ଡିଟୋନେଟର, ମାଓ ସାମଗ୍ରୀ ଜବତ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଅଞ୍ଚଳରେ ପୁଣି ମାଓବାଦୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନମୟ ହୋଇଥିଲେ ବି କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି । ମଙ୍ଗଳବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ରବିବାର ଗୋଚ୍ଛାପଡ଼ା ଥାନା ରାଇଘରା ଗ୍ରାମ ନିକଟସ୍ଥ ଜଙ୍ଗଲରେ କେତେକ ମାଓବାଦୀ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଡିଭିଏଫ୍ ଓ ଏସ୍ଓଜି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀ ମାନେ ପ୍ରଥମେ ପୁଲିସ ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଯବାନ ମାନେ ଏହାର ଜବାବରେ ପାଲଟା ଗୁଳି ଚଳାଇ ଥିଲେ । ମାଓବାଦୀମାନେ ପୁଲିସ ଉପରକୁ ଗ୍ରେନେଡ୍ ମାଡ଼ କରିଥିବା ଏସ୍ପି କହିଛନ୍ତି । ତେବେ ପୁଲିସ ବାହିନୀର ପାଲଟା ଆକ୍ରମଣରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଖସି ଚାଲି ଯାଇଥିଲେ । ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ପୁଲିସ ସର୍ଚ୍ଚ ଅପରେସନ କରି ସେଠାରୁ ଅନେକ ମାଓ ସାମଗ୍ରୀ ଜବତ କରିଛି । ଏଥି ମଧ୍ୟରେ ବ୍ୟାଟେରୀ, ଡିଟୋନେଟର, ଛତା, ରୋଷେଇ ସାମଗ୍ରୀ, ପୋଷାକ, ଜୋତା ଏବଂ ବିଭିନ୍ନ ଘରୋପକରଣ ଜିନିଷ ରହିଛି । ସମ୍ପୃକ୍ତ ଅଞ୍ଚଳରେ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି । ଏହି ସ୍ଥାନରେ ୧୫ରୁ ୨୦ ମାଓବାଦୀ ରହିଥିବା କୁହାଯାଇଛି । ଏମାନେ ସମସ୍ତେ କେକେବିଏନ୍ ଓଡ଼ିଶା ଡିଭିଜନର ବୋଲି ପୁଲିସ ଅନୁମାନ କରିଛି । ତେବେ ସମ୍ପୃକ୍ତ ଅଞ୍ଚଳରେ କୌଣସି ସ୍ଥାୟୀ ମାଓ କ୍ୟାମ୍ପ୍ ରହିଥିବା ନେଇ କୌଣସି ସୂଚନା ନଥିବା ଏସ୍ପି ସୂଚନା ଦେଇଛନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କୁ ମାଓ କ୍ୟାଡରରେ ସାମିଲ କରାଯାଉଥିବା ନେଇ ଆଶଙ୍କାକୁ ଖଣ୍ଡନ କରିଛନ୍ତି ଏସ୍ପି । ଅପରପକ୍ଷେ ଗୋଚ୍ଛାପଡ଼ା ଅଞ୍ଚଳରେ ବରମ୍ବାର ପୁଲିସ ମାଓବାଦୀ ମୁହାଁମୁହିଁ ହେଉଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons