ରାଇରଙ୍ଗପୁର, (ବି.ବି.ନୁ୍ୟଜ): ଦକ୍ଷିଣ-ପୂର୍ବ ରେଳପଥ, ଚକ୍ରଧରପୁର ଡିଭିଜନର ଡିଆରଏମ ବିଜୟ କୁମାର ସାହୁ ଜରୁରୀକାଳୀନ ଗସ୍ତରେ ଆସି ଜାମସେଦପୁର-ବାଦାମପାହାଡ ରେଳଲାଇନରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ । ଗୋରୁମହିଷାଣି- ବାଙ୍ଗିରିପୋଷି ଓ ବାଦାମପାହାଡ- କେନ୍ଦୁଝର ରେଳପଥ ସଂଯୋଗୀକରଣ କାମ ପାଇଁ ଦକ୍ଷିଣ-ପୂର୍ବ ରେଲ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି । କୋଭିଡ ପାଇଁ ବନ୍ଦ ଥିବା ଟାଟା ବାଦାମପାହାଡ଼ ଟ୍ରେନ ରାଜ୍ୟ ସରକାର ଅନୁମତି ପ୍ରଦାନ କଲେ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚାଲିବ ବୋଲି କହିଥିଲେ ।
ସୂଚନାନୁଯାୟୀ ଡିଆରଏମ ଶ୍ରୀଯୁକ୍ତ ସାହୁ ଏକ ସ୍ୱତନ୍ତ୍ର ସେଲୁନ (ଟ୍ରେନ ବସ୍ରେ)ସକାଳୁ ଦକ୍ଷିଣ ପୂର୍ବ ରେଳ ଡିଭିଜନ ଚକ୍ରଧରପୁରରୁ ବାହାରି ୧୦ଟାରେ ଟାଟା ଜାମସେଦପୁର ରେଳ ଜଙ୍କସନରେ ପହଞ୍ଚିଥିଲେ । ପରେ ଦିନ ଦଶଟାରେ ଟାଟାରୁ ବାହାରି ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ହୋଲଦପୋଖରୀ ଷ୍ଟେସନ,ବହଳଦା ରୋଡ଼ ଝରାଡ଼ି ଷ୍ଟେସନ,ଅଁଳାଯୋଡ଼ି ଷ୍ଟେସନ, ରାଇରଙ୍ଗପୁର ଷ୍ଟେସନ, କୂଲଡିହା ଷ୍ଟେସନ, ଛନୁଆ ଷ୍ଟେସନ ଓ ଶେଷରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚିଥିଲେ ।
ଉକ୍ତ ଗସ୍ତ ସମୟରେ ସମସ୍ତ ଷ୍ଟେସନରେ ଓଲ୍ଲାଇ ଦ୍ରୁତ ଗତିରେ ଚାଲିଥିବା ଉକ୍ତ ରେଳ ଲାଇନର ବିଦୁ୍ୟତିକରଣ କାର୍ଯ୍ୟ, ସମସ୍ତ ଷ୍ଟେସନରେ ଲାଇନ୍ ଦୋହରିକରଣ, ମାଲ ଖାଲାସ ପାଇଁ ଲମ୍ବା ଲାଇନ ନିର୍ମାଣ କରିବା ସହିତ ଡିଜିଟାଲ ସିଗ୍ନାଲ ସିଷ୍ଟମ,ସମସ୍ତ ପ୍ଲାଟଫାର୍ମ ଓ ଷ୍ଟେସନର ଆଧୁନିକରଣ କରିବା କାମ ଜୋରସାରରେ ଚାଲିଛି । ଉକ୍ତ କାମର ତଦାରଖ କରିବା ପାଇଁ ଡିଆରଏମଙ୍କ ସହିତ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅଧିକାରୀ ମଧ୍ୟ ଆସିଥିଲେ । ଡ଼ିଆରଏମ ଭାବେ ଚକ୍ରଧରପୁରରେ ଯୋଗ ଦେବା ଦିନଠାରୁ ଟାଟା ବାଦାମ ପାହାଡ ରେଳ ଲାଇନର ଉନ୍ନତି କରଣ ଚାଲୁ ରହିଛି । ବିଜୟ କୁମାର ସାହୁ ଏହାକୁ ମିଶାଇ ଚାରି ଥର ଏହି ରେଳ ଲାଇନ ପରିଦର୍ଶନରେ ଆସିଛନ୍ତି ।


Comments are closed, but trackbacks and pingbacks are open.