍ରକାଶ କିର୍ଷାନୀ, ତ୍ରିଲୋଚନ ପୂଜାରୀ ପ୍ରମୁଖ ୧୨ ଜଣିଆ ଟିମ୍ ନଦୀରେ ବୋଟ୍ ସାହାଯ୍ୟରେ ଉଦ୍ଧାର କାମରେ ଲାଗି ପଡ଼ିଥିଲେ । ମଧ୍ୟାହ୍ନରେ କୋରାପୁଟ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାମରେ ସାମିଲ ହୋଇଥିଲା । ଓଡ୍ରାଫ ହାବିଲଦାର ଗୋପାଳ ନାୟକଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ଅପରାହ୍ନ ସାଢେ଼ ୪ଟାରେ ମନୋଜ(୨୧)ଙ୍କ ଶବ ନଦୀ ତୁଠରୁ ପ୍ରାୟ ୭୦ ମିଟର ଦୂରରୁ ମିଳିଥିଲା । ଆଜି ସନ୍ଧ୍ୟା ହୋଇଯିବାରୁ ବୁଧବାର ପୁଣିଥରେ ଉଦ୍ଧାର କାମ ଜାରି ରହିବ ବୋଲି ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ପଟ୍ଟନାୟକ କହିଛନ୍ତି । ଘଟଣାସ୍ଥଳରେ ନନ୍ଦପୁର ତହସିଲଦାର ନରସିଂହ ଗାଦବା, ଏସ୍ଡିପିଓ ସଂଜୟ ମହାପାତ୍ର ଓ ପାଡ଼ୁଆ ଥାନା ପୁଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons