ଡାକ୍ତରଖାନାରେ ଭର୍ତ୍ତି ବେଳେ ସୌମ୍ୟ ଅଚେତ ଥିଲେ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ବୁଧବାର ପାରଳାଖେମୁଣ୍ଡି ତହସିଲଦାର ଓ ୨ ଡାକ୍ତରଙ୍କୁ ଜେରା କରିଛି । ପ୍ରଥମାର୍ଦ୍ଧରେ ଘଟଣା ଦିନ ସୌମ୍ୟଙ୍କୁ ଚିକିତ୍ସା କରିଥିବା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଡାକ୍ତର ଅଭିଳାଷ ପଣ୍ଡା ଏବଂ କିଶୋର ଚନ୍ଦ୍ର ବେହେରାଙ୍କୁ ପଚରାଉଚୁରା କରାଯାଇ ଥିଲା । ଦ୍ୱିତୀୟାର୍ଦ୍ଧରେ ସୌମ୍ୟଙ୍କ ମୃତୁ୍ୟକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକ୍ଜିକୁ୍ୟଟିଭ୍ ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚୁ୍ୟତାନନ୍ଦ ଜାନୀଙ୍କୁ ପଚରାଉଚୁରା କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ ।
ବୁଧବାର ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତରଙ୍କୁ ପଚରାଉଚୁରା ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୌମ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ- ଏସିଏଫ୍ଙ୍କୁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେତେବେଳେ ସେ ଅଚେତ ଥିଲେ । ସାଲାଇନ୍ ଦେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଚେତା ଫେରିଥିଲା । ତେବେ ପୋଡା ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ସ୍ଥଳେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ତାଙ୍କୁ କାହିଁକି ଅଢେଇ ଘଣ୍ଟାରୁ ଅଧିକ ସମୟ ରଖାଯାଇଥିଲା ବୋଲି ପ୍ରଶ୍ନର ଉତ୍ତରରେ ଡାକ୍ତର କହିଛନ୍ତି ଯେ- ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର କରିବା ପାଇଁ ସମୟ ଲାଗିଥିଲା । ତେଣୁ ସ୍ଥାନାନ୍ତରରେ ବିଳମ୍ବ ଘଟିଥିଲା । ଅପରପକ୍ଷରେ ପଚରାଉଚୁରା ବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ପାରଳା ତହସିଲଦାର । ତଦନ୍ତରେ ସୁଫଳ ମିଳୁଛି ଏବଂ ଅତି ଶୀଘ୍ର ଘଟଣା ପଛର ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ର ।
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ପୋଡି ହୋଇ ମୃତୁ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ସୋମବାରରୁ ଏହି ଘଟଣାରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକି ପଚରାଉଚୁରା ଆରମ୍ଭ କରିଛି । ଏ ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ, ଦୁଇ ଜଣ ଏସିଏଫ୍, ତିନି ଜଣ ବନ କର୍ମଚାରୀ, ଡିଏଫଓଙ୍କ ଫାଟକ ଜଗୁଆଳି, ମାଳି, ଗୁରୁତର ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଲାଣି ତଦନ୍ତକାରୀ ଦଳ । କ୍ରାଇମ୍ବ୍ରାଞ୍ଚ ପ୍ରଶ୍ନବାଣରେ ଘାଇଲା ହୋଇ ସେହି ରାତିର ଅନେକ ଗୁମର ଖୋଲିଛନ୍ତି ଜଗୁଆଳି । ତାଙ୍କରି ବୟାନ ଆଧାରରେ କ୍ରାଇମ୍ବ୍ରାଞ୍ଚ ଘଟଣା ରାତିରେ ଜିଲ୍ଲାପାଳଙ୍କ ଉପସ୍ଥିତି ପ୍ରସଙ୍ଗକୁ ଲୋକଲୋଚନକୁ ଆଣିପାରିଛି । ସେହିଦିନ ଜିଲ୍ଲାପାଳ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃତୁ୍ୟ ଘଟଣା ସହ ତାଙ୍କ ସମ୍ପର୍କ କଣ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଜିଲ୍ଲାପାଳ ପଦୁଟିଏ ମଧ୍ୟ କହୁନାହାନ୍ତି ।
ଏହି ଘଟଣାର ତଦନ୍ତ ପ୍ରଥମେ ପୁଲିସ କରୁଥିବା ବେଳେ ଗଜପତି ଜିଲ୍ଲା ତକ୍ରାଳୀନ ଏସ୍ପି ତପନ ପଟ୍ଟନାୟକ ବିଦ୍ୟାଭାରତୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ । ଫଳରେ ଜିଲ୍ଲା ପୁଲିସ ତଦନ୍ତ ପ୍ରକ୍ରିୟା ବିବାଦ ମଧ୍ୟକୁ ଆସିଥିଲା । ସୋମବାର ଜିଲ୍ଲାରେ ନୂତନ ଏସ୍ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜୟୀରାମ ଶତପଥୀ ଆଜି ଯାଏଁ ଏହି ଘଟଣାକୁ ନେଇ ପଦୁଟିଏ ମଧ୍ୟ କହୁନାହାନ୍ତି । ତେଣୁ ଜିଲ୍ଲା ପୁଲିସକୁ ନେଇ ସନେ୍ଦହ ବଢିବାରେ ଲାଗିଛି । ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଥିବାରୁ ଜିଲ୍ଲା ପୁଲିସ ସହଯୋଗ କରୁନାହିଁକି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ଆରମ୍ଭରୁ ତଦନ୍ତକାରୀ ପୁଲିସ ଟିମ୍ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ପଦୁଟିଏ ମଧ୍ୟ କହିନଥିଲା । ସେହିପରି ଚିକିତ୍ସା କରୁଥିବା ଡାକ୍ତର କିମ୍ବା ତହସିଲଦାରଙ୍କୁ ମଧ୍ୟ ପଚରାଉଚୁରା କରିନଥିଲା । ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ପଚରାଉଚୁରା କରି ନୂଆ ନୂଆ ତଥ୍ୟ ପଦାକୁ ଆଣୁଛି । ଫଳରେ ପୁଲିସ ତଦନ୍ତ ସମୟରେ ଅନେକ ଦିଗକୁ ଛାଡିଦେଇଥିବା ଅଭିଯୋଗର ସତ୍ୟତା ଥିବା ଭଳି ମନେ ହେଉଛି । ତେବେ ତଦନ୍ତ ସରିବା ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ ତଦନ୍ତର ନେତୃତ୍ୱ ନେଉଥିବା ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons