କଟକ,(ବି.ବି.ବୁ୍ୟରୋ): ମର୍କତନଗରସ୍ଥିତ ଡି’ ହାଉସରେ ହୋଇଥିବା ଦ୍ୱିତୀୟ ଦଫା ଖୋଳତାଡ଼ ଆଜି ଶେଷ ହୋଇଛି । ଏହି ଖୋଳତାଡ଼ରୁ ପୁଲିସକୁ ବଡ଼ ସଫଳତା ମିଳିଛି । ସେଠାରେ ଲୁଚା ହୋଇ ରହିଥିବା ପ୍ରଚୁର ଗୁଳିଗୋଳା ଓ ନଗଦ ଟଙ୍କା ପୁଲିସ ଜବତ କରିଛି । ଯାଂଚ ବେଳେ ଡି’ ହାଉସରୁ ୩ଟି ବନ୍ଧୁକ, ୧୭୫ଟି ଗୁଳି ଓ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ତେବେ ବନ୍ଧୁକ ଓ ଗୁଳି ଦୀର୍ଘ ଦିନ ହେବ ଡି’ ହାଉସର ସିକ୍ରେଟ୍ ଚ୍ୟାମ୍ୱରରେ ଲୁଚା ହୋଇ ରହିଥିଲା । ସେହିପରି କ୍ୟାସ୍ ଏକ ବେଡ୍ ରୁମର ସୋ’କେସରୁ ମିଳିଛି । ଦୁଇ ଭାଇ ଗିରଫ ହୋଇ ଯିବାର ଦୀର୍ଘ ୫ ବର୍ଷ ପରେ ହଠାତ୍ ତାଙ୍କ ଘରୁ ଏତେ ପରିମାଣର ନଗଦ ଜବତ ହେବା ପୁଲିସକୁ ଅଡ଼ୁଆରେ ପକାଇଛି । ଏହି ଟଙ୍କା ଜବତ ପରେ ଜେଲ୍ ଭିତରେ ରହି ଦୁଇ ଭାଇ ତାଙ୍କର ଦାଦାବଟି ଆଦାୟ ନେଟ୍ୱର୍କକୁ ଜୋରଦାର ଚଲାଉଥିବା ପୁଲିସ ଆଶଙ୍କା କରୁଛି । ତେବେ ଆଗକୁ ଏହି ଦିଗରେ ପୁଲିସ ତଦନ୍ତ ଜାରି ରହିବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଗତ ଦୁଇ ସପ୍ତାହ ପୂର୍ବରୁ ହଠାତ୍ କଟକ ପୁଲିସ ହାତରେ ଡି’ ବ୍ରଦର୍ସଙ୍କ ଜଣେ ବନ୍ଧୁକ ଯୋଗାଡ଼ିଆ ଧରାପଡ଼ିଥିଲା । ଏହି ଲିଙ୍କ୍ ଖୋଜୁ ଖୋଜୁ ଉକ୍ତ ଯୋଗାଡ଼ିଆ ଜଣକ ଏବେ ଧଳସାମନ୍ତ ଭ୍ରାତାଙ୍କ ଇସାରାରେ ବନ୍ଧୁକ କାରବାର କରୁଥିବା ସୂଚନା ଦେଲା । ଏହା ପରେ ପୁଲିସ ଧଳ ଭ୍ରାତାଙ୍କ ସିଡିଏ ସ୍ଥିତ ଘରେ ଯାଂଚ କରି ୮ଟି ମାଉଜର ଓ ୧୦୫୫ ରାଉଣ୍ଡ ଗୁଳି ଜବତ କଲା । ତେବେ ଏହି ଯାଂଚ ପରେ ବି ଡି’ ହାଉସ୍ରେ ଆଉ କିଛି ଗୁଳିଗୋଳା ରହିଗଲା ବୋଲି ପୁଲିସ ଆଶଙ୍କା କଲା । ତେଣୁ ଡି’ ହାଉସରୁ ପୁଣି ଅସ୍ତ୍ରଶସ୍ତ୍ର ଜବତ କରିବା ଓ ବନ୍ଧୁକ କାରବାର ଲିଙ୍କ୍ ଖୋଜିବା ପାଇଁ କଟକ ପୁଲିସ ଦୁଇ ଧଳଭ୍ରାତାଙ୍କୁ ଗତ ଗୁରୁବାର ସନ୍ଧ୍ୟାରୁ ରିମାଣ୍ଡରେ ଆଣି ଜେରା କରିଥିଲା । ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହସ୍ତଗତ କରିଥିଲା । ଏହି ଆଧାରରେ ପୁଲିସ ଗତକାଲି ସକାଳୁ ହଠାତ୍ ଡି’ ହାଉସ୍ରେ ଚଢ଼ଉ କରିବା ଆରମ୍ଭ କଲା । ପ୍ରଥମେ ବଡ଼ ଭାଇ ସୁଶାନ୍ତ ଓ ପରେ ସୁଶୀଲର ଉପସ୍ଥôତିରେ ଘର ଯାଂଚ ହେଲା । ବମ୍ ସ୍କ୍ୱାଡ୍ ଓ ଅନ୍ୟ ବୈଷୟିକ ଟିମ୍ ସହଯୋଗରେ ଘରର ତନତନ ଯାଂଚ କରାଯାଇଥିଲା । ଏହି ଯାଂଚ ଆଜି ଶନିବାର ଅପରାହ୍ନ ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା । ଯାଂଚ ବେଳେ ପୁଲିସ ବିଭିନ୍ନ କାନ୍ଥ ତଳୁ ଓ ଛାତ ଭିତରୁ ୩ଟି ମାଉଜର, ୧୭୫ ରାଉଣ୍ଡ ଗୁଳି ଓ ୫ଟି ମାଗ୍ଚିନ୍ ମିଳିଥିଲା । ପରେ କିଛି ବେଡ ରୁମର ସୋ’କେସ୍ ଓ କପ୍ବୋର୍ଡ ଯାଂଚ କରାଯାଇଥିଲା । ଏହି ଯାଂଚ ବେଳେ ପୁଲିସ ପୁଣି ପୁଳାପୁଳା ଟଙ୍କା ଜବତ କରିଥିଲା । ନୂଆ ୨ ହଜାର ଓ ୫ଶହ ଟଙ୍କିଆ ନୋଟର ବହୁ ବିଡ଼ା ଜବତ ହୋଇଛି । ଜବତ ନୋଟର ମୂଲ୍ୟ ପ୍ରାୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ । ଏହି ନୋଟ୍ ଜବତ ହେବା ପରେ ପୁଲିସ ଏବେ ତଦନ୍ତକୁ ଦାଦାବଟି ଆଦାୟ ଦିଗରେ କେନ୍ଦ୍ରୀଭୂତ କରିଛି । ଜେଲ୍ରେ ରହି ଦୁଇ ଭାଇ ସେମାନଙ୍କର ଯେଉ ଦାଦାବଟି ଆଦାୟ ନେଟ୍ୱର୍କକୁ ଜୋରଦାର ଚଲାଉଥିଲେ ବୋଲି ଅଭିଯୋଗ ହେଉଥିଲା ତାହା ପ୍ରାୟତଃ ସତ୍ୟ ବୋଲି ଆଜି ଡିସିପି ସୂଚନା ଦେଇଛନ୍ତି । ଆଗକୁ ଏହି ବିଷୟରେ ପୁଲିସ ଅଧିକ ତଦନ୍ତ କରିବ । ଜେଲ୍ରେ ଅଧିକ ସୁରକ୍ଷା ବଢ଼ାଯିବା ସହିତ ଦୁଇ ଭାଇ ଯେପରି ସେମାନଙ୍କ ନେଟ୍ୱର୍କକୁ ଚଲାଇ ପାରିବେ ନାହିଁ ତାହା ଉପରେ ପୁଲିସ ଗୁରୁତ୍ୱ ଦେବ ବୋଲି ଡିସିପି କହିଛନ୍ତି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଏଡିସିପି ତ୍ରିନାଥ ମିଶ୍ର, ଏଡିସିପି ପ୍ରମୋଦ ରଥ, ଏସିପି ଅମରେନ୍ଦ୍ର ପଣ୍ଡା, ଇନ୍ସପେକ୍ଟର ବିରଂଚି ନାରାୟଣ ପତି ଓ ଅଜୟ ଦାସ ପ୍ରମୁଖ ଉପସ୍ଥôତ ଥିଲେ ।
Comments are closed, but trackbacks and pingbacks are open.