ବେତନଟୀ,(ବି.ବି.ନୁ୍ୟଜ୍): ସାଙ୍ଗ ହୋଇ ଏକାଠି ମଦ ପିଉଥିଲେ । ଏଥିରୁ ସାମାନ୍ୟ ବଚସା ହୋଇ ଉଗ୍ରରୂପ ନେଲା । ମଦନିଶାରେ ଜଣେ ଆଉଜଣକୁ ତଣ୍ଟିଚିପି ହତ୍ୟା କରିବା ସହିତ ଅନ୍ୟଜଣଙ୍କୁ ଠେଙ୍ଗାରେ ପିଟି ଗୁରୁତର କରିପକାଇଛି । ଏହି ଅଭାବନୀୟ ଘଟଣା ଘଟିଛି ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ।
ସୂଚନା ମୁତାବକ ଗ୍ରାମର ରାଧାକୃଷ୍ଣ ବାରିକ(୫୦), ଶରତ ବାରିକ(୫୦) ଏବଂ ଶ୍ୟାମସୁନ୍ଦର ବାରିକ(୫୦) ଗୁରୁବାର ରାତିରେ ସାଙ୍ଗହୋଇ ଏକାଠି ମଦ ପିଉଥିଲେ । ତେବେ ମଦ ପିଇବା ସମୟରେ କୈାଣସି କଥାକୁ ନେଇ ପରସ୍ପର ମଧ୍ୟରେ କଳହ ହୋଇଥିଲା । ତେବେ କଳହ ବଢ଼ିବାରୁ ରାଧାକୃଷ୍ଣ ଏବଂ ଶରତ ସାଙ୍ଗହୋଇ ସେଠାରୁ ଚାଲି ଆସିବାକୁ ଉଦ୍ୟମ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ୟାମସୁନ୍ଦର ରାଧାକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲା । ରାଧାକୃଷ୍ଣ ଏକ ଗାମୁଛା ବେକରେ ପକାଇଥିବା ବେଳେ ଶ୍ୟମସୁନ୍ଦର ଉକ୍ତ ଗାମୁଛା ଦ୍ୱାରା ରାଧାକୃଷ୍ଣଙ୍କ ତଣ୍ଟିଚିପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ରାଧାକୃଷ୍ଣଙ୍କୁ ରକ୍ଷା କରିବାକୁ ଯାଇଥିବା ଶରତଙ୍କୁ ଅଭିଯୁକ୍ତ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା । ଫଳରେ ଶରତଙ୍କ ମୁଣ୍ଡ, ମୁହଁରେ ଗଭୀର ଆଘାତ ଲାଗିଛି । ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଛନ୍ତି । ଗୁରୁତର ଶରତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି ।
ଖବରପାଇ ବୈଶିଙ୍ଗା ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଏପଟେ ଶୁକ୍ରବାର ସକାଳେ ଏସଡିପିଓ ଲଳିତ କୁମାର ପଟ୍ଟନାୟକଙ୍କ ସମେତ ସାଇଣ୍ଟିଫିକଟିମ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି । ଏ ନେଇ ୧୨/୧୯ ଦଫା ୩୦୨/୩୦୭ରେ ମାମଲା ରୁଜୁ କରାଯାଇଛି । ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ମାମଲାର ତଦନ୍ତ ଭାର ନେଇଛନ୍ତି ।


Comments are closed, but trackbacks and pingbacks are open.