ଡାକ୍ତରଙ୍କ ଧର୍ମଘଟ ଶେଷ,ସୁରକ୍ଷା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଲେ ମମତା

Get real time updates directly on you device, subscribe now.

କୋଲକାତା: ପଶ୍ଚିମବଙ୍ଗର ଡାକ୍ତରମାନେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ନେଇ ଘୋଷଣା କରିଛନ୍ତି। ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ, କାର‌୍ୟ୍ୟ ସମୟରେ ସେମାନେ ଭୟରେ ରହୁଛନ୍ତି। ପ୍ରାୟ ସମୟ ଡାକ୍ତରଙ୍କୁ ମାଡ଼ ଘଟଣା ସାମ୍ନାକୁ ଆସୁଛି। ତେଣୁ ଆମକୁ କାର‌୍ୟକ୍ଷେତ୍ରରେ ସୁରକ୍ଷା ଦିଆଯାଉ। ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ସରକାର ସୁରକ୍ଷାଦେବା ନେଇ ପ୍ରତିଶୃତି ଦେଇଛନ୍ତି। ତେଣୁ ପ୍ରତି ହସ୍ପିଟାଲରେ ନୋଡାଲ ଅଫିସର ନିଯୁକ୍ତ କରିବା ନେଇ ନିର୍ଦେଶ ଦେଇଛନ୍ତି। ଯାହାଫଳରେ ଗତ ୧ ସପ୍ତାହ ଧରି ଚାଲିଥିବା ଧର୍ମଘଟ ଆଜି ଶେଷ ହୋଇଛି।
ଗତ ୧୦ରେ କୋଲକାତାର ଏନଆରଏସ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ବିରୋଧ କରି ଡାକ୍ତରମାନେ ଜୁନ ୧୧ରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ଡାକ୍ତରମାନେ ଗଣମାଧ୍ୟମ ଆଗରେ ମମତାଙ୍କ ସହିତ ଆଲୋଚନା କରିଥିଲେ। ଏବେ ସବୁ ହସ୍ପିଟାଲରେ ଅଭିଯୋଗ ନିରାକରଣ ପ୍ରକୋଷ୍ଠ ଖୋଲିବାକୁ ପ୍ରଚେଷ୍ଠା କରାଯିବ ବୋଲି ଏହି ସମୟରେ କହିଥିଲେ ମମତା।ପଶ୍ଚିମବଙ୍ଗର ଦୁଇଟି ଆଞ୍ଚଳିକ ଟିଭି ଚ୍ୟାନେଲ ଏହି କଥାବାର୍ତ୍ତାର ସିଧାପ୍ରସାରଣ କରିଥିଲେ।
ବୈଠକରେ ଡାକ୍ତରମାନେ ଜରୁରୀକାଳୀନ ଓ୍ୱାର୍ଡରେ ରୋଗୀଙ୍କ ବ୍ୟତୀତ ୨ରୁ ଅଧିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ। ସେହିପରି, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜୁଛି ସେଥିପାଇଁ ଡାକ୍ତରମାନେ ଆବଶ୍ୟକ ଫୋରମ ଦାବି କରିଥିଲେ। ତା ଛଡ଼ା, ଯେଉଁମାନେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ସେମାନେ ମମତାଙ୍କ ନିକଟରେ ନିବେଦନ କରିଥିଲେ।ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଜରୁରୀକାଳୀନ ଓ୍ୱାର୍ଡରେ ୨ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ। ଏଥିସହ ପ୍ରତି ହସ୍ପିଟାଲରେ ୧୦ ସ୍ତରୀୟ ସୁରକ୍ଷା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଜଣେ ପୁଲିସ ଅଫିସର ଗୋଟିଏ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ବୋଲି ମଧ୍ୟ ମମତା କହିଛନ୍ତି। ଏ ନେଇ ବୈଠକରେ ଉପସ୍ଥିତ ଥିବା ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମମତା। ଯେଉଁ ରୋଗୀଙ୍କର ମୃତ୍ୟୁ ହେବ ସେ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ଫୋରମ୍ ଜରିଆରେ ଅବଗତ କରାଯିବ ବୋଲି ମମତା ଡାକ୍ତରଙ୍କୁ ପ୍ରତିଶୃତି ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ମନା କରିଦେଇଥିଲେ। ରୁଦ୍ଧଦ୍ୱାର କୋଠରୀରେ ସେମାନେ କୌଣସି ଆଲୋଚନା କରିବେ ନାହିଁ।କାରଣ ସେମାନେ ସୁରକ୍ଷିତ ମନେକରୁନାହାନ୍ତି ବୋଲି କହିଥିଲେ।ଏହା ସହ ସେମାନେ ଦାବି ରଖିଥିଲେ ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ମାଗନ୍ତୁ। ତେବେ ଆଜି ଡାକ୍ତରଙ୍କ ଏକ ପ୍ରତିନିଧିମଣ୍ଡଳୀ ମମତାଙ୍କ ସହ ଆଲୋଚନା କରିଥିଲେ। ଡାକ୍ତର ପ୍ରତିନିଧିମଣ୍ଡଳୀ କହିଥିଲେ ଯେ ଏନଆରଏସ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ କଠୋର ଦଣ୍ଡ ମିଳୁ। ଏହି ପ୍ରସଙ୍ଗରେ ମମତା କହିଥିଲେ ଯେ ଆକ୍ରମଣରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। କୌଣସି ଡାକ୍ତରଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ମାମଲା ରୁଜୁ କରିନାହାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons