ଜଗତସିଂହପୁର,(ବି.ବି.ନୁ୍ୟଜ୍): ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବା ପରେ ବି ପୁଲିସ ଅଧିକାରୀମାନେ ଖାମଖିଆଲ ମିଜାଜ୍ ଛାଡ଼ି ପାରି ନାହାନ୍ତି । ସିଆର୍ପିସିର ଧାରା ୪୧(କ)(୧) ନୋଟିସ୍ ଡାକ ଯୋଗେ ପଠାଉଛନ୍ତି । ଏମିତିକି ଅକ୍ଟୋବର ୧ ତାରିଖରେ ଅଭିଯୁକ୍ତଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ରେ ଜଣାଉଥିବା ବେଳେ ନିଜେ ଆଇଓ ବା ତଦନ୍ତକାରୀ ଅଫିସର ଅକ୍ଟୋବର ୨୫ ତାରିଖରେ ଦସ୍ତଖତ ମାରୁଛନ୍ତି । ଏଭଳି ବିଚିତ୍ର ତଥା ବେପରୁଆ ଢଙ୍ଗର କାର୍ଯ୍ୟ ଏରସମା ଥାନାରେ କରାଯାଇଥିବା ନଜରକୁ ଆସିଛି । ଆଜି ଏ ନେଇ ଏସ୍ପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂକୁ ଚିଠି ଲେଖି ଜଣାଇଛନ୍ତି କନାଗୁଳି ଗ୍ରାମର ଜ୍ୟୋତ୍ସ୍ନାରାଣୀ ଦାସ ଓ ସସ୍ମିତା ସେଠୀ ।
ଖବର ମୁତାବକ, ଏରସମା ଥାନା କନାଗୁଳି ଗ୍ରାମର ନୃସିଂହ ଦାସଙ୍କ ଦୁଇ ପତ୍ନୀ ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ଓ ସସ୍ମିତା । କୌଣସି କାରଣକୁ ନେଇ ଜ୍ୟୋସ୍ନାରାଣୀଙ୍କ ବିରୋଧରେ ଗତ ମେ ମାସ ୧୬ ତାରିଖରେ ଏରସମା ଥାନାରେ ମାମଲା ରୁଜୁ ହୋଇଥିଲା । ସେଇ ଗ୍ରାମର ପ୍ରମିଳା ଦାସଙ୍କ ଅଭିଯୋଗ ଉପରେ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା । ଏହାଛଡ଼ା ନୋଟିସ୍ରେ ଅଭିଯୁକ୍ତଙ୍କୁ ଗିରଫ କରାନଯାଇ କେତେକ ସର୍ତ୍ତରେ ଆବଦ୍ଧ କରାଯାଉଛି ବୋଲି ଉଲ୍ଲେଖ କରାଯିବା ସହ ଏଥିରେ ଖିଲାପ କଲେ କିମ୍ବା ନିୟମ ପାଳନ କରିବାରେ ଅବହେଳା ପ୍ରଦର୍ଶନ କଲେ ଆଇନଗତ ଭାବେ ଗିରଫ କରାଯିବ ବୋଲି ସୂଚିତ କରାଯାଇଛି । ଏତଦ୍୍ବ୍ୟତୀତ ନୋଟିସ୍ରେ ଗତ ଅକ୍ଟୋବର ୧ ତାରିଖରେ ଏରସମା ଥାନାରେ ହାଜର ହୋଇ ଏହି ମୋକଦ୍ଧମାର ତଦନ୍ତରେ ସହଯୋଗ କରିବାକୁ ପୁଲିସ ପକ୍ଷରୁ ଜ୍ୟୋସ୍ନାରାଣୀଙ୍କୁ ୪୧(କ) ନୋଟିସ୍ ବଳରେ ଅବଗତ କରାଯାଇଥିଲା । କେବଳ ସେତିକି ନୁହେଁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ୧୫ ଦିନରେ ଥରେ ଥାନାରେ ହାଜର ହୋଇ ଆଇଓଙ୍କୁ ସାକ୍ଷାତ କରିବେ କିମ୍ବା ଆବଶ୍ୟକ ପଡ଼ିଲେ ଯେତେବେଳେ ଆଇଓ ଚାହିଁବେ ସେହି ସମୟରେ ସହଯୋଗ କରିବେ ବୋଲି ଜ୍ୟୋତ୍ସ୍ନାରାଣୀଙ୍କୁ ପ୍ରଦାନ କରାଯାଇଥିବା ନୋଟିସ୍ରେ ସୂଚିତ କରାଯାଇଥିଲା । ତେବେ ଏହି ନୋଟିସ୍ରେ ନିଜେ ଆଇଓ ଅକ୍ଟୋବର ୨୫ ତାରିଖରେ ଦସ୍ତଖତ ମାରିଥିବା ବେଳେ ଅକ୍ଟୋବର ୧ରେ ଜ୍ୟୋସ୍ନାରାଣୀଙ୍କୁ ଥାନାରେ ହାଜର ହେବାକୁ ଜଣାଇବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ସେହିପରି ନୋଟିସ୍ଟି ଡାକ ଯୋଗେ ଚଳିତ ମାସ ୨ ତାରିଖରେ ପୋଷ୍ଟ କରାଯାଇଥିଲା, ଯାହା ଚଳିତ ମାସ ୬ ତାରିଖରେ ଜ୍ୟୋତ୍ସ୍ନାରାଣୀଙ୍କ ହସ୍ତଗତ ହୋଇଥିଲା । ଏ ସଂକ୍ରାନ୍ତରେ ଜ୍ୟୋତ୍ସ୍ନାରାଣୀଙ୍କ ପକ୍ଷରୁ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅଭିଯୋଗ ପତ୍ରରେ ଜ୍ୟୋତ୍ସ୍ନାରାଣୀ ଆଇଓ ଧମକଚମକ ଦେବା ସହ ଗିରଫ କରିବାକୁ ନାଲି ଆଖି ଦେଖାଇଥିବା ଉଲ୍ଲେଖ କରିଛନ୍ତି । ତେବେ ପୁଲିସ ନିଜ ଆଡ଼ୁ ତାରିଖରେ ଗୋଳମାଳ ତଥା ବେପରୁଆ କାମ କରି ଏବେ ଜ୍ୟୋତ୍ସ୍ନାରାଣୀଙ୍କୁ ଗିରଫ କରିବାକୁ ଧମକ ଦେବା ଚକିତର ବିଷୟ ହୋଇଛି । ଏହା ମଧ୍ୟ ପ୍ରମାଣିତ ହେଉଛି ଯେ, ପୁଲିସ ଘରେ ବସି ମାମଲାର କେବଳ ତଦନ୍ତ କରୁନି ନିଜ ମର୍ଜିର୍ିରେ କଲମ ମୁନ ଚଳାଉଥିବା ଜଳ ଜଳ ବାରି ହୋଇପଡ଼ିଛି । ନିୟମ କହୁଛି, ୪୧(କ) ନୋଟିସ୍କୁ ଡାକ ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସିଧାସଳଖ ଦେବା କଥା । ହେଲେ ଏରସମା ଥାନାରେ ଏହାର କିଭଳି ବ୍ୟତିକ୍ରମ କରାଗଲା ତାହା ଉପରେ ତିର୍ତ୍ତୋଲ ଏସ୍ଡିିପିଓ ଦୀପକ ରଞ୍ଜନ ଜେନାଙ୍କୁ ପଚାରିବାରୁ କାଗଜପତ୍ର ଦେଖିବା ପରେ ଏହା ଉପରେ ଯାହା କିଛି ସୂଚନା ଦେବି ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.