କୋରାପୁଟ,(ବି.ବି.ନୁ୍ୟଜ୍): ଡିସେମ୍ବର ୨୩ରୁ କୋରାପୁଟ ଜିଲ୍ଲାରେ ଖୋଲିବ ମାଣ୍ଡିଆ ମଣ୍ଡି । ପୋଡ଼ାଗଡରୁ ମଣ୍ଡି ଆରମ୍ଭ ହେବ । ଚଳିତବର୍ଷ ମାଣ୍ଡିଆ ଉତ୍ପାଦନରେ ବିଳମ୍ବ ହୋଇଥିବାରୁ ଗତବର୍ଷ ଠାରୁ ସପ୍ତାହେ ବିଳମ୍ବରେ ମଣ୍ଡି ଖୋଲାଯିବ । ଚଳିତବର୍ଷ ଜିଲ୍ଲାର ୪୪ଟି ମଣ୍ଡିରୁ ୨୫ହଜାର କୁଇଣ୍ଟାଲ ମାଣ୍ଡିଆ କିଣାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁÂିତ ମଣ୍ଡି ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଜି ମଣ୍ଡି ପ୍ରସ୍ତୁତି ବୈଠକରେ ବନ୍ଧୁଗାଁ ବ୍ଲକରେ ୩ଟି, ବୈପାରିଗୁଡ଼ା ବ୍ଲକରେ ୪ଟି, ବୋରିଗୁମ୍ମା ବ୍ଲକରେ ୨ଟି, ଦଶମନ୍ତପୁର ବ୍ଲକରେ ୭ଟି ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଜୟପୁର ବ୍ଲକରେ ଗୋଟିଏ, କୋରାପୁଟରେ ୩ଟି, କୁନ୍ଦୁରା ବ୍ଲକରେ ୩ଟି, ଲମତାପୁଟରେ ୪ଟି, ଲକ୍ଷ୍ମୀପୁରରେ ୪ଟି, ନନ୍ଦପୁର ବ୍ଲକରେ ୬ଟି, ନାରାୟଣପାଟଣା ବ୍ଲକରେ ଗୋଟିଏ, ପଟ୍ଟାଙ୍ଗିରେ ୪ଟି ଓ ସେମିଳିଗୁଡ଼ା ବ୍ଲକରେ ୪ଟି ଏଭଳି ମୋଟ ୪୪ଟି ମଣ୍ଡିରେ ଚାଷୀଙ୍କ ଠାରୁ ମାଣ୍ଡିଆ କିଣାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି । ଜିଲ୍ଲାରୁ ସର୍ବାଧିକ ୨୫ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ହେବ । ଜଣେ ଚାଷୀ ହେକ୍ଟର ପିଛା ସର୍ବାଧିକ ୩ କୁଇଣ୍ଟାଲ ମାଣ୍ଡିଆ କେଜି ପିଛା ୩୧ ଟଙ୍କା ୫୦ ପଇସାରେ ମଣ୍ଡିରେ ବିକ୍ରି କରିପାରିବେ । ଚଳିତ ବର୍ଷ ଜିଲ୍ଲାରେ ମାଣ୍ଡିଆ ଭଲ ହୋଇଛି । ହେକ୍ଟର ପିଛା ଚାଷୀ ୭ରୁ ୮କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ଆଶା ରଖିଛନ୍ତି । ତେଣୁ ହେକ୍ଟର ପିଛା ୬ କୁଇଣ୍ଟାଲ ମାଣ୍ଡିଆ ବିକ୍ରି ହେଲେ ଚାଷୀଙ୍କ ପାଇଁ ସୁବିଧା ହୋଇପାରିବ ଓ ଚାଷୀ ଅଭାବୀବିକ୍ରିର ଶିକାର ହେବ ନାହିଁ ବୋଲି ଚାଷୀନେତା ଉମାକାନ୍ତ ନାୟକ ବର୍ମା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ୧୫ରୁ ମାଣ୍ଡିଆ ମଣ୍ଡି ଖୋଲାଯାଇଥିଲା । କିନ୍ତୁ ଜାନୁଆରୀରେ ଚାଷୀ ମଣ୍ଡିକୁ ମାଣ୍ଡିଆ ଆଣିଥିଲେ । ଏଥିପାଇଁ ଚଳିତବର୍ଷ ଗତବର୍ଷଠାରୁ ସପ୍ତାହେ ବିଳମ୍ବରେ ମଣ୍ଡି ଖୋଲିବା ପାଇଁ ଚାଷୀଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ ଜିଲ୍ଲା କୃଷି ଉପନିଦେ୍ର୍ଧଶକ ପି.କେ.ମହାନ୍ତି, ଜିଲ୍ଲା ଟିଡ଼ିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି, ଜିଲ୍ଲା ମାର୍କେଟିଂ ଅଧିକାରୀ ଆଶୁତୋଷ ନନ୍ଦ ପ୍ରମୁଖଙ୍କ ସହିତ ସମସ୍ତ ଲ୍ୟାମ୍ପ କର୍ମକର୍ତ୍ତା ଯୋଗଦେଇଥିଲେ । ଗତବର୍ଷ ଜିଲ୍ଲାରେ ଏଫଏକୁ୍ୟ ମାନର ୮ହଜାର ୮୦୪ କୁଇଣ୍ଟାଲ ମାଣ୍ଡିଆ ଚାଷୀଙ୍କ ଠାରୁ ସରକାର କିଣିଥିଲେ ।


Comments are closed, but trackbacks and pingbacks are open.