ରାତିଅଧିଆ ଯୁବକଙ୍କୁ ମାରି ପାଳଗଦାରେ ପୋଡ଼ିଦେଲେ

Get real time updates directly on you device, subscribe now.

କବିସୂର୍ଯ୍ୟନଗର, (ବି.ବି.ନୁୃ୍ୟଜ୍): ରାତି ଅଧରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣିଲେ, ଆଉ ପ୍ରମାଣ ନଷ୍ଟ କରିବାକୁ ପାଳଗଦାରେ ପକାଇ ଜାଳିଦେଲେ । ସକାଳୁ ମିଳିଲା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମରେ ଘଟିଛି ଏଭଳି ନୃସଂଶ ହତ୍ୟା । ଗତ ରାତିରେ ନାଟକ ଦେଖିବାକୁ ଯାଇଥିବା ଗ୍ରାମର ସୁରେଶ ଦାସ ଓରଫ କାଳିଆ (୨୪)ଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । କବିସୂର୍ଯ୍ୟନଗର ଓ ପୋଲସରା ଥାନା ପୁଲିସ ଏବଂ ପୁରୁଷୋତ୍ତମପୁର ଏସ୍ଡିପିଓ, ଦମକଳ ବାହିନୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି । ଘଟଣାସ୍ଥଳରୁ ବ୍ୟାଗ୍, ହେଲମେଟ୍, ବାଇକ୍, ଡ୍ରାଇଭିଂ ଲାଇସେନ୍ସ, ଏଟିଏମ୍ କାର୍ଡ, ଚପଲ ଜବତ ହୋଇଛି । ପାଳଗଦାରୁ ସୁରେଶଙ୍କ ଦରପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି । ସନେ୍ଦହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ଶୁକ୍ରବାର ସକାଳେ ସୁନାପଲ୍ଲୀ ଗ୍ରାମ ଲାଲୁଘାଇ ନିକଟ ଜନୈକ ବ୍ୟକ୍ତିଙ୍କ ଘର ପଛପଟ ପାଳଗଦାରେ ଏକ ଅର୍ଦ୍ଧଦଗ୍ଧ ଶବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କଠାରୁ ସୂଚନା ପାଇ ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ୱାଇଁ, ପୋଲସରା ଆଇଆଇସି ଜିତେନ୍ଦ୍ର ମଳିକ, କବିସୂର୍ଯ୍ୟନଗର ଥାନା ଏଏସ୍ଆଇ ସ୍ନେହାମଞ୍ଜୁରି ସାହୁ, ପ୍ରସନ୍ନ କୁମାର ପରିଡ଼ା, ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ, ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିଲେ । ପୁଲିସ ସୂଚନା ଅନୁସାରେ ମୃତଦେହରୁ ଦୁଇଟି ଗୋଡ଼ ଶରୀରରୁ ଅଲଗା ଥିଲା । ମୁଣ୍ଡରେ ୨/୩ଟି ଧାରୁଆ ଅସ୍ତ୍ରରେ କ୍ଷତ ଚିହ୍ନ ରହିଛି । ପ୍ରଥମେ ଧାରୁଆ ଅସ୍ତ୍ରରେ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ପାଳଗଦାରେ ପକାଇ ପୋଡ଼ି ଦେବା ଉଦ୍ୟମ ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଗତକାଲି ମଧ୍ୟରାତିରେ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ।
ଗତକାଲି ବ୍ରହ୍ମପୁର ଯିବ ବୋଲି ଘରେ କହି ଅଶିନିପୁର ସାଙ୍ଗ ଘରକୁ ଯାଇଥିଲେ ସୁରେଶ । ସେଠାରୁ ବାଇକ୍ ଯୋଗେ ଜଣଙ୍କ ଦଶାହ ଭୋଜିରେ ଆୟୋଜିତ ଭାରତଲୀଳା ନାଟକ ଦେଖିବାକୁ ଯାଇଥିଲେ । ଏହାପରେ ତାଙ୍କର ପତ୍ତା ମିଳି ନଥିଲା । ସକାଳେ ଅର୍ଦ୍ଧଦଗ୍ଧ ଶବ ପାଳଗଦାରେ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ସୁନାପଲ୍ଲୀ ସ୍କୁଲ ନିକଟରୁ ଜଣକୁ ଥାନାରେ ଅଟକ ରଖିଛି । ଅନ୍ୟ ଜଣେ ସନ୍ଦିଗ୍ଧ ଫେରାର ଥିବା ପୁଲିସ କହିଛି । ତଦନ୍ତକାରୀ ଅଧିକାରୀ ସ୍ନେହାମଞ୍ଜୁରି ସାହୁ କହିଛନ୍ତି ଯେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ । ସମସ୍ତ ଅଭିଯୁକ୍ତ ଅତିଶୀଘ୍ର ଧରାପଡ଼ିବେ । ତଦନ୍ତରେ ବାଧା ଆଶଙ୍କା କରି କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି । ମୃତକଙ୍କ ଦାଦା ପୁଅ ଭାଇ ରବୀନ୍ଦ୍ର ଦାସଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନା କେସ୍ ନଂ ୧୪/୨୦୨୦ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons