ବାରିପଦା:ଗର୍ଭବତୀ ପତ୍ନୀଙ୍କୁ ସାଙ୍ଗରେ ଧରି କରୁଥିଲେ ଅଜ୍ଞାତବାସ। ଜୀବନ ବଞ୍ଚାଇ ଲୁଚି ଲୁଚି ବୁଲୁଥିଲେ ଏ ଗାଁରୁ ସେ ଗାଁ। ଅନ୍ଧବିଶ୍ୱାସର ଅନ୍ଧଗଳିରେ ଖୋଜି ବୁଲୁଥିଲେ ଆଶାର ଆଲୋକ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନି ମାସ । ଶେଷରେ ଜଙ୍ଗଲ ଭିତରେ ଦୁନିଆକୁ ଆସିଲା ତାଙ୍କର ସନ୍ତାନ । ଏ ହେଉଛି ୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଏକ ଦମ୍ପତିଙ୍କ ଦୁଃଖଦ ଜୀବନ କାହାଣୀ।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଜୁଆଳିକଟା ଗାଁର ଚୈତନ୍ୟ ମୁର୍ମୁ ଓ ତାଙ୍କ ସ୍ତ୍ରୀ ପାର୍ବତୀ। ତାଙ୍କ ହସଖୁସିର ସଂସାରକୁ ଛାରଖାର କରିଦେଲେ ଅନ୍ଧବିଶ୍ୱାସ। କୌଣସି ଘଟଣାକୁ ନେଇ ନିଜ କକାମାନଙ୍କ ସହ ତାଙ୍କର ବିବାଦ ହୋଇଥିଲା। କକାମାନେ ମିଳିମିଶି ତାଙ୍କୁ ଡାହାଣୀ ଆଖ୍ୟା ଦେଲେ। ଆଉ ଆକ୍ରମଣ କରି ଘରୁ ବାହାର କରିଦେଲେ।
ଏ ନେଇ ଗାଁରେ ବିଚାର ମଧ୍ୟ ହେଲା। ହେଲେ କେହି ତାଙ୍କ ପାଇଁ ଠିଆ ହୋଇ ନ ଥିଲେ। ଗାଁ ଲୋକେ ବି ତାଙ୍କୁ ଡାଆଣି ଆଖ୍ୟା ଦେଲେ। ଶେଷରେ ଉଭୟଙ୍କୁ ଗାଁରୁ ତଡି ଦିଆଗଲା।
ତା’ପରେ ସ୍ତ୍ରୀକୁ ଧରି ଚୈତନ୍ୟ ତାଙ୍କ ମାମୁ ଘର ଗାଁ ଦୋଶିଶୋଳକୁ ପଳାଇ ଯାଇଥିଲେ। ସେମାନେ ସେଠାରେ ତିନି ମାସ ରହିଥିଲେ। ସବୁ ଠିକ୍ ଠାକ ଚାଲିଥିଲା। ତେବେ ପାର୍ବତୀଙ୍କୁ ଡାହାଣୀ ସନ୍ଦେହରେ ଗାଁରୁ ତଡ଼ି ଦିଆଯାଇଥିବା ଖବର ସେଠାରେ ବି ପହଞ୍ଚିଗଲା। ଫଳରେ ସେ ଗାଁ ଲୋକ ବି ସେମାନଙ୍କୁ ତଡ଼ି ଦେଲେ। ଏହାପରେ ସେମାନେ ଆସି ମଇଁଷାଉଦା ଜଙ୍ଗଲରେ ରହିଥିଲେ।
ଏହି ଜଙ୍ଗଲରେ ହାତୀ ରହୁଥିବାରୁ ବନ ବିଭାଗ କର୍ମଚାରୀମାନେ ସେଠାରେ ନ ରହିବା ପାଇଁ ସେମାନଙ୍କୁ କହିଥିଲେ। ସେଠାରୁ ଏହି ଦମ୍ପତି ଆସି ପାଖ ଗାଁ ଦହିଶୋଳରେ ରହିଥିଲେ। ସେ ଗାଁ ଲୋକେ ମଧ୍ୟ ସେମାନଙ୍କୁ ତଡ଼ି ଦେଇଥିଲେ। ଏହାପରେ ଚୈତନ୍ୟ ସାଶୋଡ଼ାପାଳ ଗାଁ ନିକଟରେ ଥିବା ଜଙ୍ଗଲରେ ରହିଥିଲେ।
ଜଙ୍ଗଲରେ ଏକ ଆମ୍ବଗଛ ତଳେ ତିଆରି କଲେ କୁଡ଼ିଆ। ପିଲିଥିନି ଛପର କୁଡ଼ିଆକୁ ଘେରାଇଥିଲା କେତେଖଣ୍ଡ ଶାଢୀ। ହାଣ୍ଡି, ଡେକ୍ଚି, ବାଲ୍ଟି ରଖିବାକୁ ଜାଗା ନାହିଁ । ସେ ସବୁ ରହିଛି ଗଛ ଉପରେ। କୁଡିଆ ବାହାରେ ରାନ୍ଧି ଦୁଇ ପ୍ରାଣୀ ଖାଉଛନ୍ତି। ତେବେ ଏପରି ଦୁର୍ଦ୍ଦିନରେ ତାଙ୍କୁ କୋଳକୁ ଆସିଛି ନୂଆ ଅତିଥି। ଗତ ୨୩ ତାରିଖ ଦିନ ଏଇ ଆମ୍ବ ଗଛ ମୂଳେ ପାର୍ବତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ହେଲେ ଏତିକିରେ ତାଙ୍କ ଦୁର୍ଭାଗ୍ୟ ସରିନି। ଗର୍ଭସ୍ଥ ସନ୍ତାନକୁ ଆଲୋକ ଦେଖାଇଲେ ସିନା, ତାଙ୍କୁ ସୁରକ୍ଷା ଦେଇ ନାହାନ୍ତି। ଔଷଧ ନାହିଁ କି ରହିବା ପାଇଁ ସୁରକ୍ଷିତ ଜାଗା ଟିକିଏ ନାହିଁ।
ଏହି ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ପଠାଯାଇ ଦମ୍ପତିଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ଉତ୍ତମ ଚିକିତ୍ସା ପାଇଁ ବାରିପଦା ସ୍ଥିତ ମେଡିକାଲ କଲେଜକୁ ପଠାଯାଇଛି।
Comments are closed, but trackbacks and pingbacks are open.