ଢାବାରେ ନାବାଳକର ମୃତଦେହ ଉଦ୍ଧାର ଘଟଣା:ତଦନ୍ତ ଆରମ୍ଭ କଲେ ଏଚ୍ଆରପିସି ଟିମ୍

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନ୍ୟୁଜ୍): ବାଲିଆପାଳ ସ୍ଥିତ ରାଜଧାନୀ ଢାବାରୁ ଶୁକ୍ରବାର ନାବାଳକ କର୍ମଚାରୀର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଆଜି ଏହି ଘଟଣାର ମାନବାଧିକାର ସୁରକ୍ଷା ସେଲ(ଏଚ୍ଆରପିସି)ର ଏକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଏଚ୍ଆରପିସିର ଡିଏସପି ରଣଜିତ୍ ନାୟକଙ୍କ ନେତୃତ୍ୱରେ ୫ ଜଣିଆ ଦଳ ବାଲିଆପାଳରେ ପହଞ୍ଚି ତକ୍ରାଳୀନ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଥାନାରେ ୨ ଘଣ୍ଟା ଜେରା କରିଥିଲେ । ଥାନାରେ ଉପସ୍ଥିତ ବସ୍ତା ଏସ୍ଡିପିଓ ରଣଜିତ କୁମାର ପୃଷ୍ଟିଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଟିମ୍ ରାଜଧାନୀ ଢାବା ନିକଟରେ ପହଞ୍ଚିଥିଲେ । କେଉଁ ପରିସ୍ଥିତିରେ ନାବାଳକର ମୃତ୍ୟୁ ହେଲା ଏବଂ ଏହାର କାରଣ ଜାଣିବା ପାଇଁ ଟିମ୍ ଜଳିଯାଇଥିବା ଢାବାର ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଢାବା ନିକଟରେ ରହୁଥିବା କିଛି ପରିବାରର ଲୋକଙ୍କୁ ଏ ବିଷୟରେ ପଚାରି ବୁଝିଥିଲେ । ଏହି ଟିମ୍ ଅଟକ ଥିବା ୨ଜଣ ଢବା କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରିଛି । ପରିବାର ଲୋକଙ୍କୁ ନଜଣାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ଘଟଣା, ଗଣ୍ଡଗୋଳ ସମୟରେ ଉଠାଯାଇଥିବା ବିଭିନ୍ନ ଭିଡିଓ କ୍ଲିପ, ସିସିଟିଭି ଫୁଟେଜ୍, ସ୍ଥାନୀୟ ଲୋକଙ୍କର ମତାମତକୁ ତଦନ୍ତ ପରିସରକୁ ନିଆଯିବ ବୋଲି ଟିମ୍ ସୂତ୍ରରୁ ଜଣାପଡ଼ିଛି । ପୁଣି ଅପରାହ୍ନରେ ମୃତ ନାବାଳକ ବିଜୟର ଗାଁ ଭୋଗରାଇ ବ୍ଲକ୍ ଉଲୁଡ଼ାରେ ପହଞ୍ଚି ମୃତକର ମାଆ ଶାନ୍ତିଲତା ଦଳାଇ ଓ ଭଉଣୀ ଝରଣା ଦଳାଇଙ୍କୁ ପଚରାଉଚୁରା କରିଛି । ଏହାସହିତ ମୃତ ବିଜୟ, ଢାବାର ଅନ୍ୟ କର୍ମଚାରୀ, ଢାବା ମାଲିକ ସାହାବୁଦ୍ଦିନ ସାହା ଏବଂ ବିଜୟକୁ ନେଇ ସେଠାରେ ରଖାଇଥିବା ସମ୍ପର୍କୀୟ କାକା ଉଲୁଡ଼ା ଗ୍ରାମର ମହେଶ ଦଳାଇଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମ୍ରେ ଏଚ୍ଆର୍ପିସିର ଅତିରିକ୍ତ ଏସ୍ପି ସତ୍ୟନାରାୟଣ ଦାସ, ଏଏସଆଇ ପର୍ଶୁରାମ ପାଇକରାୟ, ସଦାନନ୍ଦ କଅଁର ପ୍ରମୁଖ ସାମିଲ ଅଛନ୍ତି । କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ ଏକ୍କା ସେମାନଙ୍କୁ ସହଯୋଗ କରିଥିଲେ । ଆଜି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଢାବା ମାଲିକଙ୍କୁ ଗିରଫ କରାଯାଇ ପାରିନାହିଁ । ବାଲିଆପାଳରେ ଉତ୍ତେଜନା ଥମି ଯାଇଥିଲା ବେଳେ ପୁଲିସ ଆଜି ମଧ୍ୟ ବିଭିନ୍ନ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ମୁତୟନ ଅଛନ୍ତି । ଭୋଗରାଇରେ ତଦନ୍ତ ସମୟରେ ନାଚିନ୍ଦା ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ହେମନ୍ତ ବେହେରା, ଶିଶିର ରଣା, ପୂର୍ବତନ ସରପଞ୍ଚ ଶ୍ରୀହରି ପାତ୍ର ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ଗତ ଶୁକ୍ରବାର ସକାଳେ ରାଜଧାନୀ ଢାବାରେ ୨ ବର୍ଷ ଧରି କାମ କରୁଥିବା ଭୋଗରାଇ ବ୍ଲକ୍ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ (୧୬)ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହାକୁ ନେଇ ଶୁକ୍ରବାର ଦିନ ତମାମ ବାଲିଆପାଳ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା । ପୁଲିସର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଶନିବାର ବାଲିଆପାଳର ତାତି ଭୋଗରାଇରେ ଦେଖିବାକୁ ମିଳିଥିଲା । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଶନିବାର ରାଜ୍ୟ ପୁଲିସ ନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ମାନଧିକାର ସୁରକ୍ଷା ସେଲ୍ (ଏଚ୍ଆରପିସି)କୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons