ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ରୂପ ଧାରଣ କରିବାରେ ଲାଗିଛି।
ଘଟଣାର ସମାଧାନ ନ ହେବା ପର୍ୟ୍ୟନ୍ତ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ବେଳେ ଅପରପକ୍ଷେ ଏହି ଘଟଣାକୁ ନେଇ ତାଙ୍କର ସମର୍ଥକ ତହସିଲଦାରଙ୍କୁ ତାଙ୍କ କାର୍ୟ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତେବେ ନୀଳଗିରି ଉପଜିଲ୍ଲାପାଳ ଘଟଣାର ସମାଧାନ ଲାଗି ବିଧାୟକଙ୍କ ସହ ଆଲୋଚନା ଜାରି ରଖିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ।
ଏହି ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ନୀଳଗିରି କୋର୍ଟ ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଆଜି ନୀଳଗିରି କୋର୍ଟ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦ ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରିତା ଟୁଡୁ ମୁହାଁମୁହିଁ ହୋଇଥିଲେ। ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆରଆଇଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ଥିବା ଚାଳିଆକୁ ଉଚ୍ଛେଦ କରାଯାଉଥିଲା। ତେବେ ଏହାକୁ ବିଧାୟକ ସୁକାନ୍ତ ନାୟକ ବିରୋଧ କରିଥିଲେ।
ଥଇଥାନ ନ କରି କାହିଁକି ଭାଙ୍ଗୁଛ ବୋଲି ବିଧାୟକ ପଚାରିଥିଲେ। ଏହାକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବଚସା ହୋଇଥିଲା।
Comments are closed, but trackbacks and pingbacks are open.