ଜଗତସିଂହପୁର: ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ଶାବଳ ପାହାର ଦେଇ ପତ୍ନୀ ସହ ନିଜ ବଢ଼ିଲା ଝିଅକୁ ହତ୍ୟା କରିଛି ବାପା । ଶୁକ୍ରବାର ବିଳମ୍ବିତ ରାତିରେ ରକ୍ତର ହୋଲି ଖେଳିବା ପରେ ହତ୍ୟାକାରୀ ନିଜ ଜୀବନ ମଧ୍ୟ ହାରି ଦେଇଛି ।
ଜଗତସିଂହପୁର ଯୋତ(ଚଣ୍ଡପାଟଣା)ରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ଆଜି ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । ଶନିବାର ଭୋର୍ରୁ ଜଗତସିଂହପୁର ପୁଲିସ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ପ୍ରଥମେ ଉଭୟ ମା’-ଝିଅଙ୍କୁ ଅତି ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ହତ୍ୟାକାରୀ ବାପା କିନ୍ତୁ ସେତେବେଳକୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ସାରିଥିଲା । ଅଳ୍ପ ସମୟର ବ୍ୟବଧାନ ଭିତରେ ଜଗତସିଂହପୁର ମୁଖ୍ୟ ଚିକିସôାଳୟରେ ଝିଅର ମୃତୁ୍ୟ ଘଟିଥିଲା । ସଙ୍କଟାପନ୍ନ ଅବସ୍ଥାରେ ମା’ କଟକ ସ୍ଥାନାନ୍ତରିତ ହେଉଥିବା ବେଳେ ବାଟରେ ହିଁ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଥିଲା । ମୃତକମାନେ ହେଉଛନ୍ତି ଲୋକନାଥ ପାଳ(୫୪), ପତ୍ନୀ କଳ୍ପନା ପାଳ(୪୮) ଓ ଝିଅ ମଧୁସ୍ମିତା ପାଳ(୨୧) । ମୃତ ଲୋକନାଥଙ୍କ ଭାଇ ଶଙ୍କର ପାଳଙ୍କ ରିପୋର୍ଟ ଉପରେ ପୁଲିସ ମାମଲା ରୁଜୁ କରିଥିବା ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।
ଏ ଅଘଟଣ ପଛରେ ଦାରିଦ୍ର୍ୟ ହିଁ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି । ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ ପରେ ଚଣ୍ଡପାଟଣା ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି । ଭୁବନେଶ୍ୱରରେ ରହୁଥିବା ଲୋକନାଥଙ୍କ ଏକମାତ୍ର ପୁଅ ପଙ୍କଜ(୨୩) ପୁଲିସଠାରୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଲୋକନାଥ ହିଁ ପତ୍ନୀ ଓ ଝିଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ଅନୁମାନ ଲଗାଯାଇଛି । ତଥାପି ମଧୁସ୍ମିତାଙ୍କ ମୋବାଇଲ୍ ଫୋନ୍କୁ ପୁଲିସ ନିଜ ହେପାଜତ୍କୁ ନେଇଛି । ଘରର କବାଟ ଖୋଲା ଥିବାରୁ ପୁଲିସ ତଦନ୍ତ ବେଳେ ଅନ୍ୟ ଦିଗଗୁଡ଼ିକୁ ଦେଖିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି । ଶୁକ୍ରବାର ରାତି ୨ଟା ପରେ ଏଭଳି ବୀଭସô କାଣ୍ଡ ଘଟିଥିବା ଅନ୍ଦାଜ କରାଯାଉଛି । ପତ୍ନୀ ଓ ଝିଅକୁ ମାରି ଘାଇଲା କରିବା ପରେ ଲୋକନାଥ ଆତ୍ମହତ୍ୟା କରି ଦେଇଥିବାରୁ ସାହି ପଡ଼ିଶାର ଲୋକମାନେ ସହସା ଘଟଣା ସଂପର୍କରେ ଜାଣିବା ସମ୍ଭବ ହୋଇନଥିଲା । ଭୋର୍ରୁ ଫୁଲ ତୋଳିବାକୁ ଆସିଥିବା ସେଇ ଗାଁର ବୁନି ଦେଇ ଘରର ଖୋଲା ଝରକା ପଟେ ଲୋକନାଥଙ୍କ ଝୁଲନ୍ତା ମୃତଦେହକୁ ପ୍ରଥମେ ଦେଖି ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ । ସେତେବେଳକୁ ମଧୁସ୍ମିତା ଓ କଳ୍ପନା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ । ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା ।
ପୁଲିସ ସୂଚନା ମୁତାବକ, ପେସାରେ ରାଜମିସ୍ତ୍ରୀ ଥିବା ଲୋକନାଥ କିଛି ଦିନ ତଳୁ ମାନସିକ ଭାବେ ଚିନ୍ତାଗ୍ରସ୍ତ ରହି ଆସୁଥିଲା । ଏକମାତ୍ର ପୁଅ ପଙ୍କଜ ନିଜ ସଂସାର ନେଇ ଘରୁ ବାହାରି ଯିବା ପରେ ଲୋକନାଥ ଅଧିକ ମାତ୍ରାରେ ଭାଙ୍ଗି ପଡ଼ିଥିଲା । ୨୦୨୦ରୁ କରୋନା ମାଡ଼ି ଆସିବା ଯୋଗୁଁ କାମଦାମ ଆଉ ଲୋକନାଥ ହାତରେ ମିଳିନଥିଲା । ରୋଜଗାର ଶୂନ ଥିବା ବେଳେ ପୂରା ପରିବାରର ଭରସା ଥିଲା କେବଳ ରେସନ କାଡର଼୍ ଖଣ୍ଡେ । ଏଣେ ପୁଣି ମୁଣ୍ଡ ଉପରେ ବଢ଼ିଲା ଝିଅର ବୋଝ ଏବଂ ପାଠପଢ଼ା ଖର୍ଚ୍ଚ । ତା’ ସାଙ୍ଗକୁ ପତ୍ନୀ କଳ୍ପନା ଶାରୀରିକ ଭାବେ ଦୁର୍ବଳ ରହୁଥିବାରୁ ନିୟମିତ ଔଷଧ ଖର୍ଚ୍ଚ ଉଠାଇବା ଲୋକନାଥ ପକ୍ଷେ ସମ୍ଭବପର ହେଉନଥିଲା । ଅନ୍ୟପଟେ ନିଜ ପିଠିରେ ବି ଏକ ଆବୁ ବାହାରିଥିଲା । ଚାରିଆଡ଼ୁ ଆର୍ଥିକ ସମସ୍ୟାର ବୋଝ ତଳେ ଦବି ଆସୁଥିବା ଅନୁଭବ କରି ଲୋକନାଥ ଚିଡ଼୍ଚିଡ଼ା ହୋଇସାରିଥିଲା । ସେଇ କାରଣରୁ ଛୋଟ ମୋଟ କଥାରୁ ପତି-ପତ୍ନୀଙ୍କ ଭିତରେ କଳିଗୋଳ ମାମୁଲି ହୋଇସାରିଥିଲା । ହେଲେ ମାନସିକ ଚାପରେ ଲୋକନାଥ ଏତେ ବଡ଼ ନାରକୀୟ କାଣ୍ଡ ଘଟାଇ ନିଜେ ଦୁନିଆ ଛାଡ଼ି ଚାଲିଯିବା ଭଳି ନିଷ୍ପତ୍ତି ନେବ ବୋଲି କାହାରିକୁ ମାଲୁମ ନଥିଲା ।
ରିପୋର୍ଟ ରାକେଶ ଦାସଙ୍କଠାରୁ


Comments are closed, but trackbacks and pingbacks are open.