ପାରାଦୀପ,(ବି.ବି.ନୁ୍ୟଜ୍): ଓଡ଼ିଶାର ତଟ ରକ୍ଷା କରିବାକୁ ଆଉ ଏକ ନୂଆ ଯୁଦ୍ଧ ଜାହାଜ ‘ଆଇସିଜିଏସ୍ ବାରାଦ୍’ ଇଣ୍ଡିଆନ୍ କୋଷ୍ଟଗାଡର଼୍ ବା ଭାରତୀୟ ତଟରକ୍ଷୀ ବାହିନୀରେ ଆଜି ପାରାଦୀପଠାରେ ସାମିଲ ହୋଇଛି । ଆଗରୁ ଦୁଇଟି ଜାହାଜ ତଟରକ୍ଷାରେ ସାମିଲ ହୋଇସାରିଥିବା ବେଳେ ଅଧିକ କ୍ଷମତା ବିଶିଷ୍ଟ ଏହା ତୃତୀୟ ଜାହାଜ ଭାବେ ସାମିଲ ହୋଇଛି । ଆଇସିଜିଏସ୍ ବାରାଦ୍ ହେଉଛି ୭ଗୋଟି ଅଫ୍ ସୋର୍ ଭେସେଲ୍ ସିରିଜ୍ ଜାହାଜର ପଞ୍ଚମ ସିରିଜ୍ । ଏହାକୁ ମେସର୍ସ ଏଲ୍ଆଣ୍ଡଟି ପକ୍ଷରୁ ଡିଜାଇନ୍ କରାଯାଇଛି । ୯୮ ମିଟର ଲମ୍ବ ଏହି ଜାହାଜଟି ଅତ୍ୟାଧୁନିକ ନାଭିଗେସନ୍ ସିଷ୍ଟମ ସହିତ ସେନସର୍ ଓ ଯନ୍ତ୍ରପାତି ସହିତ ଖଚିତ ହୋଇଛି । ଏଫ୍ଡ଼ିଏସ୍ କାଟାଗୋରିର ୩୦ ଏମ୍ଏମ୍ ଓ ୧୨.୭ ଏମ୍ଏମ୍ ବନ୍ଧୁକ ଲାଗିଛି । ଇଣ୍ଟିଗ୍ରେଟେଡ଼୍ ବ୍ରିଜ୍ ସିଷ୍ଟମ୍(ଆଇବିଏସ୍), ଇଣ୍ଟିଗ୍ରେଟେଡ଼୍ ପ୍ଲାଟଫର୍ମ ମାନେଜମେଣ୍ଟ ସିଷ୍ଟମ୍ (ଆଇପିଏମ୍ଏସ୍), ଅଟୋମେଟେଡ୍ ପାୱାର୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏପିଏମ୍ଏସ୍) ଏବଂ ଆଇ ପାୱାର ଏକ୍ସଟର୍ନାଲ୍ ଫାୟାର୍ ଫାଇଟିଂ ସିଷ୍ଟମ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସହିତ ଏହା ଦୁଇଟି ଇଞ୍ଜିନ୍ ବିଶିଷ୍ଟ ହେଲିକପ୍ଟର, ୪ଟି ହାଇସ୍ପିଡ଼୍ ବୋଟ୍ ଧାରଣର କ୍ଷମତା ରଖିଛି । ଏହାଛଡ଼ା ଏହି ଜାହାଜରେ ସମୁଦ୍ରରେ ତୈଳ ଜନିତ ପ୍ରଦୂଷଣକୁ ରୋକିବାକୁ ସ୍ୱତନ୍ତ୍ର ଉପକରଣ ରହିଛି । ୨୧ଶହ ଟନ୍ ଓଜନ ବିଶିଷ୍ଟ ଏହି ଜାହାଜରେ ୯ହଜାର ୧ଶହ କିଲୋ ୱାଟ୍ ଡିଜେଲ୍ ଇଞ୍ଜିନ୍ ଲାଗିଥିବାରୁ ଏହା ସର୍ବାଧିକ ୨୬ ନଟ୍ ବେଗରେ ଯିବା ସହିତ ପ୍ରାୟ ୫ହଜାର ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ଯିବାର କ୍ଷମତା ରଖିଛି । କମାଣ୍ଡାଣ୍ଟ ପିଣ୍ଟୁ ବାଗ୍ଙ୍କ ଦ୍ୱାରା ପରିଚାଳିତ ଏହି ଜାହାଜରେ ୧୧ଜଣ ଅଧିକାରୀ ଓ ୯୧ ଜଣ କର୍ମଚାରୀ ଥିବା କୋଷ୍ଟଗାଡର଼୍ ପକ୍ଷରୁ ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.